ମଝି ଆକାଶରେ ବିମାନ। ମାଟିଠୁ ୨୦ ହଜାର ଫୁଟ ଉପରେ। ଠିକ୍ ସେଇ ସମୟରେ ବିମାନ ଭିତରେ ଦେଖାଦେଲା ଭୟଙ୍କର ସମସ୍ୟା। କକ୍ପିଟ୍ରେ ଶୁଭୁଥିଲା ପାଇଲଟଙ୍କ ପ୍ରାର୍ଥନା। ଅନ୍ୟପଟେ କୋ-ପାଇଲଟଙ୍କ ଆର୍ତ୍ତଚିତ୍କାର। ହେ ଭଗବାନ, ଆମ ପାଖରେ ଆଉ ସମୟ ନାହିଁ…. ଆମକୁ ବଞ୍ଚାଅ। MAY DAY କଲ୍ ପରେ ପରେ ନିରବ ହୋଇଗଲା ସବୁକିଛି। ମାତ୍ର କେଇ ସେକେଣ୍ଡରେ ସବୁ ସରିଗଲା। ଆମେରିକାର ଫ୍ଲୋରିଡାର ପାମ୍ ବିଚ୍ କାଉଣ୍ଟିରେ ଏକ ଲିୟରଜେଟ୍-60 ବିମାନ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛି। ଟେକ୍ସାସର ଅଷ୍ଟିନରୁ ବାହାମାସ୍ ଅଭିମୁଖେ ଯାଉଥିବା ଏହି ପ୍ରାଇଭେଟ୍ ଜେଟ୍ ହଠାତ୍ ଦ୍ରୁତଗତିରେ ତଳକୁ ଖସିପଡ଼ିଥିଲା। ବିମାନ ମାଟିରେ ପିଟି ହେବା ପରେ ଭୟଙ୍କର ନିଆଁ ଲାଗିଯାଇଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।

କିନ୍ତୁ ଏହି ଦୁର୍ଘଟଣାର ସବୁଠାରୁ ହୃଦୟବିଦାରକ ଦିଗ ହେଉଛି କକପିଟର ଶେଷ କିଛି ସମୟର ଅଡିଓ। ରେକର୍ଡ ହୋଇଥିବା ବାର୍ତ୍ତାଳାପ ଅନୁସାରେ, ୫୫ ବର୍ଷୀୟ କ୍ୟାପ୍ଟେନ୍ ଜେଫ୍ ଗ୍ରେଗୋରୀ ପ୍ରାର୍ଥନା କରୁଥିଲେ। ସେପଟେ ମାତ୍ର ୨୦ ବର୍ଷୀୟ କୋ-ପାଇଲଟ୍ ନତାଲିଆ ଫିଲଗୁଏରାସ୍ ଭୟଭୀତ ହୋଇ ଚିତ୍କାର କରୁଥିଲେ। ବିମାନଟି ମାଟିକୁ ଖସୁଥିବା କଥା ସେ କହୁଥିଲେ। ଶେଷ ରେଡିଓ ବାର୍ତ୍ତାରେ ତାଙ୍କ ସ୍ୱର ଶୁଭୁଥିଲା, ‘ହେ ଭଗବାନ୍, ଆମ ପାଖରେ ଆଉ ସମୟ ନାହିଁ।’

କୋପାଇଲଟ୍ ନତାଲିଆଙ୍କ ବୟସ ମାତ୍ର ୨୦ ବର୍ଷ। ସେ ପାଇଲଟ୍ ଭାବେ କାମ କରିବାର ଥିଲା ଅଭିଜ୍ଞତା ରଖିଥିଲେ। ପ୍ରାୟ ୯ ମାସ ଧରି କମର୍ସିଆଲ୍ ପାଇଲଟ୍ ଭାବେ କାମ କରିବା ସହ ୧୩୦୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ହାସଲ କରିଥିଲେ। ଦୁର୍ଘଟଣାର କିଛି ମିନିଟ୍ ପୂର୍ବରୁ କୋପାଇଲଟ୍ ନତାଲିଆ ନିଜ ପରିବାର ଲୋକଙ୍କ ସହ ଯୋଗାଯୋଗରେ ଥିଲେ। ଦୁର୍ଘଟଣାର ପ୍ରାୟ ୧୦ ମିନିଟ୍ ପୂର୍ବରୁ ବୟଫ୍ରେଣ୍ଡଙ୍କୁ ମେସେଜ୍ କରିଥିଲେ। ବିମାନରେ ଟର୍ବୁଲେନ୍ସ ଭୟଙ୍କର ସମସ୍ୟା ଦେଖାଦେଉଛି। ବିମାନର ଉପର ଭାଗରେ ବରଫ ଜମୁଛି।

ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସହ ହୋଇଥିବା ରେଡିଓ ବାର୍ତ୍ତାଳାପରୁ ଜଣାପଡ଼ିଛି ଯେ, ବିମାନର କ୍ରୁ ସଦସ୍ୟମାନେ ବରଫ ଜମିବା, ପ୍ରବଳ ଟର୍ବୁଲେନ୍ସ ଓ ବର୍ଷା ସମ୍ପର୍କରେ ସୂଚନା ଦେଇଥିଲେ। ପାଗ ଖରାପ ହେବାରୁ ନତାଲିଆ ବିମାନକୁ ୩୭ ହଜାର ଫୁଟ୍ ଉଚ୍ଚତାକୁ ନେବା ପାଇଁ ଅନୁମତି ମାଗିଥିଲେ। ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ସ ମଧ୍ୟ ଅନୁମତି ଦେଇଥିଲେ। ହେଲେ ଏହାର ୩୦ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ପରିସ୍ଥିତି ଭୟଙ୍କର ହୋଇଯାଇଥିଲା। କକ୍ପିଟ୍ରୁ ମେ ଡ’ କଲ୍ ଯାଇଥିଲା।

ବିମାନଟି ଓଭରସ୍ପିଡ୍ ହେଉଥିବା ସହ ପ୍ରତି ମିନିଟ୍ରେ ପ୍ରାୟ ୨୦ ହଜାର ଫୁଟ୍ ବେଗରେ ତଳକୁ ଖସୁଥିବା ସୂଚନା ମିଳିଥିଲା। ଆଉ ତା'ପରେ କକ୍ପିଟ୍ରେ ଶୁଭିଥିଲା ପ୍ରାର୍ଥନା ଓ ଆର୍ତ୍ତଚିତ୍କାର। କିଛି ସମୟ ପରେ ରେଡିଓ ସହ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଥିଲେ ୪୪ ବର୍ଷୀୟ ଟେକ୍ ବ୍ୟବସାୟୀ ଆଡାମ୍ ରବିନ୍ସନ୍, ତାଙ୍କ ୪୦ ବର୍ଷୀୟ ପତ୍ନୀ ହେଲେନ୍ ଶାର୍ପ ଏବଂ ସେମାନଙ୍କର ଦୁଇ ଛୋଟ ପିଲା।

ଏବେ ଏହି ଦୁର୍ଘଟଣାର ପ୍ରକୃତ କାରଣ ଖୋଜୁଛନ୍ତି ତଦନ୍ତକାରୀ ସଂସ୍ଥା। ଆମେରିକାର ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ଏବଂ ନ୍ୟାସନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ (NTSB) ତଦନ୍ତ ଆରମ୍ଭ କରିଛନ୍ତି। ନଅଟି ଜୀବନ, ଗୋଟିଏ ପରିବାରର ସ୍ୱପ୍ନ ଏବଂ ଦୁଇ ଯୁବ ପାଇଲଟଙ୍କ ଶେଷ ଉଡ଼ାଣ। କ'ଣ ଥିଲା ଏହି ଭୟଙ୍କର ଦୁର୍ଘଟଣାର ପ୍ରକୃତ କାରଣ? ପାଗର ପ୍ରତିକୂଳ ପରିସ୍ଥିତି ନା ବିମାନରେ ଯାନ୍ତ୍ରିକ ତ୍ରୁଟି? ଏହାର ଉତ୍ତର ଏବେ ତଦନ୍ତ ରିପୋର୍ଟକୁ ଅପେକ୍ଷା।