ନ୍ୟୁୟର୍କ, ୬/୧୧ : ତେମୋକ୍ରାଟିକ ପାର୍ଟିର ବିପୁଳ ବିଜୟ ପରେ ରିପବ୍ଲିକାନ ନେତାଙ୍କୁ ଶକ୍ତ ଧକ୍କା ଲାଗିଛି। ଅପ୍ରତ୍ୟାଶିତ ପରାଜୟକୁ ନେଇ ସେମାନେ ପ୍ରମାଦ ଗଣିବା ଆରମ୍ଭ କରିଦେଇଛନ୍ତି। ଦଳ ମଧ୍ୟରେ ବିଦ୍ରୋହ ବି ଆରମ୍ଭ ହୋଇଯାଇଛି। ନିର୍ବାଚନୀ ବିଫଳତା ପାଇଁ ରିପବ୍ଲିକାନ ନେତାମାନେ ସିଧାସଳଖ ଭାବେ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥଙ୍କୁ ଦାୟୀ କରିଛନ୍ତି।

Also Read :- ଜି-୨୦ ସମ୍ମିଳନୀକୁ ପୁଟିନଙ୍କୁ ଡାକିବ ନାହିଁ ବ୍ରିଟେନ୍, ଆମେରିକା କହିଲା ଆମେ ନିଶ୍ଚୟ ନିମନ୍ତ୍ରଣ କରିବୁ

ରିପବ୍ଲିକାନ ସାଂସଦ ଥମାସ ମ୍ୟାସି ହେଗସେଥଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଘୋଷଣା କରିଛନ୍ତି I ତାଙ୍କଠାରୁ ଇସ୍ତଫା ବି ଦାବି କରିଛନ୍ତି । ଏହି କ୍ରମରେ ଆଗାମୀ ସପ୍ତାହରେ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭସ ସଭାରେ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଉପରେ ଭୋଟିଂ ହୋଇପାରେ ବୋଲି ଆଶା କରାଯାଉଛି । ଆଉ କିଛି ଦଳୀୟ ନେତା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଓ ବିଦେଶ ନୀତିକୁ ଦୋଷ ଦେଇଛନ୍ତି।

ଟେକ୍ସାସର ରିପବ୍ଲିକାନ ନେତା ଚାଡ୍ ୱିଲବ୍ୟାସ ଇରାନ ଯୁଦ୍ଧ, ଟାରିଫ୍ ବୃଦ୍ଧି ଏବଂ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ପକ୍ଷ ନେବା ଲାଗି ଟ୍ରମ୍ପଙ୍କ ନିଷ୍ପତ୍ତିକୁ ପ୍ରମୁଖ କାରଣ ଦର୍ଶାଇଛନ୍ତି। ଟ୍ରମ୍ପଙ୍କର କିଛି ଘନିଷ୍ଠ ସହଯୋଗୀ ହେଗସେଥଙ୍କ ପ୍ରତିରକ୍ଷା ନୀତିକୁ ଟାର୍ଗେଟ କରିଛନ୍ତି। ସେମାନଙ୍କ ଅନୁସାରେ, ହେଗସେଥ ହିଁ ରାଷ୍ଟ୍ରପତିଙ୍କୁ ଇରାନ ଯୁଦ୍ଧରେ ଫସାଇ ଦେଇଥିଲେ। କିନ୍ତୁ ସେଥିରୁ ମୁକୁଳିବା ପାଇଁ କୌଣସି ଠୋସ ‘ପ୍ରସ୍ଥାନ ଯୋଜନା(ଏକଜିଟ୍ ପ୍ଲାନ୍)' ଦର୍ଶାଇ ପାରି ନଥିଲେ। ଯୁଦ୍ଧ ଲମ୍ବିବା ଫଳରେ ଘରୋଇ ବଜାରରେ ପେଟ୍ରୋଲ ଦର ବଢ଼ିଥିଲା। ଦେଶବାସୀ ନାହିଁ ନ ଥିବା ଦରଦାମ ବୃଦ୍ଧିର ସମ୍ମୁଖୀନ ହୋଇଥିଲେ।

ଏହା ପୂର୍ବରୁ ଖୋଦ ରାଷ୍ଟ୍ରପତି ଟ୍ରମ୍ପ୍ ଓ ଉପରାଷ୍ଟ୍ରପତି ଜେ ଡି ଭାନ୍ସ ଇରାନ ଯୁଦ୍ଧ ଯୋଗୁ ନିର୍ବାଚନରେ ଦଳର ପରାଜୟ ହୋଇଥିବା ସ୍ଵୀକାର କରିଥିଲେ। ଟ୍ରମ୍ପ୍ କହିଥିଲେ, ଇରାନ ଯୁଦ୍ଧ ଯୋଗୁ ଆମକୁ ନିର୍ବାଚନ ହାରିବାକୁ ପଡ଼ିଲା । କିନ୍ତୁ ପରମାଣୁ କାର୍ଯ୍ୟକ୍ରମ ରେଜିବା ବି ଜରୁରି ଥିଲା । ଦେଶର ହିତ ଲାଗି ଇରାନକୁ ରଚିତ ଶିକ୍ଷା ଦେବା ଆବଶ୍ୟକ ଥିଲା। ଆବଶ୍ୟକ ପଡ଼ିଲେ ସେ ପୁନର୍ବାର ଇରାନ ଉପରେ ଆକ୍ରମଣ କରିବାକୁ ଚାହିଁବେ ବୋଲି କହିଥିଲେ।

ନିର୍ବାଚନରେ ରିପବ୍ଲିକାନର ପରାଜୟ ପରେ ଟ୍ରମ୍ପଙ୍କର ଅନେକ ପୁରୁଣା ସମର୍ଥକ ବି ନିରାଶ ହୋଇଛନ୍ତି । ସେମାନେ ନିଜକୁ ଦଳଠାରୁ ଯଥାସମ୍ଭବ ଦୂରେଇ ରଖୁଥିବା କୁହାଯାଉଛି। ଦଳର ସାଂସଦ ଥମାସ ମ୍ୟାସି ପ୍ରତିରକ୍ଷା ମନ୍ତ୍ରୀ ହେଗସେଥଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଆପଣଇଛନ୍ତି । ତାଙ୍କ ଅନୁସାରେ, ହେଗସେଥ ଅଯଥା ଇରାନ ଯୁଦ୍ଧରେ ଫସାଇ ଦେଲେ । ଫଳରେ ଟ୍ରମ୍ପ୍ ଯୁଦ୍ଧରେ ଫସିଯାଇଥିଲେ । ଏହାକୁ ନେଇ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାକୁ ଲାଗିଥିଲା। ହେଗସେଥଙ୍କ ଉପରେ ଚାପ ବଢ଼ିଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ୍ ତାଙ୍କୁ ସୁରକ୍ଷା ଦେବା ଭଳି ବୟାନ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହଟାଇବା ସଂକ୍ରାନ୍ତ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ୍ କହିଛନ୍ତି, ହେଗସେଥ ଭଲ କାମ କରୁଛନ୍ତି। ସେ ଜଣେ ଦକ୍ଷ ନେତା । ରଏଟର୍ସ ରିପୋର୍ଟ ଅନୁସରେ, ଟ୍ରମ୍ପ ନିଜ ସହଯୋଗୀଙ୍କ ସହିତ ହେଗସେଥଙ୍କୁ ପଦରେ କାଏମ ରଖିବା ଲାଗି ଆଲୋଚନା କରିଛନ୍ତି ।

ଗତ ୩ ତାରିଖରେ ଆମେରିକାରେ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ଲାଗି ମତଦାନ ହୋଇଥିଲା। ହାଉସ ଅଫ୍ ରିପ୍ରେଜେଣ୍ଟେଟିଭସର ୪୩୫ ଆସନରୁ ଡେମୋକ୍ରାଟିକ ପାର୍ଟି ଅଦ୍ୟାବଧି ୨୪୫ଟି ପୋଛି ନେଇଛି। ରିପବ୍ଲିକାନ ପାର୍ଟି ୧୪୭ରେ ଜିତିଛି। ଏଥର ରିପବ୍ଲିକାନଠାରୁ ୩୫ଟି ଆସନ ଛଡ଼ାଇ ନେଉଛି ଡେମୋକ୍ରାଟ। ଆଉ ୪୩ଟି ଆସନରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ନାହିଁ । ତେବେ ହାଉସରେ ବହୁମତ ଲାଗି ୨୧୮ ଆସନ ଆବଶ୍ୟକ ଥିବା ବେଳେ ଡେମୋକ୍ରାଟ ଏହାକୁ ପାର କରିଯାଇଛି । ସିନେଟରେ ଡେମୋକ୍ରାଟମାନେ ୫୪ଟି ଆସନ ପାଇଥିବା ବେଳେ ରିପବ୍ଲିକାନ ୪୪ଟି ପାଇଛନ୍ତି। ଏଠାରେ ବହୁମତ ସଂଖ୍ୟା ୫୧ ରହିଛି।