ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ବ୍ୟବସାୟୀ ବେଙ୍ଗାଲୁରୁର ରାଜାରାଜେଶ୍ୱରୀ ନଗରରେ ଥିବା ପ୍ରସିଦ୍ଧ କନ୍ନଡ ଅଭିନେତ୍ରୀ କୃଷି ଥାପଣ୍ଡାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ବ୍ୟବସାୟୀ ଜଣକ କିଛି ଦିନ ହେବ ମାନସିକ ଅବସାଦ ଦେଇ ଗତି କରୁଥିଲେ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଅଭାବନୀୟ ଘଟଣାଟି ଗତକାଲି ରାତି ପ୍ରାୟ ୮:୩୦ ସମୟରେ ଘଟିଛି। ମୃତକଙ୍କ ନାଁ ବୈଶାଖ ଏବଂ ସେ ଜଣେ ବ୍ୟବସାୟୀ ଥିଲେ। ସେ ଗୋଟିଏ ସପ୍ତାହ ହେଲା ଅଭିନେତ୍ରୀ କୃଷି ଥାପଣ୍ଡାଙ୍କ ଘରେ ରହୁଥିଲେ।

ସେପଟେ ଘଟଣା ଦିନ ଅଭିନେତ୍ରୀ କୃଷି ଥାପଣ୍ଡା ନିଜ ଘରେ ନଥିଲେ। ସେ କୌଣସି କାମରେ ବେଙ୍ଗାଲୁରୁର ୟେଲହଙ୍କା ଅଞ୍ଚଳକୁ ଯାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ସେଠାରୁ କୌଣସି ପ୍ରକାରର ସୁଇସାଇଡ୍ ନୋଟ୍ ଜବତ କରାଯାଇ ପାରିନାହିଁ। ପୋଲିସ ମୃତଦେହକୁ ଉଦ୍ଧାର କରି ବେଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ବୈଶାଖଙ୍କ ପାରିବାରିକ ଜୀବନରେ କିଛି ସମସ୍ୟା ଚାଲିଥିଲା। ସ୍ତ୍ରୀଙ୍କ ସହ ଝଗଡ଼ା ଓ ମତାନ୍ତର ହେବା ଯୋଗୁଁ ସେ ପ୍ରାୟ ଏକ ମାସ ହେବ ନିଜ ପତ୍ନୀଙ୍କଠାରୁ ଅଲଗା ରହୁଥିଲେ।  ପୂର୍ବରୁ ବଟି ଆଦାୟ କରିବା ମାମଲାରେ ବୈଶାଖଙ୍କୁ ପୋଲିସ ଗିରଫ କରିଥିଲା।  କର୍ଣ୍ଣାଟକ ହାଇକୋର୍ଟ ଫେବୃଆରୀ ୬ରେ ତାଙ୍କ ବିରୋଧରେ ଅଧିକ ତଦନ୍ତ ଉପରେ ସ୍ଥଗିତାଦେଶ ଲଗାଇଥିଲେ ।

ବୈଶାଖ ଗଭୀର ମାନସିକ ଚାପ ଏବଂ ବ୍ୟକ୍ତିଗତ ସମସ୍ୟା ଦେଇ ଗତି କରୁଥିଲେ। ଏଥିପାଇଁ ସେ ଡାକ୍ତରୀ ଚିକିତ୍ସା ମଧ୍ୟ କରାଉଥିଲେ । ପାରିବାରିକ ଅଶାନ୍ତି ଏବଂ ମାନସିକ ଅବସାଦ ସହ୍ୟ କରିନପାରି ସେ ଏଭଳି ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ପୋଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଏବଂ ଅଭିନେତ୍ରୀ କୃଷି ଥାପଣ୍ଡାଙ୍କୁ ମଧ୍ୟ ଏହି ସମ୍ପର୍କରେ ପଚରାଉଚରା କରାଯାଇପାରେ।