ନୂଆଦିଲ୍ଲୀ:  ଅପରୂପ ସୌନ୍ଦର୍ଯ୍ୟରେ ଭରା ପ୍ରକୃତି। ଯାହାର ମନୋରମ ଦୃଶ୍ୟ ଛୁଇଁଯାଏ ମନକୁ। କିନ୍ତୁ ସେ ଯେତେବେଳେ ତାର କରାଳ ରୂପ ଧାରଣ କରେ, ସେତେବେଳେ ସରିଯାଏ ସବୁ। ଧନ-ସମ୍ପତ୍ତି, ଘରଦ୍ୱାର, ବର୍ଷ ବର୍ଷର ପରିଶ୍ରମରେ ଗଢ଼ିଥିବା ସଂସାର କ୍ଷଣକରେ ହୋଇଯାଏ ଧୂଳିଷାତ୍। ତାକୁ ରୋକିବା ହୋଇପଡ଼େ କଷ୍ଟକର। କିନ୍ତୁ ଏମିତି କିଛି ଅଛି ଯାହାକୁ ପ୍ରକୃତି ବି ଭାଙ୍ଗି ପାରେନି। ସେ ହେଉଛି ସମ୍ପର୍କ। ଯାହାର କ୍ଷତି କରି ପାରେନି କୌଣସି ଝଡ଼, ବାତ୍ୟା, ବନ୍ୟା କି ବିପର୍ଯ୍ୟୟ। ଆସାମର ପ୍ରଳୟଙ୍କାରୀ ବନ୍ୟା ମଧ୍ୟରେ ଏକ ବୃଦ୍ଧ ଦମ୍ପତିଙ୍କ କାହାଣୀ ସେହି ସତ୍ୟକୁ ପୁଣିଥରେ କରିଛି ପ୍ରମାଣିତ।

ଆସାମରେ ବନ୍ୟାର ବିତ୍ପାତ୍ତ। । 80ରୁ ଅଧିକ ମୃତ୍ୟୁ ହୋଇଥିବାବେଳେ 2 ଲକ୍ଷରୁ ଅଧିକ କ୍ଷତିଗ୍ରସ୍ତ। ଗାଁ , ଗଣ୍ଡା, ଘର ଦ୍ୱାର, ରାସ୍ତାଘାଟ, ଚାଷ ଜମି ସବୁକିଛି ଜଳମଗ୍ନ। ଜୀବନ ଓ ମୃତ୍ୟୁର ଅନିଶ୍ଚିତତା ଭିତରେ ଜୀବନ। ସବୁ କିଛି ଭସାଇ ନେଇଛି ପାଣି। ସେହି ଭୟଙ୍କର ପରିସ୍ଥିତିରେ ଏହି ବୃଦ୍ଧ ଦମ୍ପତି ନିଜ ଜୀବନର ସର୍ବସ୍ୱ ହରାଇଛନ୍ତି। ତଥାପି ପରସ୍ପରର ହାତ ଛାଡ଼ି ନାହାନ୍ତି। ସେମାନଙ୍କ ପାଇଁ ସେହି ସମୟରେ ସବୁଠାରୁ ବଡ଼ ଆଶ୍ରୟ ଥିଲା ପରସ୍ପରର ସାଥ୍,ସହଯୋଗ ଓ ବିଶ୍ୱାସ। ବନ୍ୟାର ଭୟଙ୍କର ସ୍ରୋତରେ ସେମାନେ ପରସ୍ପରର ହାତକୁ ଜାବୁଡ଼ି ଧରି ରଖିଥିଲେ। ଆଖିରେ ଥିଲା ଭୟ, କିନ୍ତୁ ମନରେ ଥିଲା ବିଶ୍ୱାସ। ଅନିଶ୍ଚିତ ଭବିଷ୍ୟତ ଓ ଅସହାୟତା ଭିତରେ ପରସ୍ପରକୁ ଦେଉଥିଲେ ସାହାସ। ବୃଦ୍ଧାଙ୍କ ମୁହଁରେ ଥିଲା ଚିନ୍ତା, କିନ୍ତୁ ସ୍ୱାମୀଙ୍କ ହାତ ଧରି ସେ ନିଜକୁ ମନେ କରୁଥିଲେ ସୁରକ୍ଷିତ। ବୃଦ୍ଧ ଜଣକ ମଧ୍ୟ ନିଜ ଜୀବନସଙ୍ଗିନୀଙ୍କୁ ଦେଉଥିଲେ ସାହସ। ସେମାନଙ୍କ ପାଖରେ ନା ଥିଲା ଘର, ନା ଥିଲା ବର୍ଷକର ସଞ୍ଚୟ । ଥିଲା କେବଳ ଭଲପାଇବା, ସଂପର୍କ ଓ ବିଶ୍ୱାସ। ଅକାତ କାତ ପାଣି ଭିତରେ ଏକାକୀ ସ୍ୱାମୀ-ସ୍ତ୍ରୀ। ଏଭଳି ପରିସ୍ଥିତିରେ କେବଳ ନୀରବ ଏକ ପ୍ରତିଶ୍ରୁତି: ' ଆମେ ଏକାଠି ଅଛୁ, ଏକା ନୁହେଁ।'

ଏହି ଘଟଣା କେବଳ ଏକ ବନ୍ୟା ପୀଡ଼ିତ ପରିବାରର ଦୁଃଖଦ କାହାଣୀ ନୁହେଁ। ବରଂ ପ୍ରେମ, ବିଶ୍ୱାସ ଓ ଦାମ୍ପତ୍ୟ ଜୀବନର ପ୍ରକୃତ ଅର୍ଥକୁ ବୁଝାଇଛି। ଆଜିର ସମୟରେ ସମ୍ପର୍କ ଅନେକ ସମୟରେ ସ୍ୱାର୍ଥ, ସମ୍ପତ୍ତି ଓ ସୁବିଧା ଉପରେ ନିର୍ଭର କରୁଥିବା ବେଳେ, ଏହି ବୃଦ୍ଧ ଦମ୍ପତିଙ୍କ ଏଦୃଶ୍ୟ ଦେଇଛି ଅନେକ ଶିକ୍ଷା। ପ୍ରକୃତ ସାଥୀ ସେହି, ଯିଏ ସୁଖରେ ନୁହେଁ ବରଂ ଦୁଃଖରେ ରହିଥାଏ ପାଖରେ। ସୋସିଆଲ୍ ମିଡିଆରେ ଏହି ଦୃଶ୍ୟ ଭାଇରାଲ୍ ହେବା ପରେ ହଜାର ହଜାର ଲୋକ ରଖିଛନ୍ତି ଭାବପ୍ରବଣତାର ସହ ସୁନ୍ଦର ପ୍ରତିକ୍ରିୟା । ଅନେକ ଲୋକ କହିଛନ୍ତି ଏହା ହିଁ ପ୍ରକୃତ ପ୍ରେମ, ଯେଉଁଠାରେ ଧନ-ସମ୍ପତ୍ତି ନୁହେଁ, ବରଂ ପରସ୍ପର ପ୍ରତି ବିଶ୍ୱାସ ଓ ସମର୍ପଣ ହିଁ ସବୁଠାରୁ ବଡ଼ ସମ୍ପଦ। ଆଉ କେତେକ ଲୋକ ଲେଖିଛନ୍ତି , ଏହି ଚିତ୍ର ସେମାନଙ୍କୁ ନିଜ ବାପା-ମାଆଙ୍କ କଥା ମନେ ପକାଇଦେଇଛି, ଯେଉଁମାନେ ଜୀବନର ସବୁ ସଂଘର୍ଷକୁ ଏକାଠି ସାମ୍ନା କରନ୍ତି।

 Also Read- ଚିକେନ୍ ନଗେଟ୍ସ ଖାଇବାକୁ ମିଳିବ ମୋଟା ଦରମା ! ଚାଖିଲେ ଖାତାକୁ ଆସିବ ଲକ୍ଷେ ...

ପ୍ରକୃତିର ବିପର୍ଯ୍ୟୟ ମଣିଷର ପରୀକ୍ଷା ନେଇଥାଏ। ସେହି ପରୀକ୍ଷାରେ କେହି ହାରିଯାଆନ୍ତି, ଆଉ କେହି ନିଜର ସାହସ ଓ ସମ୍ପର୍କର ଶକ୍ତି ଦ୍ୱାରା ଜିତିଯାଆନ୍ତି। ଏହି ବୃଦ୍ଧ ଦମ୍ପତିଙ୍କ କାହାଣୀ ପ୍ରମାଣ କରିଛି ଯେ ଜୀବନର ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ପ୍ରେମ, ତ୍ୟାଗ ଓ ଭରସା। ଘର ପୁଣି ତିଆରି ହୋଇପାରେ। ଟଙ୍କା ପୁଣି ରୋଜଗାର ହୋଇପାରେ। ହରାଇଥିବା ସାମଗ୍ରୀ ପୁଣି କିଣାଯାଇପାରେ। କିନ୍ତୁ ଜୀବନର ପ୍ରତ୍ୟେକ ଝଡ଼ରେ ଯିଏ ଆପଣଙ୍କ ହାତ ଛାଡ଼ିନଥାଏ, ସେହି ସମ୍ପର୍କ ଯଥାର୍ଥ ପ୍ରମାଣ ଦିଏ। ଆସାମ ବନ୍ୟାର ଏହି ବୃଦ୍ଧ ଦମ୍ପତି ସେହି ଅମୂଲ୍ୟ ସତ୍ୟକୁ ପୁଣି ଥରେ ଜୀବନ୍ତ କରି ଦେଖାଇଛନ୍ତି। ସମୟ ସବୁ କିଛି ଉଜାଡ଼ି ଦେଇ ପାରେ। କିନ୍ତୁ କେବଳ ଗୋଟିଏ ଜିନିଷ ଅକ୍ଷୁର୍ଣ୍ଣ ରହେ , ତାହା ହେଉଛି ଆନ୍ତିରକତା, ବିଶ୍ୱାସ, ଏବଂ ପରସ୍ପର ପ୍ରତି ଭଲ ପାଇବା। ଏହି ଦୃଶ୍ୟ କେବଳ ଦୁର୍ବିପାକର କାହାଣୀ ନୁହେଁ। ଏହା ହେଉଛି ପରିସ୍ଥିତି ସାମ୍ନାରେ ହାର୍ ନ ମାନିବାର ପକୃତ ପ୍ରତିଛବି। ଧନ ସମ୍ପତ୍ତି ତ ଆସନିବ ଓ ଯିବ। କିନ୍ତୁ ସତ ପ୍ରେମର ଉଷ୍ମତା ଏବଂ ଜୀବନସାଥୀର ହାତ ସବୁ ଅନ୍ଧାରକୁ ଆଲୋକିତ କରିବାକୁ ଯଥେଷ୍ଟ।