ନୂଆଦିଲ୍ଲୀ: ଦେଶ ବିକଶିତ କରିବାକୁ ହେଲେ ମୁଖ୍ୟତଃ ପରିବହନକୁ ଆଗ ଗୁରୁତ୍ୱ ଦେବାକୁ ପଡ଼ିବ। ଏଥିପାଇଁ ସରକାର ଏବେ ମାଲବାହୀ ଜାହାଜର କଣ୍ଟେନର ନିର୍ମାଣ କରିବାକୁ ଗୁରୁତ୍ୱ ଦେଉଛନ୍ତି। ବୁଧବାର କେନ୍ଦ୍ର କ୍ଯାବିନେଟ୍ ୧୦ ହଜାର କୋଟି ଆବଣ୍ଟିତ ହୋଇଥିବା କଣ୍ଟେନର ମେନୁଫେକ୍ଚରିଂ ଆସିଷ୍ଟାଣ୍ଟ ସ୍କିମ(CMAS) ଯୋଜନାକୁ ଅନୁମୋଦନ ଦେଇଛନ୍ତି। ଦେଶରେ ଶିପିଂ କଣ୍ଟେନର ତିଆରି କରିବା ପାଇଁ ଏହି ଯୋଜନା ଲାଗୁ ହୋଇଥିବା ବେଳେ ଏହା ୨୦୩୯-୪୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

ସିଏମ୍ଏସର ଲକ୍ଷ୍ୟ ହେଉଛି ଦେଶ ମଧ୍ୟରେ ସିପିଂ କଣ୍ଟେନର ଉତ୍ପାଦନ ପାଇଁ ଏକ ପରିବେଶ ଗଢ଼ିବା ଏବଂ ଆମଦାନୀ ଉପରେ ଭାରତର ନିର୍ଭରଶୀଳତା ହ୍ରାସ କରିବା। ୨୦୨୬-୨୭ ଆର୍ଥିକ ବର୍ଷ ବଜେଟ୍‌ରେ ଏହି ଯୋଜନା ଘୋଷଣା କରାଯାଇଥିଲା। ଏଥିରେ ଆଗାମୀ ୧୩ ବର୍ଷ ପାଇଁ ଅର୍ଥାତ୍ ୨୦୩୯-୪୦ ବର୍ଷ ପର୍ଯ୍ୟନ୍ତ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଏହି ଯୋଜନାରେ ସରକାର କଣ୍ଟେନର ନିର୍ମାଣ ପାଇଁ ନୂଆ ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଘରୋଇ ସଂସ୍ଥାକୁ ପ୍ରୋତ୍ସାହନ ଦେବାକୁ ଚାହୁଁଛନ୍ତି। ପୂର୍ବରୁ ଥିବା ଯତ କିଞ୍ଚିତ ସୁବିଧାର ବିସ୍ତାର କରିବା ସହ କଣ୍ଟେନର ମେନୁଫେକ୍ଚରିଂ ଭାଲ୍ୟୁ ଚେନ୍‌ରେ ସ୍କିଲ ଓ କ୍ଷମତା ବଢ଼ାଇବାକୁ ଲକ୍ଷ ରଖାଯାଇଛି।

ବର୍ଷକୁ କେତେ କଣ୍ଟେନର ଆମଦାନୀ କରେ ଭାରତ ?

ଶିପିଂ କଣ୍ଟେନର(ଜାହାଜରେ ପରିବହନ ପାଇଁ ଡବା) କ୍ଷେତ୍ରରେ ଭାରତର ସ୍ଥିତି ସେତାଟା ଭଲ ନାହିଁ। ତେଣୁ ଭାରତ ଆମଦାନୀ କରି ଏହାର ଆବଶ୍ୟକତା ମେଣ୍ଟାଇ ଥାଏ। ବର୍ଷକୁ ୨ ମିଲିଅନ(୨୦ ଲକ୍ଷ) କଣ୍ଟେନର ଆମଦାନୀ କରି ଭାରତ ଏହାର ଘରୋଇ ଚାହିଦା ପୂରଣ କରେ।

ତେବେ କଣ୍ଟେନର ମାର୍କେଟ୍‌ରେ ଅଧିକାଂସ ସମୟ ଉତ୍ଥାନ-ପତନ ଜାରି ରହେ। ମାଲ ପରିବହନରେ ଅସ୍ଥିରତା ଏବଂ ଯୋଗାଣ-ଶୃଙ୍ଖଳା ବାଧା ସୃଷ୍ଟି କାରଣରୁ ଏହାର ଉପଲବ୍ଧତା ଅଶଙ୍କା ଦେଖାଦିଏ। ସେତେବେଳେ ଭାରତର ବ୍ୟବସାୟ ପ୍ରଭାବିତ ହୋଇଥାଏ। ତେଣୁ ଭାରତ ଏ ଦିଗରେ ଆଉ ନିର୍ଭରଶୀଳ ହେବାକୁ ଚାହୁଁ ନାହିଁ।

କଣ୍ଟେନର ନିର୍ମାଣ କ୍ଷେତ୍ରରେ ଚୀନର ପ୍ରାଧାନ୍ୟ ଅଧିକଏକ ଆକଳନ ଅନୁସାରେ ବିଶ୍ୱରେ ଯେତେକି ଶିଫି କଣ୍ଟେନର ଉତ୍ପାଦନ ହେଉଛି, ଏହାର ୯୦-୯୭ ଭାଗ ଚୀନ କରୁଛି। କୋଭିଡ୍ ସମୟରେ ବିଭିନ୍ନ କଟକଣା ଯୋଗୁ ଏହି କଣ୍ଟେନରର ସମସ୍ୟା ଦେଖା ଦେଇଥିଲା। ଫଳରେ ଭଡ଼ାରେ ଅସ୍ଥିରତା ବୃଦ୍ଧି ପାଇଥିଲା। ବିଶ୍ୱ ପରିବହନ କ୍ଷେତ୍ରରେ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଥିଲା। ଯାହା ଆମଦାନୀ ଉପରେ ନିର୍ଭରଶୀଳ ରହିଲେ କେତେ ଅସୁବିଧା ହୁଏ, ତାହା ଦର୍ଶାଇଥିଲା। ତେବେ ଭାରତରେ ଯଦିଓ ଶିପିଂ କଣ୍ଟେନର ତିଆରି ହେଉଛି, ହେଲେ ଏହାର ନିର୍ମାଣ ଖର୍ଚ୍ଚ ଚୀନ ଠାରୁ ୩୦-୪୦ ପ୍ରତିଶତ ଅଧିକ ହେଉଛି। ତେଣୁ ଚୀନ ସହ ଭାରତୀୟ କମ୍ପାନୀମାନେ ଟକ୍କର ଦେଇପାରୁ ନାହାନ୍ତି। ଏବେ ସରକାରଙ୍କ ୧୦ ହଜାର କୋଟି ଅନୁମୋଦନ ଏ ଦିଗରେ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ କରିବ।

ଯୋଗାଇ ଦିଆଯିବ ସବସିଡି ସହାୟତା

ଏହି ଯୋଜନା ଅନୁସାରେ କଣ୍ଟେନର ନିର୍ମାତାଙ୍କୁ ସରକାର ସୁଧ ଉପରେ ସବ୍ସିଡି, ପରିଚାଳନା ଖର୍ଚ୍ଚରେ ସହାୟତା, ପରୀକ୍ଷଣ ଓ ସାର୍ଟିଫିକେସନ ସହାୟତା, ଜାଗା ପଟାରେ ନେବାରେ ସହାୟତା ପ୍ରଦାନ କରାଯିବ। ସୁଧ ଉପରେ ସବ୍ସିଡି ପାଇଁ ୮୫୯ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏ କ୍ଷେତ୍ରରରେ ନୂଆ ବିନିର୍ମାଣ ଭିତ୍ତିପ୍ରସ୍ତର ସ୍ଥାପନ କରିବା, ଏବଂ ବର୍ତ୍ତମାନର ଭିତ୍ତିଭୂମିର କ୍ଷମତା ବଢ଼ାଇବା ପାଇଁ ନିଆଯାଇଥିବା ଋଣ ଉପରେ ବରାର୍ଷକୁ ୩ ପ୍ରତିଶତ ସୁଧ ସବ୍ସିଡି ଯୋଗାଇ ଦିଆଯିବ।

ସେହିପରି ପରିଚାଳନା ଖର୍ଚ୍ଚ ସହାୟତା ପାଇଁ ୮,୮୯୧ କୋଟି ଟଙ୍କା ଆବଣ୍ଟିତ କରାଯାଇଛି।ଏଥିରେ ବିଶ୍ୱ ପରିବହନ ମାନଦଣ୍ଡ ଅନୁଯାୟୀ ତିଆରି ହୋଇଥିବା ଏବଂ ଯୋଗ୍ୟ ନିର୍ମାତାଙ୍କ ଦ୍ୱାରା ବିକ୍ରୟ କରାଯାଇଥିବା କଣ୍ଟେନର ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହା ଘରୋଇ ନିର୍ମିତ କଣ୍ଟେନରଗୁଡ଼ିକର ଖର୍ଚ୍ଚ ସମସ୍ୟା ଦୂର କରିବା ସହିତ ଅନ୍ୟ ଦେଶ ସହିତ ପ୍ରତିଯୋଗିତା ବୃଦ୍ଧି କରିବାରେ ସାହାଯ୍ୟ କରିବ।

ଯୋଜନାର ଲକ୍ଷ୍ୟ

ଏହି ଯୋଜନା ମାଧ୍ୟମରେ ଦେଶର ବାର୍ଷିକ କଣ୍ଟେନର ଉତ୍ପାଦନ କ୍ଷମତାକୁ ପ୍ରାୟ ୧୦ ଗୁଣ ବୃଦ୍ଧି କରି ୭୫୦,୦୦୦ TEUs (୨୦-ଫୁଟ ସମକକ୍ଷ କଣ୍ଟେନର) କରିବାକୁ ଲକ୍ଷ୍ୟ ରଖାଯାଇଛି। ଆନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତାମୂଳକ ଉତ୍ପାଦନ ଭିତ୍ତିଭୂମି ବିକଶିତ କରିବ ଏବଂ ଦେଶକୁ ଗୁଣାତ୍ମକ ପରିବହନ କଣ୍ଟେନର ପାଇଁ ଏକ ବିଶ୍ୱ ରପ୍ତାନି କେନ୍ଦ୍ର ଭାବରେ ସ୍ଥାପିତ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ବୋଲି ସରକାର କହିଛନ୍ତି।

ଏହି ନୂଆ ଯୋଜନାରେ ପାଖାପାଖି ୩ ହଜାର ପ୍ରତ୍ଯକ୍ଷ ଓ ୫୦ ହଜାର ପରୋକ୍ଷ ବେରୋଜଗାର ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି। ଏହା ବାଦ କଣ୍ଟେନର ନିର୍ମାଣରେ ବ୍ୟବହୃତ ସ୍ୱତନ୍ତ୍ର ଇସ୍ପାତ, କର୍ଣ୍ଣର କାଷ୍ଟିଂ, କାଠ ଫ୍ରେମ ଏବଂ ରଙ୍ଗ ଭଳି ଆନୁଷଙ୍ଗିକ ଶିଳ୍ପଗୁଡ଼ିକୁ ମଧ୍ୟ ପ୍ରୋତ୍ସାହନ ମିଳିବ।