ବଲାଙ୍ଗୀର: କୁଖ୍ୟାତ ଅପରାଧୀ ବବ୍ଲୁ ମହାନନ୍ଦଙ୍କ ପରିବାରରେ ଏବେ ଦେଖାଦେଇଛି ଭୀଷଣ ଗୋଷ୍ଠୀ କନ୍ଦଳ। ସ୍ୱାମୀ ଜେଲ୍ରେ ଥିବା ବେଳେ ଶାଶୂଘର ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ବବ୍ଲୁଙ୍କ ସ୍ତ୍ରୀ ଗୀତାଞ୍ଜଳି ମହାନନ୍ଦ। ସୁନା ଗହଣା ଫେରସ୍ତକୁ ନେଇ ସମ୍ପର୍କୀୟମାନେ ତାଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଥାନାରୁ କୌଣସି ସାହାଯ୍ୟ ନମିଳିବାରୁ ଶେଷରେ ନ୍ୟାୟ ପାଇଁ ବଲାଙ୍ଗୀର ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା।

ସୁନା ଗହଣାକୁ ନେଇ କନ୍ଦଳ

ଘଟଣାନୁସାରେ, ବଲାଙ୍ଗୀର ସହରର ଆଲୋକ ନଗର ପଡ଼ାରେ ରହୁଥିବା ଗୀତାଞ୍ଜଳିଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ନଣନ୍ଦ ମାନି ମହାନନ୍ଦ କିଛିଦିନ ପାଇଁ ତାଙ୍କଠାରୁ ୧୮ ଭରିରୁ ଅଧିକ ସୁନା ଗହଣା ନେଇଥିଲେ। ମାତ୍ର ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ବି ସେହି ଗହଣା ଫେରାଇ ନଥିଲେ। ଏହାକୁ ନେଇ ଗୀତାଞ୍ଜଳିଙ୍କ ସ୍ୱାମୀ ବବ୍ଲୁ ପ୍ରତିବାଦ କରିବାରୁ ଭଉଣୀ ମାନି ନିଜ ଭାଇକୁ ମାଡ଼ ମାରିବା ସହ ମିଛ କେସ୍ରେ ଫସାଇ ଜେଲ୍ ପଠାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି।

ମାଡ଼ ସହ ଜୀବନରୁ ମାରିଦେବାକୁ ଧମକ

ସ୍ୱାମୀ ଜେଲ୍ଯିବା ପରେ ଗୀତାଞ୍ଜଳି ନିଜର ସୁନା ଗହଣା ଫେରସ୍ତ ମାଗିବାରୁ ଶାଶୂଘର ଲୋକେ ତାଙ୍କୁ ମାରପିଟ୍ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ଏନେଇ ସେ ପ୍ରଥମେ ଲକ୍ଷ୍ମୀଜୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଥାନା ଅଧିକାରୀ କୌଣସି ପଦକ୍ଷେପ ନନେବାରୁ ସେ ବାଧ୍ୟ ହୋଇ ଏସ୍ପିଙ୍କ ନିକଟରେ ଆବେଦନ କରି ପୁଲିସ ଆକ୍ସନ୍ ଓ ନିଜର ସୁରକ୍ଷା ଦାବି କରିଛନ୍ତି।

ସୂଚନାଯୋଗ୍ୟ, ବବ୍ଲୁ ମହାନନ୍ଦଙ୍କ ନାମରେ ପୂର୍ବରୁ ଅନେକ ସଙ୍ଗୀନ ମାମଲା ରହିଛି ଏବଂ ପୁଲିସ ପୂର୍ବରୁ ତାଙ୍କୁ ଏନ୍କାଉଣ୍ଟର ମଧ୍ୟ କରିଥିଲା। ଏବେ କୁଖ୍ୟାତ ଅପରାଧୀଙ୍କ ଘରେ ଏଭଳି ପାରିବାରିକ ଓ ଆର୍ଥିକ ବିବାଦ ସହରସାରା ଚର୍ଚ୍ଚାର ବିଷୟ ପାଲଟିଛି।