ଆନନ୍ଦପୁର ୩୦।୫: ଗାଁ ନିକଟ ଶ୍ମଶାନରେ ଚାଲିଥିଲା ବ୍ରାଉନସୁଗାର କାରବାର । ଖବର ପାଇ ମିଳିତ ଚଢାଉ କଲେ ଗାଁ ମହିଳା । ଜଣକୁ ଅଟକ ରଖି ପୋଲିସ ଜିମା ଦେଇଥିବା ବେଳେ ଆଉ ୫ ଜଣ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଶାଳପଡା ନୂଆ କଲୋନୀରେ ।

ଶନିବାର ଦିନ ପ୍ରାୟ ୧୧ଟା ସମୟରେ କେତେକ ଯୁବକ ଶ୍ମଶାନ ନିକଟରେ ବସି ନିଶା କାରବାର ସହ ନିଶା ସେବନ କରୁଥିଲେ । ଏ ନେଇ ଖବର ପାଇ ଗାଁର ମହିଳାମାନେ ଏକତ୍ରିତ ହୋଇ ସେଠାରେ ଅଚାନକ ଚଢାଉ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ୬ ଜଣଙ୍କ ମଧ୍ୟରୁ ୫ ଜଣ ଦୌଡି ପଳାଇଥିବା ବେଳେ ଜଣଙ୍କୁ ମହିଳା ମାନେ କାବୁ କରିଥିଲେ । ପୋଲିସକୁ ଡକାଇ ଯୁବକ ଜଣଙ୍କୁ ତଲାସି ବେଳେ ତା ନିକଟରୁ ୪୦ଟି ବ୍ରାଉନସୁଗାର ପୁଡିଆ ବାହାରିଥିଲା । ପୋଲିସ ସଂପୃକ୍ତ ଯୁବକକୁ ଥାନାକୁ ନେଇ ବ୍ରାଉନସୁଗାର ସମ୍ପର୍କରେ ଅଧିକ ଖୋଳତାଡ ଆରମ୍ଭ କରିଛି । ତେବେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ନିଶା କାରବାର ହେଉଥିଲେ ମଧ୍ୟ ପୋଲିସ ନିଶା କାରବାର ରୋକିବା ଦିଗରେ ବିଶେଷ ସହଯୋଗ କରୁନଥିବା ଅଭିଯୋଗ ହୋଇଛି ।