ନୂଆଦିଲ୍ଲୀ ୧୩।୦୯; ଆମେରିକାର କାଲିଫର୍ଣ୍ଣିଆରେ ଅଘଟଣ। ଭାରତୀୟ ବଂଶୋଦ୍ଭବ ମହିଳା ଶାଲିନୀ ଠାକୁରଙ୍କ ହତ୍ୟାକୁ ନେଇ ଏବେ ଚାଞ୍ଚଲ୍ୟ। ଅଭିଯୋଗ, ମାସ ମାସ ଧରି ଶାଲିନୀଙ୍କ ପିଛା କରୁଥିଲା ୨୨ ବର୍ଷୀୟ ରୋହିତ। ପୋଲିସର ଚେତାବନୀ କିଛି ବି ଅଟକାଇ ପାରିଲାନି ତାକୁ। ଶେଷରେ ଶାଲିନୀଙ୍କ ଉପରେ ଗୁଳିମାଡ଼ କରିବା ପରେ ନିଜ ଜୀବନ ମଧ୍ୟ ନେଇଗଲା ଅଭିଯୁକ୍ତ। ତେବେ କେମିତି ଥିଲା ଷ୍ଟକର୍ର ଆତଙ୍କ? ପୋଲିସର ଚେତାବନୀ ସତ୍ତ୍ୱେ କାହିଁକି ଅଟକିଲାନି ହଇରାଣ? ଆସନ୍ତୁ ଦେଖିବା ପୂରା ଘଟଣା...

କାଲିଫର୍ଣ୍ଣିଆର ସାକ୍ରାମେଣ୍ଟୋରେ ରହୁଥିଲେ ୩୮ ବର୍ଷୀୟ ଶାଲିନୀ ଠାକୁର। ଅଭିଯୋଗ ଅନୁସାରେ, ୨୨ ବର୍ଷୀୟ ରୋହିତ ଦୀର୍ଘ ସମୟ ଧରି ତାଙ୍କ ପିଛା କରୁଥିଲା। କେତେବେଳେ ତାଙ୍କ ଗାଡ଼ିର ଟାୟାର ପଙ୍କଚର୍ କରିବା, ତ ଆଉ କେତେବେଳେ ତାଙ୍କ ଗତିବିଧି ଉପରେ ନଜର ରଖିବା ଅଭିଯୋଗ ଅନୁସାରେ, ଧୀରେ ଧୀରେ ଭୟଙ୍କର ହେଉଥିଲା ଷ୍ଟକିଂର ଘଟଣା। ଭୟଭୀତ ଶାଲିନୀ ଶେଷରେ ଆଇନର ଆଶ୍ରୟ ନେଇଥିଲେ। ପୋଲିସ ମଧ୍ୟ ଅଭିଯୁକ୍ତକୁ ଚେତାବନୀ ଦେଇଥିଲା। କିନ୍ତୁ ଚେତାବନୀ ପରେ ବି ଥମିଲାନି ପିଛା କରିବା।

ସାକ୍ରାମେଣ୍ଟୋରେ ନିଜ କାର୍ଯ୍ୟସ୍ଥଳ ବାହାରେ ଥିଲେ ଶାଲିନୀ। ହଠାତ୍ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ହିଁ ଶାଲିନୀଙ୍କ ମୃତ୍ୟୁ ହୋଇଥିଲା । ଗୁଳିମାଡ଼ ପରେ ଅଭିଯୁକ୍ତ ରୋହିତ ଘଟଣାସ୍ଥଳରୁ ଫେରାର ହୋଇଥିଲା। ପୋଲିସ ତାକୁ ପିଛା କରିଥିଲା। ଆଉ ଗିରଫ ହେବାର ଭୟରେ ରାସ୍ତା ଉପରେ ଗାଡ଼ି ରଖି ନିଜକୁ ଗୁଳି କରିଥିବା ଅଭିଯୋଗ ହୋଇଛି।

ମାଆଙ୍କ ଅଭିଯୋଗ

ଝିଅ ବିପଦରେ ଥିବା କଥା ଜାଣିଥିଲେ ପରିବାର। ଶାଲିନୀ ବାରମ୍ବାର ସହାୟତା ମାଗିଥିବା ମଧ୍ୟ ତାଙ୍କ ମାଆ କହିଛନ୍ତି। ତେବେ ତାଙ୍କ ଅଭିଯୋଗ ଝିଅକୁ ଆବଶ୍ୟକ ସୁରକ୍ଷା ଦେବାରେ ପୋଲିସ ବିଫଳ ହୋଇଥିଲା। ଆଉ ଏହି ଅବହେଳାର ମୂଲ୍ୟ ଶାଲିନୀଙ୍କୁ ନିଜ ଜୀବନ ଦେଇ ଦେବାକୁ ପଡ଼ିଲା।