ମୁମ୍ବାଇ: ବମ୍ବେ ହାଇକୋର୍ଟ ମୁମ୍ବାଇ କ୍ରିକେଟ୍ ଆସୋସିଏସନ (ଏମସିଏ) ପରିସରରେ ଥିବା ୫ଟି ରେଷ୍ଟୁରାଣ୍ଟଙ୍କ ଖାଦ୍ୟ ଲାଇସେନ୍ସ ରଦ୍ଦ ମାମଲାରେ ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ)ଙ୍କୁ ତାଗିଦ୍ କରିଛନ୍ତି। କୋର୍ଟ ଖାଦ୍ୟ ଲାଇସେନ୍ସ ନିଲମ୍ବନକୁ ରଦ୍ଦ କରି ରେଷ୍ଟୁରାଣ୍ଟଗୁଡିକୁ ଦ୍ୱିତୀୟବାର ଖୋଲିବାକୁ ଅନୁମତି ଦେଇଛନ୍ତି। ହାଇକୋର୍ଟଙ୍କ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ରବିନ୍ଦ୍ର ଧୁଗେ ଓ ଜଷ୍ଟିସ୍ ଗୌତମ ଅଖଣ୍ଡଙ୍କ ଡିଭିଜନ ବେଞ୍ଚ ଟିପ୍ପଣୀ କରିଛନ୍ତି ଯେ ବିଭାଗ ଓ ଅଧିକାରୀଙ୍କୁ ବାରମ୍ବାର ତାଗିଦ୍ ସତ୍ତ୍ୱେ ଏଫଡିଏ କୋର୍ଟଙ୍କ ପୁନର୍ବିଚାର ନିର୍ଦ୍ଦେଶକୁ ଅଣାଦେଖା କରୁଛି ।

ଖଣ୍ଡପୀଠ କହିଛନ୍ତି ଯେ ବିଭାଗ ବ୍ୟବହାରିକ ଦୃଷ୍ଟିକୋଣ ପରିବର୍ତ୍ତେ ସଂକିର୍ଣ୍ଣ ବିଚାର କରୁଛନ୍ତି। ଏଣୁ କୋର୍ଟ ଅନ୍ତତଃ ନିଲମ୍ବନ ନିର୍ଦ୍ଦେଶ ରଦ୍ଦ କରିଦେଇଥିବା ବେଳେ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (ବିସିଏ)ର ଏମସିଏ ପରିସରରେ ଥିବା ୫ ରେଷ୍ଟୁରାଣ୍ଟଙ୍କୁ ଖୋଲିବାକୁ ଅନୁମତି ମିଳି ଯାଇଛି। କଥିତ ସ୍ୱଚ୍ଛତା ଉଲ୍ଲଂଘନ ଓ ଥାର୍ଡ ପାର୍ଟି ସଞ୍ଚାଳନର ଉଦାହରଣ ଦେଇ ଲାଇସେନ୍ସ ନିଲମ୍ବନ କରିଥିବା ଏଫଡିଏ ନିଷ୍ପତ୍ତିକୁ ଏମସିଏ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ତେବେ ଗୁରୁବାର ନିରୀକ୍ଷଣ କାଳରେ ଭୋଜନାଳୟ ଖାଦ୍ୟ ସୁରକ୍ଷା ମାନକର ୮୮% ପର୍ଯ୍ୟନ୍ତ ପାଳନ କରିଥିବା ଦେଖା ଯାଇଥିଲା। ଏହା ସତ୍ତ୍ୱେ ଏଫଡିଏ ନିଲମ୍ବନ ହଟାଇବାକୁ ଅସ୍ୱୀକାର କରିଦେଇଥିଲେ।

ବିଭାଗର ତର୍କ ଥିଲା ଯେ ଲାଇସେନ୍ସ ଏମସିଏକୁ ମଞ୍ଜୁର କରାଯାଇଥିଲା। ତେବେ ସେଠାରେ ମେସର୍ସ ଶିରକେ ଇନଫ୍ରାଷ୍ଟ୍ରକ୍ଚର ରେଷ୍ଟୁରାଣ୍ଟ ସଞ୍ଚାଳନ କରୁଥିଲେ। ଶନିବାର ଶୁଣାଣି କାଳରେ ଏଫଡିଏ କୋର୍ଟଙ୍କୁ କହିଛନ୍ତି ଯେ ଏମସିଏକୁ ଏକ ନୂଆ ନୋଟିସ୍ ଜାରି କରାଯିବ, ଯାହାଦ୍ୱାରା ଏମସିଏକୁ ଶିରକେ ଇନଫ୍ରାଷ୍ଟ୍ରକ୍ଚର ସହିତ କଣ୍ଟ୍ରାକ୍ଟ ବୁଝାମଣାକୁ ନେଇ ପକ୍ଷ ରଖିବାକୁ ସୁଯୋଗ ମିଳିବ। ଏହା ପରେ ହିଁ କୌଣସି ତର୍କ ସଙ୍ଗତ ଆଦେଶ ଜାରି କରାଯାଇ ପାରିବ।

ତେବେ ଏଫଡିଏର ତର୍କଉପରେ ହାଇକୋର୍ଟ କଡ଼ା ଟିପ୍ପଣୀ କରିଛନ୍ତି, କହିଛନ୍ତି ଯେ ‘ଆଇନରେ ଏପରି କୌଣସି ପ୍ରାବଧାନ ନାହିଁ ଯେଉଁଥିରେ ଏହାକୁ ପ୍ରତିବନ୍ଧିତ କରୁଛି। ତୁମେ କଣ ନିଜକୁ ଭଗବାନ ଭାବୁଛ? ସିଧା ଜେଲକୁ ପଠାଇ ଦେବୁ’ ବୋଲି ଖଣ୍ଡପୀଠ କହିଛନ୍ତି।