BRICS Summit 2026: ଭାରତ ବ୍ରିକ୍ସ ଦେଶଗୁଡ଼ିକର ଶିଖର ସମ୍ମିଳନୀ ଆୟୋଜନ କରୁଛି। ନୂଆଦିଲ୍ଲୀରେ ସେପ୍ଟେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ଭାରତ, ରୁଷିଆ, ଚୀନ୍ ସମେତ ମୋଟ ୧୧ଟି ସଦସ୍ୟ ଦେଶର ପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବେ। ସମ୍ମିଳନୀରେ ବ୍ରିକ୍ସର ଭବିଷ୍ୟତ ଦିଗ ନେଇ ଆଲୋଚନା ହେବ। ଏଭଳି ସମୟରେ ବ୍ରିକ୍ସ ସହ ଭାରତର ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କ କେମିତି ରହିଛି, ଆସନ୍ତୁ ତା’ ଉପରେ ନଜର ପକାଇବା।

ବ୍ରିକ୍ସ ଦେଶଗୁଡ଼ିକର ବାଣିଜ୍ୟରେ ଭାରତ କେଉଁଠି?

ରୁବିକ୍ସ ଡାଟା ସାଇନ୍ସେସର ଏକ ରିସର୍ଚ୍ଚ ରିପୋର୍ଟ ଅନୁସାରେ, ୨୦୨୬ର ପ୍ରଥମ ୬ ମାସରେ ବ୍ରିକ୍ସ ଦେଶଗୁଡ଼ିକର ବାଣିଜ୍ୟ ପୁଣିଥରେ ସୁଧାର ଆସିଛି। ଏହି ୧୧ଟି ଦେଶର ମୋଟ ସାମଗ୍ରୀ ବେପାର ପ୍ରାୟ ୫.୮ ଲକ୍ଷ କୋଟି ଡଲାର ରହିଛି। ଏଥିରେ ପ୍ରାୟ ୩.୨ ଲକ୍ଷ କୋଟି ଡଲାରର ସାମଗ୍ରୀ ରପ୍ତାନି ହୋଇଥିବା ବେଳେ ପ୍ରାୟ ୨.୬ ଲକ୍ଷ କୋଟି ଡଲାରର ସାମଗ୍ରୀ ଆମଦାନି ହୋଇଛି। ରିପୋର୍ଟରେ ବ୍ରିକ୍ସ ଦେଶଗୁଡ଼ିକର ବାଣିଜ୍ୟରେ ଭାରତର ସ୍ଥିତି ନେଇ ମଧ୍ୟ ବିସ୍ତୃତ ତଥ୍ୟ ଦିଆଯାଇଛି।

Also Read- ଧାନ ଚାଷରେ କମିବ ପାଣି ଖର୍ଚ୍ଚ: ଆଇଆଇଟି ମାଡ୍ରାସର ପ୍ରିସିଜନ୍ ଏଗ୍ରିକଲଚର୍ ପ୍ରାଣାଳୀର ହେବ ଚାଷ

ବ୍ରିକ୍ସର ମୋଟ ବାଣିଜ୍ୟ ଚିତ୍ର ଭିତରେ ଦେଶଗୁଡ଼ିକ ମଧ୍ୟରେ ବଡ଼ ପାର୍ଥକ୍ୟ ଦେଖିବାକୁ ମିଳୁଛି। ୨୦୨୬ର ପ୍ରଥମ ଛଅ ମାସରେ ଇରାନର ମୋଟ ବାଣିଜ୍ୟ ୨୨.୮ ପ୍ରତିଶତ ଏବଂ ୟୁଏଇର ବାଣିଜ୍ୟ ୧୦ ପ୍ରତିଶତ ହ୍ରାସ ପାଇଛି। ଅନ୍ୟପକ୍ଷରେ ଚୀନ୍, ଦକ୍ଷିଣ ଆଫ୍ରିକା, ଭାରତ ଓ ରୁଷିଆର ବାଣିଜ୍ୟରେ ବୃଦ୍ଧି ହୋଇଛି। ଚୀନ୍ର ବାଣିଜ୍ୟ ୨୧ ପ୍ରତିଶତ, ଦକ୍ଷିଣ ଆଫ୍ରିକାର ୨୦ ପ୍ରତିଶତ, ଭାରତର ୧୨ ପ୍ରତିଶତ ଏବଂ ରୁଷିଆର ୧୧.୬ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି।

ଭାରତ ପାଇଁ ବ୍ରିକ୍ସ ବଜାରଠାରୁ ବଡ଼ ଯୋଗାଣକାରୀ

ରିପୋର୍ଟରେ ଦିଆଯାଇଥିବା ଛଅ ମାସର ତଥ୍ୟ ଅନୁସାରେ, ଭାରତ ନିଜର ମୋଟ ସାମଗ୍ରୀ ରପ୍ତାନିର ପ୍ରାୟ ୨୦ ପ୍ରତିଶତ ବ୍ରିକ୍ସର ଅନ୍ୟ ୧୦ଟି ଦେଶକୁ ପଠାଇଛି। କିନ୍ତୁ ଏହି ଦେଶଗୁଡ଼ିକରୁ ଭାରତ ନିଜର ମୋଟ ଆମଦାନିର ପ୍ରାୟ ୪୩ ପ୍ରତିଶତ ସାମଗ୍ରୀ ଆମଦାନି କରିଛି। ଅର୍ଥାତ୍ ଭାରତ ପାଇଁ ବ୍ରିକ୍ସ ରପ୍ତାନି ବଜାର କମ ବରଂ ଆମଦାନିର ଏକ ବଡ଼ ଉତ୍ସ ଭାବରେ ପରିଣତ ହୋଇଛି। ଫଳରେ ଭାରତ ବାଣିଜ୍ୟିକ କ୍ଷତି ସହୁଛି।

ଭାରତର ବ୍ରିକ୍ସ ଦେଶଗୁଡ଼ିକରୁ ଆମଦାନି ୧୩.୫ ପ୍ରତିଶତ ବଢ଼ି ୧୭୮ ବିଲିୟନ୍ ଡଲାରରେ ପହଞ୍ଚିଛି। ଅନ୍ୟପକ୍ଷରେ ରପ୍ତାନି ମାତ୍ର ୪.୬ ପ୍ରତିଶତ ବଢ଼ି ୪୮ ବିଲିୟନ୍ ଡଲାର ହୋଇଛି। ପରିଣାମସ୍ୱରୂପ ବ୍ରିକ୍ସ ଦେଶଗୁଡ଼ିକ ସହ ଭାରତର ବାଣିଜ୍ୟ ଘାଟା ୧୭.୨ ପ୍ରତିଶତ ବଢ଼ି ପ୍ରାୟ ୧୩୦ ବିଲିୟନ୍ ଡଲାରରେ ପହଞ୍ଚିଛି।

ବ୍ରିକ୍ସ ବାଣିଜ୍ୟରେ ଚୀନର ଦବଦବା

ଏଠିବି ଚୀନର ପ୍ରଭାବ ରହିଛି। ବ୍ରିକ୍ସରେ ମୋଟ ବାଣିଜ୍ୟକୁ ଦେଖିଲେ ଚୀନ୍ର ପ୍ରଭାବ ସ୍ପଷ୍ଟ ଜଣାପଡ଼ୁଛି। ୨୦୨୬ର ପ୍ରଥମ ଛଅ ମାସରେ ବ୍ରିକ୍ସର ମୋଟ ରପ୍ତାନିରେ ଚୀନ୍ର ଅଂଶ ପ୍ରାୟ ୬୬ ପ୍ରତିଶତକୁ ବଢ଼ିଛି। ସେହିପରି ବ୍ରିକ୍ସର ମୋଟ ଆମଦାନିରେ ଚୀନର ଅଂଶ ପ୍ରାୟ ୫୯ ପ୍ରତିଶତ ରହିଛି। ଏହାର ତୁଳନାରେ ବ୍ରିକ୍ସର ମୋଟ ରପ୍ତାନିରେ ଭାରତର ଅଂଶ ପ୍ରାୟ ୮ ପ୍ରତିଶତ ଏବଂ ଆମଦାନିରେ ଭାରତର ଅଂଶ ପ୍ରାୟ ୧୬ ପ୍ରତିଶତ ରହିଛି। ତେଣୁ ଭାରତର ବ୍ରିକ୍ସ ବାଣିଜ୍ୟରେ ଆମଦାନି ନିର୍ଭରତାକୁ ଦର୍ଶାଉଛି।

Also Read- ନୂଆ ଆଇଫୋନ୍ ଆସିବା ପରେ ପୁରୁଣା ମଡେଲ୍ ମହଙ୍ଗା, ୨୦ ହଜାର ପର୍ଯ୍ୟନ୍ତ ବଢ଼ିଲା ଦାମ

ଭାରତ ଓ ରୁଷିଆ, ଚୀନ୍ର ଭିନ୍ନ ବାଣିଜ୍ୟିକ ସମ୍ପର୍କ

ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ ଛଅ ମାସର ତଥ୍ୟ ଅନୁସାରେ ଚୀନ୍ ନିଜର ସର୍ବାଧିକ ୨୬ ପ୍ରତିଶତ ରପ୍ତାନି ଭାରତକୁ କରିଛି। ଅର୍ଥାତ୍ ଚୀନ୍ ପାଇଁ ଭାରତ ଏକ ବଡ଼ ରପ୍ତାନି ବଜାର। କିନ୍ତୁ ରୁଷିଆ ସହ ଚୀନ୍ର ବାଣିଜ୍ୟିକ ସମ୍ପର୍କର ଚିତ୍ର ଭିନ୍ନ। ଏହି ସମୟରେ ଚୀନ୍ ନିଜର ସର୍ବାଧିକ ୨୮ ପ୍ରତିଶତ ଆମଦାନି ରୁଷିଆରୁ କରିଛି।

ବ୍ରିକ୍ସରେ ଭାରତର ଆଗାମୀ ପ୍ରାଥମିକତା କ’ଣ?

ବ୍ରିକ୍ସ ଦେଶଗୁଡ଼ିକର ବାଣିଜ୍ୟ ପୁଣିଥରେ ବୃଦ୍ଧି ପଥରେ ଫେରୁଥିବା ବେଳେ ଭାରତ ପାଇଁ ଚ୍ୟାଲେଞ୍ଜ କେବଳ ବାଣିଜ୍ୟ ବଢ଼ାଇବାରେ ସୀମିତ ନୁହେଁ। ବାଣିଜ୍ୟର ଗଠନ ଓ ସନ୍ତୁଳନ ମଧ୍ୟ ଭାରତ ପାଇଁ ଏକ ବଡ଼ ପ୍ରସଙ୍ଗ। ବ୍ରିକ୍ସ ମଧ୍ୟରେ ଚୀନର ବଢ଼ୁଥିବା ପ୍ରଭାବ ଏବଂ ଭାରତର ବଢ଼ୁଥିବା ବାଣିଜ୍ୟ ନିଅଣ୍ଟ ଦର୍ଶାଉଛି ଯେ, ଆଗାମୀ ଦିନରେ ନୂଆଦିଲ୍ଲୀ ପାଇଁ ବ୍ରିକ୍ସରେ କେବଳ ବଜାର ପ୍ରବେଶ ବଢ଼ାଇବା ଯଥେଷ୍ଟ ହେବ ନାହିଁ। ବରଂ ବାଣିଜ୍ୟ ସନ୍ତୁଳନ, ରପ୍ତାନି ବୃଦ୍ଧି ଏବଂ ଆମଦାନି ନିର୍ଭରତା କମାଇବା ଭାରତର ପ୍ରମୁଖ ପ୍ରାଥମିକତା ହୋଇପାରେ।