ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକୀୟ ଦେଶ କେପ୍ ଭର୍ଡେର ଫୋଗୋ ଦ୍ୱୀପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ଗଭୀର ଖାତକୁ ଖସିପଡ଼ିବା ଫଳରେ ପ୍ରାୟ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ସ୍କୁଲ ପିଲା ଏବଂ କିଶୋର-କିଶୋରୀ ଅଛନ୍ତି।

ପ୍ରାୟ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ବସ୍‌ରେ ମୋଟ ୩୨ ଜଣ ଯାତ୍ରୀ ଥିଲେ। କେପ୍ ଭର୍ଡେର ଫୋଗୋ ଦ୍ୱୀପସ୍ଥିତ ପିକୋ ଡୋ ଫୋଗୋ ଆଗ୍ନେୟଗିରି ପାର୍ଶ୍ୱବର୍ତ୍ତୀ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।

କିପରି ଘଟିଲା ଦୁର୍ଘଟଣା ?
ସାଓ ଫିଲିପ୍ ସହରକୁ ବସରେ ପିଲାମାନଙ୍କୁ ନେଇ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବସ୍ ଡ୍ରାଇଭର ନିଜେ ସ୍କୁଲ ପିଲାମାନଙ୍କ ପାଇଁ ପ୍ରତିବର୍ଷ ଏହି Excursion କାର୍ଯ୍ୟକ୍ରମର ଆୟୋଜନ କରୁଥିଲେ। ଯାତ୍ରା ଶେଷ କରି ଫେରୁଥିବା ବେଳେ ବସଟି ରାସ୍ତାରୁ ନିୟନ୍ତ୍ରଣ ହରାଇ ଏକ ପାହାଡ଼ିଆ ଓ ପଥୁରିଆ ଖାତ ଭିତରକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ଖାତଟି ଦୁର୍ଗମ ଅଞ୍ଚଳରେ ହୋଇଥିବାରୁ ଉଦ୍ଧାରକାରୀ ଦଳ ରାତିସାରା ପରିଶ୍ରମ କରି ମୃତଦେହ ଓ ଆହତମାନଙ୍କୁ ବାହାର କରିଥିଲେ। ଗୁରୁତର ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସାଧାରଣତଃ ଭଲ ରାସ୍ତାଘାଟ ପାଇଁ ଜଣାଶୁଣା ଏହି ଦ୍ୱୀପରାଷ୍ଟ୍ରରେ ଏଭଳି ବଡ଼ ସଡ଼କ ଦୁର୍ଘଟଣା ବିରଳ।