Boat capsized in the Andaman Sea: ଆଣ୍ଡାମାନ ସାଗରରେ ଡଙ୍ଗା ବୁଡ଼ି ୨୫୦ ଜଣ ନିଖୋଜ ହୋଇଯାଇଛନ୍ତି। ଏହି ଡଙ୍ଗାଟି ରୋହିଙ୍ଗ୍ୟା ଶରଣାର୍ଥୀ ଏବଂ ବାଂଲାଦେଶୀ ନାଗରିକଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ମଝି ସମୁଦ୍ରରେ ବୁଡି ଯାଇଥିଲା। ଏଥିରେ ନାରୀ ପୁରୁଷ ଓ ଶିଶୁଙ୍କ ସମେତ ମୋଟ ୨୫୦ ଜଣ ନିଖୋଜ ଥିବା ଆଶଙ୍କା କରାଯାଉଛି। ଏନେଇ ମଙ୍ଗଳବାର ଜାତିସଂଘ ସୂଚନା ଦେଇଛି।

ଜାତିସଂଘର ଶରଣାର୍ଥୀ ଉଚ୍ଚାୟୁକ୍ତ (UNHCR) ଏକ ବିବୃତ୍ତି ଜାରି ଏହି ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି "ଦକ୍ଷିଣ ବାଂଲାଦେଶର ଟେକନାଫରୁ ବାହାରି ମାଲେସିଆ ଯାଉଥିବା ଟ୍ରଲରଟି ପ୍ରବଳ ପବନ, ସମୁଦ୍ର ଅଶାନ୍ତ ଏବଂ ଅଧିକ ଲୋକ ଥିବାରୁ ବୁଡ଼ି ଯାଇଥିବା ଜଣାପଡ଼ିଛି।"

ଅଧିକାରୀଙ୍କ ସୂଚନା ଅନୁଯାୟୀ, ଟ୍ରଲରଟି ଟେକନାଫରୁ ଯାତ୍ରା ଆରମ୍ଭ କରିଥିଲା। ଯାହା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ ଏକ ପ୍ରମୁଖ ପରିବହନ ସ୍ଥାନ। ଭଲ ସୁଯୋଗ ଖୋଜିବା ଆଶାରେ ଶରଣାର୍ଥୀମାନେ ଏହିଠାରୁ ହିଁ ବିପଦପୂର୍ଣ୍ଣ ସମୁଦ୍ର ଯାତ୍ରା କରିଥାନ୍ତି।

Also Read- ଛତିଶଗଡ଼ରେ ବଡ଼ ଦୁର୍ଘଟଣା: ପାଓ୍ବାର ପ୍ଲାଣ୍ଟ୍ର ବଏଲର ଫାଟି ଏକାଧିକ ଶ୍ରମିକ ମୃତ, ୪୦ ଗୁରୁତର

ଲୋକଙ୍କୁ ବଞ୍ଚାଇଲା ବାଂଲାଦେଶୀ ତଟରକ୍ଷୀ ବାହିନୀ

ଏନେଇ ବାଂଲାଦେଶ ତଟରକ୍ଷୀ ବାହିନୀ ପକ୍ଷରୁ ମଧ୍ୟ ଅପଡେଟ୍ ଖବର ସାମ୍ନାକୁ ଆସିଛି। ବାଂଲାଦେଶର ଏକ ଜାହାଜ ଆଣ୍ଡାମାନ ଉପକୂଳରେ ଲୋକଙ୍କୁ ସମୁଦ୍ରରେ ଭାସୁଥିବାର ଦେଖିଥିଲା ବୋଲି କହିଛି। ବାଂଲାଦେଶୀ ତଟରକ୍ଷୀ ବାହିନୀର ସୂଚନା ଅନୁସାରେ, ଏକ ବାଂଲାଦେଶ ପତାକାଧାରୀ ଜାହାଜ, ଏମ୍ଟି ମେଘନା ପ୍ରାଇଡ୍, ଏପ୍ରିଲ ୯ ତାରିଖ ଦିନ ଗୋଟାଏ ସମୟରେ ଚାଟୋଗ୍ରାମରୁ ଇଣ୍ଡୋନେସିଆ ଯାଉଥିଲା। ଏହି ସମୟରେ ଆଣ୍ଡାମାନ ଦ୍ୱୀପପୁଞ୍ଜ ନିକଟରେ ଗଭୀର ସମୁଦ୍ର ଜଳରେ ଏକାଧିକ ଲୋକ ଭାସୁଥିବା ଦେଖିବାକୁ ପାଇଥିଲା।

ଉଦ୍ଧାର ହେଲେ ୯ ଜଣ

ଏହି ଘଟଣା ପରେ ଜାହାଜର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନେ ୯ ଜଣ ବାଂଲାଦେଶୀ ନାଗରିକଙ୍କୁ ଉଦ୍ଧାର କରିଥିଲେ। ଯେଉଁଥିରେ ୮ ଜଣ ପୁରୁଷ ଏବଂ ଜଣେ ମହିଳାଙ୍କ ଜୀବନ ବଞ୍ଚି ଯାଇଥିଲା। ପରେ, ରାତି ପ୍ରାୟ ୨ଟା ସମୟରେ, ଉଦ୍ଧାର ହୋଇଥିବା ବ୍ୟକ୍ତିମାନଙ୍କୁ ଗଭୀର ଜଳରେ ପାଟ୍ରୋଲିଂ କରୁଥିବା ତଟରକ୍ଷୀ ବାହିନୀ ଜାହାଜ ମନସୁର ଅଲିକୁ ହସ୍ତାନ୍ତର କରାଯାଇଥିଲା। ତେବେ ଜାହଜରେ କେତେ ଲୋକ ଥିଲେ, କେତେ ଲୋକଙ୍କ ମୃତ୍ୟୁ ହୋଇଛି ସେ ନେଇ ପ୍ରକୃତରେ କୌଣସି ତଥ୍ୟ ସାମ୍ନାକୁ ଆସି ନାହିଁ।

Also Read- Trump Speaks to Modi: ପିଏମ ମୋଦୀଙ୍କ ସହ ୪୦ ମିନିଟ୍ କଥା ହେଲେ ଆମେରିକା ରାଷ୍ଟ୍ରପତି