ଭୁବନେଶ୍ବର ୧୪।୮: ବନ୍ୟାକୁ ନେଇ ‘ଏକ୍ସ’ରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପୋଷ୍ଟକୁ କଟାକ୍ଷ କଲା ବିଜେପି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ କହିଲେ, ବର୍ଷା କାରଣରୁ ରାଜ୍ୟର ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ବନ୍ୟା ଆସିବା ପରେ ସରକାର ନିରନ୍ତର ଭାବେ ଏହାକୁ ପରିଚାଳନା କରୁଛନ୍ତି । ମୁଖ୍ୟମନ୍ତ୍ରୀ, ରାଜସ୍ଵ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀମଣ୍ଡଳର ତମାମ ସଦସ୍ୟ, ବିଧାୟକ ଓ ସାଂସଦ ମାନେ ବିଭିନ୍ନ ଅଞ୍ଚଳ ବୁଲୁଛନ୍ତି । ସରକାରୀ ସୁବିଧାକୁ ଶୀଘ୍ର ପହଞ୍ଚାଇବା କାମରେ ଲାଗିଛନ୍ତି ।

ହେଲେ ବିରୋଧୀ ଦଳ ନେତା କ’ଣ କରୁଛନ୍ତି । କେବଳ ଘରେ ବସି କୌଣସି ଜିନିଷ ଅନୁଧ୍ୟାନ ନ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦେଲେ କାମ ସରିବ ନାହିଁ । ବିରୋଧୀ ଦଳ ନେତା ଭାବରେ ତାଙ୍କର ମଧ୍ୟ ରାଜ୍ୟବାସୀଙ୍କ ପାଇଁ ଦାୟିତ୍ବ ଅଛି । ସେ ଲୋକଙ୍କ ପାଖରେ ଠିଆ ହେବା କଥା । ହେଲେ ତାହା କଲେ ନାହିଁ । ଏ ବର୍ଷ ବାରମ୍ବାର ବନ୍ୟା ଆସିବା ପରେ ମଧ୍ୟ ସେ ଘରୁ ବାହାରି ନାହାନ୍ତି । କୌଣସି ଆଡେ ନ ଯାଇ କେବଳ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କାମ ସାରିବାକୁ ଚେଷ୍ଟା କରୁଛନ୍ତି । ଏଭଳି ଚଞ୍ଚକତାକୁ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ ବୋଲି ବିରଞ୍ଚି ତ୍ରିପାଠୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ‘ଏକ୍ସ’ରେ ବିରୋଧୀ ଦଳ ନେତା ଲେଖିଥିଲେ ଯେ, ବର୍ଷା ପାଇଁ ସ୍ମାର୍ଟ ସିଟି ରାଉରକେଲାର ସହରାଞ୍ଚଳରେ ଦେଖାଦେଇଥିବା ଜଳବନ୍ଦୀ ସ୍ଥିତି ଗମ୍ଭୀର ଚିନ୍ତାର ବିଷୟ । ସହରବାସୀଙ୍କ ଧନଜୀବନ ପ୍ରତି ଏହା ବିପଦ ସୃଷ୍ଟି କରିଥିବା ବେଳେ, ସରକାରଙ୍କ ଅପାରଗତା ଲୋକଙ୍କୁ ଅଧିକ ଭୟଭୀତ କରୁଛି। ସହରୀ ବନ୍ୟାରେ ଲୋକେ ଦୀର୍ଘ ଦିନ ଧରି ଜଳବନ୍ଦୀ ଜୀବନ ବଞ୍ଚୁଛନ୍ତି । ସରକାରୀ ସୁବିଧା ସେମାନଙ୍କ ନିକଟରେ ପହଞ୍ଚୁ ନଥିବାର ମଧ୍ୟ ଅଭିଯୋଗ ଆସୁଛି । ଏପରି ଅସମୟରେ ଲୋକଙ୍କ ସାଥିରେ ସରକାର ଦୃଢ଼ ଭାବେ ଠିଆ ହେବା ବଦଳରେ ଲୋକଙ୍କ ହାତ ଛାଡ଼ିଦେଇଥିବା ପରି ମନେ ହେଉଛି । ଲୋକଙ୍କ କଥା ନ ଶୁଣି, ଲୋକଙ୍କ ସମସ୍ୟା ସମାଧାନ ନ କରି ସରକାର ଖାଲି ଦିବା ସ୍ୱପ୍ନ ଦେଖାଉଛନ୍ତି ।

Also Read:- ଗାଁ ମଝିରେ ମଦ ଦୋକାନ ଖୋଲାଇ ଦେବୁନି.. ଅଠରନଳାରେ ଗ୍ରାମବାସୀଙ୍କ ଆନ୍ଦୋଳନ, ଅଟକିଲା ଶହ ଶହ ଗାଡ଼ି

ହକି ବିଶ୍ୱକପ ଆୟୋଜନ କରି ଯେଉଁ ରାଉରକେଲା ସ୍ମାର୍ଟ ସିଟି ଗୌରବ ଆଣିଥିଲା, ଏବେ ସେହି ସହର ଜଳବନ୍ଦୀ ହୋଇ ଅପବାଦ ମୁଣ୍ଡାଉଛି । ପୂର୍ବରୁ ଏପରି ସ୍ଥିତି କେବେ ଦେଖା ଦେଇନଥିବା ବେଳେ ଏବେ ସ୍ମାର୍ଟ ସିଟିର ଡ୍ରେନେଜ୍ ଓ ସ୍ବେରେଜ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଦିନେ ବଡ଼ ବଡ଼ ପ୍ରାକୃତିକ ବିପର୍ଯ୍ୟୟର ଦୃଢ଼ ମୁକାବିଲା କରି ଓଡ଼ିଶା ସୁନାମ ସାଉଁଟୁଥିଲା, ହେଲେ ଏ ସରକାର ସହରାଞ୍ଚଳରେ ବର୍ଷା ଜଳ ପରିଚାଳନାରେ ମଧ୍ୟ ବିଫଳ ହେଉଛନ୍ତି । ପ୍ରତିଟି ଜୀବନ ମୂଲ୍ୟବାନ, ସରକାର ତୁରନ୍ତ ପ୍ରାଥମିକତା ଭିତ୍ତିରେ ଜଳବନ୍ଦୀରେ ଲୋକଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଅନ୍ତୁ ।

Watch Video: