ନୂଆଦିଲ୍ଲୀ, ୬/୧୧ : ବିବାଦରେ ବାବା ଧିରେନ୍ଦ୍ର ଶାସ୍ତ୍ରୀ । ରୁଜୁ ହେଲା ଅପରାଧିକ ମାମଲା । ବାଗେଶ୍ୱର ଧାମର ମଠାଧିଶଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଭଗବାନ କୃଷ୍ଣଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ମାମଲାରେ ଆଗ୍ରା କୋର୍ଟରେ ମାମଲା ରୁଜୁ ହୋଇଛି ।

ଆଇନଜୀବୀ ଅଜୟ ପ୍ରତାପ ସିଂ ଏହି ମାମଲା କୋର୍ଟରେ ଦାଖଲ କରିଥିଲେ । ଅଭିଯୋଗ ଅନୁସାରେ, ଧିରେନ୍ଦ୍ର ଶାସ୍ତ୍ରୀ ଭଗବାନ କୃଷ୍ଣଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ଏକ ସଭାରେ ସେ ଏପରି କଥା କହିଥିଲେ । ଯାହା ଅନେକଙ୍କ ଭାବାବେଗକୁ ଆଘାତ ପହଁଚାଇଛି । ଧିରେନ୍ଦ୍ର ଭଗବାନ ରାମ ଏବଂ କୃଷ୍ଣଙ୍କ ଶରୀର ଗଠନ ନେଇ ଟିପ୍ପଣୀ ଦେଇଥିଲେ ।

ମଧ୍ୟପ୍ରଦେଶର ଏକ ରାମକଥା କାର୍ଯ୍ୟକ୍ରମରେ ତାଙ୍କର ଏହି ମନ୍ତବ୍ୟ ବିବାଦ ବଢାଇଥିଲା ।ଅଭିଯୋଗ ଅନୁସାରେ ଧିରେନ୍ଦ୍ର କହିଥିଲେ ଯେ, କୃଷ୍ଣ ସବୁ ଫଟୋରେ ଏଣେତେଣେ ଅନାଉଥିବା ନଜର ଆସନ୍ତି । ସେ ଠିକ୍ ଭାବେ ଠିଆ ହୋଇପାରନ୍ତି ନାହିଁ । ତାଙ୍କ ଶରୀର ତିନି ଜାଗାରୁ ବକ୍ର ହୋଇ ରହିଥାଏ । ଗୋଡ ଉପରେ ଗୋଡ ଏବଂ ବଙ୍କା ଅଣ୍ଟାରେ ସେ ସଦାବେଳେ ଦେଖିବାକୁ ମିଳନ୍ତି । ଏପରିକି ବେକ ବଙ୍କା କରି ବଂଶୀ ବଜାଇଥାନ୍ତି ।

Also Read :- Earthquake: ସକାଳୁ ସକାଳୁ ଥରିଲା ହିମାଚଳ-ତେଲେଙ୍ଗାନା, ନାହିଁ କ୍ଷୟକ୍ଷତିର ସୂଚନା

ଆଇନଜୀବୀଙ୍କ କହିବାନୁସାରେ, କୃଷ୍ଣ ଦ୍ୱାପର ଯୁଗରେ ଜନ୍ମ ହୋଇଥିଲେ । ଆଜି ବି ତାଙ୍କର ବଂଶଜ ରହିଛନ୍ତି । ଯାଦବ, ଜାଦେଜା ଏବଂ ଭଟିଙ୍କୁ ଶ୍ରୀକୃଷ୍ଣଙ୍କ ବଂଶଧର ଭାବେ ବିବେଚନା କରାଯାଏ । ଏବେ ମାମଲାକୁ କୋର୍ଟର ବିଚାରପତି କାଞ୍ଚନ କୁମାର ଶୁଣାଣି କରିବେ । ଡିସେମ୍ବର ୧୪ରେ ମାମଲାର ଶୁଣାଣି କରାଯିବ ବୋଲି ଅଜୟ ପ୍ରତାପ ସିଂ କହିଛନ୍ତି ।