ମୁମ୍ବାଇ: ବଲିଉଡର ଅଭିନେତ୍ରୀମାନେ କେବଳ ରୁପେଲି ପରଦାରେ ନିଜ ଦବଦବା ଜାହିର କରୁନାହାନ୍ତି, ବରଂ ଧନ-ସମ୍ପତ୍ତି କ୍ଷେତ୍ରରେ ମଧ୍ୟ ବଡ଼ ନାମ ହାସଲ କରିଛନ୍ତି । ଆଜି ଏହି ଅଭିନେତ୍ରୀମାନେ କେବଳ ଫିଲ୍ମ ଉପରେ ନିର୍ଭରଶୀଳ ନୁହନ୍ତି; ସ୍ମାର୍ଟ ଇନଭେଷ୍ଟମେଣ୍ଟ, ଲାଭଜନକ ବ୍ରାଣ୍ଡ ଡିଲ୍ ଓ ସଫଳ ବ୍ୟବସାୟ ମାଧ୍ୟମରେ ନିଜ ଆୟର ପରିସରକୁ ଆହୁରି ବଢ଼ାଇଛନ୍ତି। ତେବେ ବଲିଉଡର ଏହି ଧନୀ ଅଭିନେତ୍ରୀମାନେ କିଏ ଏବଂ ସେମାନଙ୍କ ସମ୍ପତ୍ତି କେତେ ? ତେବେ ଏହି ତାଲିକାରେ ସର୍ବପ୍ରଥମେ ଜୁହି ଚାୱଲାଙ୍କ ଆନୁମାନିକ ସମ୍ପତ୍ତି ୮,୦୦୦ କୋଟି ଟଙ୍କା ଥିବା ନେଇ ଚର୍ଚ୍ଚା ହେଉଛି । ତାଙ୍କ ବ୍ୟବସାୟିକ କାର୍ଯ୍ୟକଳାପ ଓ ନିବେଶ ତାଙ୍କ ଆର୍ଥିକ ସାମ୍ରାଜ୍ୟର ଏକ ବଡ଼ ଅଂଶ ବୋଲି କୁହାଯାଏ। ଏହା ସହିତ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଭଳି ଅଭିନେତ୍ରୀମାନେ ମଧ୍ୟ ଅଭିନୟ ବ୍ୟତୀତ ବିଭିନ୍ନ ବ୍ରାଣ୍ଡ ଆମ୍ବାସଡର , ନିବେଶ ଓ ବ୍ୟବସାୟ ଜରିଆରେ ବିପୁଳ ସମ୍ପତ୍ତିର ଅଧିକାରୀ ହୋଇଛନ୍ତି ।

୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଜୁହି ଚାୱଲା ଏହି ତାଲିକାର ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି। ଅଭିନୟ ସହିତ ବ୍ୟବସାୟ ଓ ନିବେଶରେ ସେ ଦୀର୍ଘଦିନରୁ ଜଡ଼ିତ ଅଛନ୍ତି । ବିଶେଷକରି କ୍ରିକେଟ୍ ଫ୍ରାଞ୍ଚାଇଜି ଓ ମନୋରଞ୍ଜନ ବ୍ୟବସାୟ ସହ ତାଙ୍କ ସମ୍ପର୍କ ବହୁତ ଭଲ ରହିଛି। କିଛି ରିପୋର୍ଟରେ ତାଙ୍କ ନେଟ୍ ୱର୍ଥ ପ୍ରାୟ ୮,୦୦୦ କୋଟି ଟଙ୍କା ବୋଲି ଦାବି କରାଯାଇଛି। ତେବେ ଏହି ଆକଳନରେ ପାରିବାରିକ ତଥା ବ୍ୟବସାୟିକ ସମ୍ପତ୍ତି କେତେ ରହିଛି ତାହା ସ୍ପଷ୍ଟ ଭାବେ ଜଣାନାହିଁ । ପୂର୍ବତନ ମିସ୍ ୱାର୍ଲ୍ଡ ତଥା ୱାର୍ଲ୍ଡ ଆଇକନ୍ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଭାରତର ସବୁଠାରୁ ପରିଚିତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସିନେମା ସହିତ ବିଭିନ୍ନ ଅନ୍ତର୍ଜାତୀୟ ବ୍ରାଣ୍ଡ କୋଲାବରେସନ ଓ ନିବେଶ ତାଙ୍କ ଆୟର ପ୍ରମୁଖ ଉତ୍ସ ଅଟେ । ବର୍ତ୍ତମାନ ତାଙ୍କ ଆନୁମାନିକ ମୋଟ ସମ୍ପତ୍ତି ହେଉଛି ୯୦୦ କୋଟି ଟଙ୍କା। ପ୍ରିୟଙ୍କା ଚୋପ୍ରା ଜୋନାସ ବଲିଉଡ୍ ସହ ହଲିଉଡରେ ମଧ୍ୟ ନିଜର ଦୃଢ଼ ପରିଚୟ ସୃଷ୍ଟି କରିଛନ୍ତି। ଅଭିନୟ ବ୍ୟତୀତ ପ୍ରଡକ୍ସନ, ବ୍ରାଣ୍ଡ ଡିଲ୍ ଓ ବ୍ୟବସାୟିକ ନିବେଶ ତାଙ୍କ ସମ୍ପତ୍ତିର ମୁଖ୍ୟ ଅଂଶ। ତାଙ୍କ ନେଟ୍ ୱର୍ଥ ନେଇ ବିଭିନ୍ନ ରିପୋର୍ଟରେ ଭିନ୍ନ ଭିନ୍ନ ଆକଳନ ଦେଖିବାକୁ ମିଳେ।

ସେଭଳି ଦୀପିକା ପାଦୁକୋନ ମଧ୍ୟ ବଲିଉଡ୍ର ଅନ୍ୟତମ ସଫଳ ଅଭିନେତ୍ରୀ। ନିଜ ପାରିଶ୍ରମିକ ସହିତ ବ୍ରାଣ୍ଡ ଆମ୍ବାସଡର , ବ୍ୟବସାୟ ଓ ନିବେଶ ତାଙ୍କ ଆୟକୁ ମଜବୁତ କରିଛି। ତାଙ୍କ ଆନୁମାନିକ ସମ୍ପତ୍ତି ମଧ୍ୟ ୫୦୦ କୋଟି ଟଙ୍କାରେ ବୋଲି ବିଭିନ୍ନ ରିପୋର୍ଟ ଦାବି କରେ। ବଲିଉଡର 'ବେବୋ' ବୋଲାଉଥିବା କରୀନା କପୁର ଖାନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ହିନ୍ଦୀ ସିନେମାର ଅଗ୍ରଣୀ ଅଭିନେତ୍ରୀ ଭାବେ ପରିଚିତ । ଫିଲ୍ମ, ବିଜ୍ଞାପନ ଓ ବିଭିନ୍ନ ବ୍ୟବସାୟିକ ସହଭାଗିତା ତାଙ୍କ ଆୟର ମୁଖ୍ୟ ଉତ୍ସ ପାଲଟିଥିବାବେଳେ ତାଙ୍କ ମୋଟ ଆନୁମାନିକ ସମ୍ପତ୍ତି ହେଉଛି ୪୮୫ କୋଟି ଟଙ୍କା । ଅନ୍ୟପଟେ କପୁର ବଂଶର ବୋହୁ ଆଲିଆ ଭଟ୍ଟଙ୍କ କଥା ଯଦି କହିବା ତେବେ ସେ ମଧ୍ୟ କିଛି କମରେ ନାହାନ୍ତି | ଆଲିଆ ଭଟ୍ଟ ନିଜ କ୍ୟାରିୟରରେ ଖୁବ କମ୍ ବୟସରେ ବଲିଉଡ୍ର ସବୁଠାରୁ ସଫଳ ଅଭିନେତ୍ରୀ ଭାବେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ଅଭିନୟ ବ୍ୟତୀତ ତାଙ୍କ ନିଜସ୍ୱ ଫ୍ୟାଶନ୍ ଓ ଲାଇଫଷ୍ଟାଇଲ ବ୍ୟବସାୟ ମଧ୍ୟ ରହିଛି। ତେବେ ଆଲିଆଙ୍କ କଥା ଯଦି କହିବା ତାଙ୍କ ପାଖରେ ଏବେ ମୋଟ ସମ୍ପତ୍ତିର ଆନୁମାନିକ ମୂଲ୍ୟ ରହିଛି ୫୫୦ କୋଟି ଟଙ୍କା ।

ଭାରତୀୟ ବ୍ୟାଟର ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଅଭିନୟ ଦୁନିଆ ଛାଡି ସାରିଥିଲେ ସୁଦ୍ଧା ବିଭିନ୍ନ ପ୍ରଡକ୍ସନ ଓ ଫ୍ୟାଶନ୍ ବ୍ୟବସାୟରେ ଏବେବି ବି ଜଡ଼ିତ ଅଛନ୍ତି । ତାଙ୍କ ଦୀର୍ଘ ଅଭିନୟ କ୍ୟାରିୟର ଓ ବ୍ୟବସାୟିକ ପ୍ରକଳ୍ପଗୁଡ଼ିକ ତାଙ୍କ ସମ୍ପତ୍ତିରେ ଅନେକ ଯୋଗଦାନ ରହିଛି । ଅଭିନୟ ଜଗତ ଛାଡିବା ପରେ ମଧ୍ୟ ତାଙ୍କ ମୋଟ ସମ୍ପତ୍ତି ରହିଛି ୨୫୫ କୋଟି ଟଙ୍କା । ତେବେ ବଲିଉଡ୍ର ଏହି ଲୋକପ୍ରିୟ ଅଭିନେତ୍ରୀମାନେ କେବଳ ନିଜ ଅଭିନୟ ଦକ୍ଷତାରେ ଦର୍ଶକଙ୍କ ମନ ଜିଣିନାହାନ୍ତି, ବରଂ ନିଜର ବ୍ୟବସାୟ, ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଓ ନିବେଶ ଜରିଆରେ ମଧ୍ୟ କୋଟି କୋଟି ଟଙ୍କାର ସମ୍ପତ୍ତି ଗଢ଼ିଛନ୍ତି। ତାଙ୍କ ଆୟ ଓ ସମ୍ପତ୍ତିକୁ ନେଇ ବିଭିନ୍ନ ରିପୋର୍ଟରେ ଭିନ୍ନ ଭିନ୍ନ ଆକଳନ ଦେଖିବାକୁ ମିଳେ। ଆଗାମୀ ଦିନରେ ଏହି ତାରକାମାନଙ୍କ ସମ୍ପତ୍ତି ଓ ବ୍ୟବସାୟିକ ସାମ୍ରାଜ୍ୟ ଆହୁରି କେତେ ବଢ଼ିବ, ତାହା ଦେଖିବା ନିଶ୍ଚିତ ଭାବେ ରୋଚକ ହେବ।