ଭୁବନେଶ୍ୱର ୨୦।୦୯ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ ପ୍ରଦୀପ ପୁରୋହିତ । କୁମୁଦିନାଲାରେ ଆନିକଟ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପ ପୁରୋହିତଙ୍କ ଦାବି କରିଛନ୍ତି ।

ସେ ଆହୁରି ମଧ୍ୟ ଚିଠିରେ ଲେଖିଛନ୍ତି ଯେ, ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳର ସିଂହନପୁର ନିକଟ କୁମୁଦିନାଲା ଉପରେ ଏକ ଆନିକଟ/ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ। ଏନେଇ ସାଂସଦ ଶ୍ରୀ ପୁରୋହିତ ଅଗଷ୍ଟ ୨୬, ୨୦୨୬ରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ ସିଂହନପୁର, ପୋ-କରିକେଲ, ଥାନା-ପଦ୍ମପୁର ଅଞ୍ଚଳର ଗ୍ରାମବାସୀଙ୍କ ପକ୍ଷରୁ ମିଳିଥିବା ଅଭିଯୋଗ ଓ ଦାବି ସମ୍ପର୍କରେ ଅବଗତ କରାଯାଇଛି।

କୁମୁଦିନାଲା ନଦୀ ନିକଟବର୍ତ୍ତୀ ପ୍ରାୟ ୩ଟି ଗ୍ରାମର ପ୍ରାୟ ୬ ହଜାର ଲୋକ ପାନୀୟ ଜଳ ଓ ଜଳସେଚନ ପାଇଁ ଏହି ନାଳା ଉପରେ ନିର୍ଭରଶୀଳ। କିନ୍ତୁ ଏଠାରେ କୌଣସି ଜଳଧାରଣ ବ୍ୟବସ୍ଥା କିମ୍ବା ଆନିକଟ ନଥିବାରୁ ବର୍ଷା ଋତୁରେ ଜଳ ନିମ୍ନମୁଖୀ ହୋଇ ଚାଲିଯାଉଛି ଏବଂ ଗ୍ରୀଷ୍ମ ଋତୁରେ ନାଳା ଶୁଖିଯାଉଛି। ଏହାଫଳରେ ଗ୍ରୀଷ୍ମ ସମୟରେ ପାନୀୟ ଜଳର ତୀବ୍ର ଅଭାବ, ଜଳସେଚନରେ ବାଧା ଏବଂ ପଶୁପାଳନ ପାଇଁ ମଧ୍ୟ ଜଳ ସମସ୍ୟା ସୃଷ୍ଟି ହେଉଥିବା ପତ୍ରରେ ଉଲ୍ଲେଖ କରାଯାଇଛି। ଗ୍ରାମବାସୀମାନେ ଏ ସମ୍ପର୍କରେ ୧୬ ଅକ୍ଟୋବର ୨୦୨୫ରେ ଜନଶୁଣାଣି ପୋର୍ଟାଲରେ ଅଭିଯୋଗ କରିଥିଲେ। ଅଭିଯୋଗର ରେଜିଷ୍ଟ୍ରେସନ୍ ନମ୍ବର ୨୦୨୫୧୩୬୧୧୮୦ ବୋଲି ପତ୍ରରେ ଦର୍ଶାଯାଇଛି। ଜଳସମ୍ପଦ ବିଭାଗ, ପଦ୍ମପୁରର କିଛି କର୍ମଚାରୀ ସ୍ଥଳ ପରିଦର୍ଶନ କରି ଯାଞ୍ଚ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆଗକୁ କୌଣସି ପଦକ୍ଷେପ ନିଆଯାଇନଥିବା ସାଂସଦ ଜଣାଇଛନ୍ତି।

Also Read:-କିଏ ହେବେ ଭୁବନେଶ୍ୱର ଡିସିପି ? ଚର୍ଚ୍ଚାରେ ୭ ଯୁବ IPSଙ୍କ ନାଁ...

ସାଂସଦଙ୍କ ମତରେ, କୁମୁଦିନାଲା ଉପରେ ଏକ ଛୋଟ ଆନିକଟ କିମ୍ବା ଚେକ୍ ଡ୍ୟାମ୍ ନିର୍ମାଣ କରାଗଲେ ଜଳ ସଂରକ୍ଷଣ, ଭୂତଳ ଜଳର ପୁନଃଭରଣ ଏବଂ ଅଞ୍ଚଳକୁ ନିଶ୍ଚିତ ଜଳସେଚନ ଓ ପାନୀୟ ଜଳ ଯୋଗାଣରେ ସହାୟତା ମିଳିବ।ତେଣୁ ସିଂହନପୁର ନିକଟ କୁମୁଦିନାଲା ଉପରେ ଆନିକଟ ନିର୍ମାଣ ପ୍ରସ୍ତାବକୁ ଗୁରୁତ୍ୱର ସହ ପରୀକ୍ଷା କରି ଶୀଘ୍ର ସମ୍ଭାବ୍ୟତା ସର୍ଭେ କରାଇବାକୁ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।