ନୂଆଦିଲ୍ଲୀ: ଭାରତୀୟଙ୍କ ଜୀବନ ସହ ଧାନ ଓ ଭାତର ସମ୍ପର୍କ ବହୁ ପୁରୁଣା। ଧାନ ଚାଷ ପାଇଁ ପାଣିର ଯେ ଆବଶ୍ୟକତା ଅଛି ଏକଥା ଆମେ ସମସ୍ତ ଜାଣନ୍ତି। ହେଲେ ଯଦି ଏହାର ହିସାବ ଦେଖିବା ହୁଏତ ଏହା ଆମ ପାଖରେ ନଥିବ। ଗୋଟିଏ କିଲୋ ଚାଉଳ ହେବା ପାଇଁ କେତେ ଯେ ପାଣି ଖର୍ଚ୍ଚ ହେଉଛି, ତାହା କେବେ ଭାଇଛନ୍ତି ? ଭାରତରେ ଗୋଟିଏ କିଲୋ ଧାନ ଚାଷ ପାଇଁ ହାରାହାରି ୧,୫୦୦ରୁ ୨,୦୦୦ ଲିଟର ପାଣି ଆବଶ୍ୟକ ହୋଇଥାଏ। ପଞ୍ଜାବ ଓ ହରିୟାଣା ଭଳି ରାଜ୍ୟରେ ଭୂତଳ ଜଳ ଉପରେ ଅଧିକ ନିର୍ଭରଶୀଳତା ଯୋଗୁ ଏହି ପରିମାଣ ୨,୨୭୦ରୁ ୨,୬୭୨ ଲିଟର ପର୍ଯ୍ୟନ୍ତ ପହଞ୍ଚିଯାଏ। ଏଥିରୁ ଅନୁମାନ କରନ୍ତୁ ଯେ ମାତ୍ର ଗୋଟିଏ କିଲୋ ଚାଉଳ ପାଇଁ ଆମକୁ କେତେ ପାଣି ଖର୍ଚ୍ଚ କରିବାକୁ ପଡ଼ୁଛି। ଯାହା ଚିନ୍ତାଜନକ ହୋଇପାରେ।

ପାଣି ଖର୍ଚ୍ଚକୁ ଆମେ ଏଥିପାଇଁ ଚିନ୍ତାଜନକ କହୁଛୁ, କାରଣ ଆମ ଦେଶରେ ବର୍ତ୍ତମାନ ଭୟଙ୍କର ଭୂତଜଳ ଅଭାବ ଦେଖା ଦେଲାଣି। ତାଛଡ଼଼ା ଏଆଇରେ ନିବେଶ ଆଗକୁ ଖୁବ୍ ପାଣି ଟାଣିବ। ତେଣୁ ଏବେଠାରୁ ସଜାଗ ହେବା ଜରୁରୀ। ସେଥିପାଇଁ ଧାନ ଚାଷରେ ପାଣି ଖର୍ଚ୍ଚ କମାଇବାକୁ ଆଇଆଇଟି ମାଡ୍ରାସ୍ ଏକ ନୂଆ ପ୍ରକାର ଚାଷ ପଦ୍ଧତି ଉପରେ କାମ କରୁଛି। ଯେଉଁଥିରେ ବହୁତ କମ ପାଣି ଖର୍ଚ୍ଚ ହେବ।

ଏନେଇ ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ପ୍ରଫେସର ଭି. କାମାକୋଟି ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେକୁ କହିଛନ୍ତି ଯେ, ଏହି ପ୍ରତିଷ୍ଠାନ ପ୍ରିସିଜନ୍ ଆଗ୍ରିକଲଚର୍ ବା ସଠିକ୍ କୃଷି ପ୍ରଣାଳୀ ଉପରେ କାମ କରୁଛି। କେମିତି ଅଳ୍ପ ପାଣି ବ୍ୟବହାର କରି ଧାନ ଓ ଆଖୁ ଭଳି ଫସଲ ଉତ୍ପାଦନ କରି ହେବ ତାହା ଏହି ନୂଆ ପଦ୍ଧତିର ମୁଖ୍ୟ ଲକ୍ଷ୍ୟ।

ଧାନ ଚାଷରେ ଏତେ ପାଣି କାହିଁକି?

ଧାନ ଚାଷର ପାରମ୍ପରିକ ପ୍ରଣାଳୀରେ ଜମି ଦୀର୍ଘଦିନ ଧରି ପାଣିରେ ବୁଡ଼ି ରହେ। ଏହା ଧାନ ଗଛକୁ ଆବଶ୍ୟକ ପରିବେଶ ଦେବା ସହ ଅନାବନା ଘାସକୁ ନିୟନ୍ତ୍ରଣ କରିଥାଏ। କିନ୍ତୁ ଏହି ପ୍ରକ୍ରିୟାରେ ବିପୁଳ ପରିମାଣର ପାଣି ଖର୍ଚ୍ଚ ହୁଏ। ଖାଲି ଧାନ କାହିଁକି ଆଖୁ ଚାଷରେ ବି ଅଧିକ ପାଣି ଖର୍ଚ୍ଚ ହୁଏ। ହିସାବ ଦେଖିଲେ ଭାରତର କୃଷି କ୍ଷେତ୍ର ଦେଶର ମୋଟ ପାନୀୟ ଜଳ ବ୍ୟବହାରର ପ୍ରାୟ ୯୦ ପ୍ରତିଶତ ଉପଯୋଗ କରେ। ଏଥିରେ ଧାନ ଓ ଆଖୁ ଭଳି ଅଧିକ ପାଣି ଆବଶ୍ୟକ କରୁଥିବା ଫସଲର ଭୂମିକା ବେଶ୍ ଅଧିକ। ଖାଲି ଭାରତରେ ନୁହେଁ, ବିଶ୍ୱସ୍ତରରେ ମଧ୍ୟ ଧାନ ଚାଷରେ ଅଧିକ ପାଣି ବ୍ୟବହାର କରାଯାଉଛି। ତେବେ ଏହାର ତରିକା ଭାରତ ଭଳି ନହୋଇ ସିଞ୍ଚନ ପ୍ରକ୍ରିୟାରେ କରାଯାଇଥାଏ।

କ’ଣ ଏହି ପ୍ରିସିଜନ୍ ଏଗ୍ରିକଲଚର୍?

ପ୍ରିସିଜନ୍ ଆଗ୍ରିକଲଚରର ମୂଳ ଧାରଣା ହେଉଛି ଫସଲକୁ ଯେତିକି ପାଣି ଦରକାର, ଠିକ୍ ସେତିକି ପାଣି ଦେବା। ଏଥିପାଇଁ ମାଟିରେ ଲଗାଯାଇଥିବା ସେନ୍ସର ମାଟିର ଆର୍ଦ୍ରତା ମାପିବ। ଫଳରେ ଚାଷୀ ଅନୁମାନ ଉପରେ ନିର୍ଭର ନକରି ଜମିକୁ କେତେବେଳେ ପାଣି ଦରକାର, ତାହା ଜାଣିପାରିବେ।

ଏହା ସହ ଡ୍ରିପ୍ ଇରିଗେସନ୍ ବ୍ୟବସ୍ଥା ମାଧ୍ୟମରେ ଜଳକୁ ସିଧାସଳଖ ଗଛର ମୂଳ ପାଖରେ ଅଳ୍ପ ଅଳ୍ପ କରି ପହଞ୍ଚାଇ ଦିଆଯାଇପାରିବ। ଅନ୍ୟପଟେ ସାଟେଲାଇଟ୍ ଓ ଡ୍ରୋନ୍ ଇମେଜିଂ ମାଧ୍ୟମରେ ଜମିର କେଉଁ ଅଞ୍ଚଳର ଫସଲ ଦୁର୍ବଳ ହେଉଛି କିମ୍ବା କେଉଁଠି ଅଧିକ ପାଣି ଆବଶ୍ୟକ, ତାହା ଆଗୁଆ ଚିହ୍ନଟ କରାଯାଇପାରିବ।

Also Read- Ilish missing: ବାଂଲାଦେଶରେ ଇଲିସି ମାଛର ଅଭାବ, ଚାହିଦା ମେଣ୍ଟାଉଛି ଗୁଜରାଟ !

ଧାନ ପାଇଁ ଆଉ ଏକ ବିକଳ୍ପ ପ୍ରଣାଳୀ

ଧାନ ଚାଷରେ ‘Alternate Wetting and Drying(ପରଖିବା ପରେ ଓଦା ଓ ଶୁଖିଲା କରିବା)’ ବା ଏଡବ୍ଲୁଡି ପ୍ରଣାଳୀ ମଧ୍ୟ ଜଳ ବ୍ୟବହାର କମାଇବାର ଏକ ପ୍ରଭାବଶାଳୀ ଉପାୟ। ଏଥିରେ ଜମିକୁ ସବୁବେଳେ ପାଣିରେ ବୁଡ଼ାଇ ରଖାଯାଏ ନାହିଁ। ନିର୍ଦ୍ଦିଷ୍ଟ ସମୟରେ ପାଣି ଦିଆଯାଏ ଏବଂ ମଝିରେ ଜମିକୁ କିଛି ସମୟ ଶୁଖିବାକୁ ଦିଆଯାଏ। ଗବେଷଣା ଅନୁସାରେ, ଏହି ପ୍ରଣାଳୀରେ ଅମଳରେ ପ୍ରଭାବିତ ହେବ ନାହିଁ କିନ୍ତୁ ଧାନ ଚାଷରେ ପାଣି ବ୍ୟବହାର ଉଲ୍ଲେଖନୀୟ ଭାବେ କମାଯାଇପାରିବ।

ଏହା ମିଶନ୍ ପ୍ରବର୍ତ୍ତକର ଏକ ଅଂଶ କି ?

ଆଇଆଇଟି ମାଡ୍ରାସର ପ୍ରିସିଜନ୍ ଆଗ୍ରିକଲଚର୍ ଉଦ୍ୟମ ସହ ମିସନ ପ୍ରବର୍ତ୍ତକର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଆଇଆଇଟିଏମ୍ ପ୍ରବର୍ତ୍ତକ ଟେକ୍ନୋଲୋଜି ଫାଉଣ୍ଡେସନ୍ ହେଉଛି ଆଇଆଇଟି ମାଡ୍ରାସର ଟେକ୍ନୋଲୋଜୀ ଇନୋଭେସନ ହବ। ଏହାକୁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଭାରତ ସରକାରଙ୍କ ଆନ୍ତଃବିଷୟକ ସାଇବର-ଭୌତିକ ସିଷ୍ଟମ ଉପରେ ଜାତୀୟ ମିଶନ୍ (National Mission on Interdisciplinary Cyber-Physical Systems) ଅଧୀନରେ ପାଣ୍ଠି ଯୋଗାଇ ଦିଆଯାଉଛି।

ସେନ୍ସର, ନେଟୱର୍କ ଓ କଣ୍ଟ୍ରୋଲ୍ ସିଷ୍ଟମ୍ ଭଳି ଟେକ୍ନୋଲୋଜୀ ମିଶନ ପ୍ରବର୍ତ୍ତକର କାର୍ଯ୍ୟର ମୁଖ୍ୟ ଅଂଶ। ଏହି ଟେକ୍ନୋଲୋଜୀଗୁଡ଼ିକ ହିଁ ପ୍ରିସିଜନ୍ ଫାର୍ମିଂ ପାଇଁ ଆବଶ୍ୟକ। ଏହାଛଡ଼ା କାନାଡାର ସହଯୋଗୀଙ୍କ ସହ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ପ୍ରିସିଜନ୍ ଆଗ୍ରିକଲଚର୍ ଉପରେ ଯୁଗ୍ମ କର୍ମଶାଳା ମଧ୍ୟ ଆୟୋଜିତ ହୋଇଛି।

ଜଳ ସଙ୍କଟ ମଧ୍ୟରେ ବଡ଼ ଆଶା

ଭାରତ ବିଶ୍ୱର ସବୁଠାରୁ ଅଧିକ ଭୂତଳ ଜଳ ବ୍ୟବହାର କରୁଥିବା ଦେଶ। ଧାନ ଓ ଆଖୁ ଉତ୍ପାଦନ ହେଉଥିବା ଅନେକ ଅଞ୍ଚଳରେ ଭୂତଳ ଜଳସ୍ତର ଲଗାତାର ହ୍ରାସ ପାଉଛି। ଏହା ସହିତ ଜଳବାୟୁ ପରିବର୍ତ୍ତନ ଓ ବଢ଼ୁଥିବା ତାପମାତ୍ରା ଜଳ ସଙ୍କଟକୁ ଆହୁରି ଗମ୍ଭୀର କରୁଛି।

ତେଣୁ ପ୍ରିସିଜନ୍ ଫାର୍ମିଂ କେବଳ ଆଧୁନିକ କୃଷି ଟେକ୍ନୋଲୋଜୀ ନୁହେଁ, ବରଂ ଭାରତର ଖାଦ୍ୟ ସୁରକ୍ଷା ଓ ଜଳ ସୁରକ୍ଷା ପାଇଁ ମଧ୍ୟ ଏକ ବଡ଼ ଆବଶ୍ୟକତା। ଆଇଆଇଟି ମାଡ୍ରାସର ସେନ୍ସର, ଡାଟା ସାଇନ୍ସ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ଇଞ୍ଜିନିୟରିଂ କ୍ଷମତା ଯଦି ଚାଷ ଜମିରେ ପହଞ୍ଚେ, ତେବେ ଏହାର ସଫଳତା କେବଳ ଗବେଷଣା ପତ୍ରରେ ନୁହେଁ, ବରଂ ଦେଶର ଜଳସ୍ତର ଓ ଚାଷୀଙ୍କ ଜୀବନରେ ଦେଖିବାକୁ ମିଳିପାରେ। ଭବିଷ୍ୟତରେ ଆଇଆଇଟି ମାଡ୍ରାସରୁ କେବଳ ନୂଆ କମ୍ପ୍ୟୁଟିଂ ଟେକ୍ନୋଲୋଜି ନୁହେଁ, ବରଂ କମ୍ ପାଣିରେ ଅଧିକ ଧାନ ଉତ୍ପାଦନ କରୁଥିବା ଏକ ନୂଆ କୃଷି ପ୍ରଣାଳୀ ମଧ୍ୟ ଆସିପାରେ।

Also Read- ଆମେରିକାରେ ଭାରତୀୟ ବଂଶୋଦ୍ଭବ ବିଲିଅନେୟାରଙ୍କ ପତିଆରା, ଫୋର୍ବ୍ସ ତାଲିକାରେ ୧୯ ଭାରତୀୟ