ନୂଆଦିଲ୍ଲୀ : ସୋସିଆଲ୍ ମିଡିଆ। ଭିନ୍ନ ଭିନ୍ନ ଖବରର ଗନ୍ତାଘର।  ପ୍ରତ୍ୟେକ ଦିନ ଗଦା ଗଦା ଖବର ଆସେ। କିନ୍ତୁ ସେଥିମଧ୍ୟରୁ ଏମିତି ଅନେକ ଖବର ଯାହା ହୃଦୟକୁ ଛୁଇଁ ଯାଏ। ଆଖିରେ ଆଣିଦିଏ ଲୁହ । ସେମିତି ଜଣେ ବାପା -ପୁଅଙ୍କ  ଭିଡ଼ିଓ ନିକଟରେ ହୋଇଥିଲା ଭାଇରାଲ୍ । ଯେଉଁ ଭିଡ଼ିଓ ବୟାନ କରିଥିଲା ଅନେକ କିଛି... ସ୍ନେହ, ଶ୍ରଦ୍ଧା, କର୍ତ୍ତବ୍ୟ, ଜୀବନର ମୂଲ୍ୟବୋଧ, ଭାଗ୍ୟ ଓ ପରିସ୍ଥିତି। ଭିଡିଓରେ ଜଣେ କ୍ୟାନସର ପୀଡ଼ିତ ବାପା, ଯାହାଙ୍କ ପାଖରେ ଅଛି କମ୍ ସମୟ । ଆଉ କିଛି ଦିନ ପରେ ସେ ହୁଏତ ନଥିବେ। କିନ୍ତୁ ଯିବା ପୂର୍ବରୁ ସେ ତାଙ୍କ କୁନି ପୁଅକୁ, ତା ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ବୁଝାଇଛନ୍ତି। ପୁଅକୁ ଡାକି କହିଛନ୍ତି,

" ପୁଅରେ ମୁଁ ଯାହା କହୁଛି ମନ ଦେଇ ଶୁଣିବୁ। ମୁଁ ଆଉ କିଛିଦିନ ପରେ ବହୁତ ଦୂରକୁ ଚାଲିଯିବି। ତୁ ଆଉ ମୋତେ ଖୋଜିବୁନି। ମୋତେ ମନେ ପକାଇ କାନ୍ଦିବୁନି। ତୁ ପରା ମୋ ସୁନା ପୁଅ। ମୋତେ କଥା ଦେ ମୁଁ ଚାଲିଗଲା ପରେ ମାଆର ଯତ୍ନ ନେଉଥିବୁ। ଦୁଇ ଭଉଣୀଙ୍କ ଦେଖାଶୁଣା କରିବୁ। ସବୁବେଳେ ମା'ଙ୍କ କଥା ଶୁଣିବୁ। ତାଙ୍କୁ କେବେ ବି ଦୁଃଖ ଦେବୁନି। ବାପାଙ୍କ କଥା ଶୁଣି ପୁଅ ନିଜ ଲୁହକୁ ରୋକି ପାରିନଥିଲା। ପୁଅର ଆଖିରେ ଲୁହ ଦେଖି ବାପା ସ୍ନେହରେ କହିଥିଲେ, ଧନରେ ତୁ କାନ୍ଦେନି... ତୁ ତ ମୋର ସୁନା ଓ ବୁଦ୍ଧିମାନ ପୁଅ। ତୁ ଶକ୍ତ ରହିବୁ ?  ଯଦି ତୋ ବାପା କେବେ ଚାଲିଯାଏ, ଆଉ ଖୋଜିବୁନି। ଯେତେବେଳେ ମୋ କଥା ମନେ ପଡ଼ିବ, ଭାବିବୁ ମୁଁ ତୋ ପାଖରେ ଅଛି, ହଁ ସବୁବେଳେ ଅଛି।’’

ଏ ଥିଲା ଜଣେ କର୍କଟ ପୀଡ଼ିତ ବାପାଙ୍କ କୋହଭରା କଥା। ବାପାଙ୍କ ଏହି କଥା ସବୁ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକଙ୍କୁ କରିଛି ଭାବବିହ୍ୱଳ । ଏତେ କୁନି ବୟସରେ ଜୀବନ କଣ ଜାଣି ନଥିବା ପିଲାଟି ହାତରେ ଘରର ସବୁ ଦାୟିତ୍ୱ ଦେଇ, ଦୁନିଆରୁ ଚାଲି ଯିବାକୁ ବସିଛି ବାପା। ସେ କଣ ବା କରିବ, ବିଧିର ବିଧାନକୁ କିଏ ବା ବଦଳାଇ ପାରିବ। କିନ୍ତୁ ମନ ତ ବୁଝୁନି, ନିଜକୁ ପଥର କରି ପୁଅକୁ ଜୀବନର ମୂଲ୍ୟବୋଧ ଶିଖାଇଛନ୍ତି ବାପା। ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ଅବଗତ କରାଇଛନ୍ତି। କାହିଁକିନା ଯେତେ ଚାହିଁଲେ ବି ବାପା ଆଉ ପୁଅ ପାଖରେ ରହି ପାରିବେନି। କ୍ୟାନସର ରୋଗରେ ପୀଡ଼ିତ ଥିବା ବାପାଙ୍କୁ ତାରିଖ ଦେଇ ସାରିଛନ୍ତି  ଡାକ୍ତର । କିଛି ଦିନରେ ଆସିବ ମୃତ୍ୟୁଦୂତ । ତାକୁ ନେଇ ଯିବ ବହୁ ଦୂରକୁ, ଅପହଞ୍ଚ ଇଲାକାକୁ।

ପୁଅର ମନରୁ ବାପାଙ୍କୁ ହରାଇବାର ଭୟ ଦୂର କରିବା ପାଇଁ ବାପା କେତେ କଣ ବୁଝାଇଥିଲେ। ଯେଉଁ କଥା ସବୁ ଶୁଣି ଯେକେହିବି ସମ୍ଭାଳି ପାରିବନି କୋହ। ଆଖିରେ ଆସିଯିବ  ଲୁହ।  ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ୍ ଭାଇରାଲ୍ ।  ଶେଷ ସମୟରେ କୁନି ପୁଅକୁ ଜୀବନ ବିଷୟରେ ବୁଝାଉଥିବା ବାପାଙ୍କ ପ୍ରତ୍ୟେକ କଥାରେ ଅସୀମ ସ୍ନେହ, ଦାୟିତ୍ୱବୋଧ ଓ ପୁଅର ଭବିଷ୍ୟତ ପାଇଁ ଚିନ୍ତା। ଭିଡିଓଟି ଭାଇରାଲ ହେବା ପରେ ହଜାର ହଜାର ଲୋକ ଭାବପ୍ରବଣ ପ୍ରତିକ୍ରିୟା ଦେଇଛନ୍ତି। ଅନେକେ ବାପାଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ଛୋଟ ପୁଅ ଓ ତାଙ୍କ ପରିବାରକୁ ସାହସ ମିଳୁ ବୋଲି ପ୍ରାର୍ଥନା କରିଛନ୍ତି। କିଛି ଲୋକ ଲେଖିଛନ୍ତି ଯେ, ଏହି ଭିଡିଓ ସେମାନଙ୍କୁ ନିଜ ବାପା-ମାଆ'ଙ୍କ ସ୍ନେହ ଓ ଭଲପାଇବାର ମୂଲ୍ୟ ମନେ ପକାଇ ଦେଇଛି।

 Also Read- relationship during crisis : କ୍ଷଣକରେ ସବୁ ଧୋଇନେଲା ବନ୍ୟା... ହେଲେ ଧୋଇପାରିଲାନି ପ୍ରେମ ଓ ଦମ୍ପତିଙ୍କର ସେ ଅତୁଟ ବନ୍ଧନକୁ

ଏହି ଭିଡିଓ କେବଳ ଏକ ଭାଇରାଲ କ୍ଲିପ୍‌ ନୁହେଁ  ବରଂ ନିଷ୍କାମ ପିତୃସ୍ନେହର ଏକ ଅନନ୍ୟ ଉଦାହରଣ। ନିଜ ଜୀବନର ଶେଷ ମୁହୂର୍ତ୍ତରେ ମଧ୍ୟ ଜଣେ ବାପା ନିଜ ଦୁଃଖକୁ ଭୁଲି ପୁଅର ଭବିଷ୍ୟତ, ପରିବାରର ସୁରକ୍ଷା ଓ ସାହସର କଥା ଭାବିଛନ୍ତି। ଏହା ଚିରଦିନ  ଜୀବନର ମନ୍ତ୍ର ହୋଇ ରହିଥିବ ନିଶ୍ଚୟ।