ନୂଆଦିଲ୍ଲୀ: ସାଉଥ୍ ସିନେମାର ଲୋକପ୍ରିୟ ଅଭିନେତା ବିଜୟ ସେତୁପତି ତାଙ୍କର ସୁପରହିଟ୍ ଫିଲ୍ମ 'ମହାରାଜା'ର ସିକ୍ୱେଲ୍ 'ମହାରାଜା ୨' କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ନିକଟରେ ଫିଲ୍ମ 'ବତ୍ତା'ର ଅଡିଓ ଲଞ୍ଚ୍ କାର୍ଯ୍ୟକ୍ରମ ସମୟରେ ସେ କହିଛନ୍ତି ଯେ, ନିର୍ଦ୍ଦେଶକ ନିଥିଲନ୍ ସ୍ୱାମୀନାଥନ୍ ତାଙ୍କୁ 'ମହାରାଜା ୨'ର କାହାଣୀ ଶୁଣାଇଛନ୍ତି, ଯାହା ତାଙ୍କୁ ବହୁତ ପସନ୍ଦ ଆସିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ସିକ୍ୱେଲ୍ ପାଇଁ କେବଳ ଆଲୋଚନା ଚାଲିନାହିଁ, ବରଂ ଫିଲ୍ମର ସ୍କ୍ରିପ୍ଟ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଛି।

Also Read: ୪୦ ବର୍ଷ ବୟସରେ ବିବାହ ନକରି ମା’ ହେବେ ଶ୍ରୁତି ହାସନ, ବୟାନ ପରେ ସୋସିଆଲ ମିଡିଆରେ ଚର୍ଚ୍ଚା...

ଏହି ଘୋଷଣା ପରେ ଫିଲ୍ମର ସିକ୍ୱେଲକୁ ନେଇ ଦୀର୍ଘ ଦିନରୁ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । କିନ୍ତୁ ଏହାର ସୁଟିଂ ଏବଂ ରିଲିଜ୍ ତାରିଖ ବିଷୟରେ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ। ଏହାସହିତ ବିଜୟ ସେତୁପତି 'ମହାରାଜା'ର ହଲିଉଡ୍ ରିମେକକୁ ନେଇ ମଧ୍ୟ ଏକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ପ୍ରଯୋଜକ ସୁଧନ୍ ସୁନ୍ଦରମ୍ ତାଙ୍କୁ ଜଣାଇଥିଲେ ଯେ, ଏକ ପ୍ରସିଦ୍ଧ ହଲିଉଡ୍ ଏଜେନ୍ସି ଏହି ଫିଲ୍ମର ରିମେକ୍ ରାଇଟ୍ସ କିଣିସାରିଛି, ଯାହାର ପ୍ରଡକ୍ସନ୍ ଆସନ୍ତା ବର୍ଷଠାରୁ ଆରମ୍ଭ ହେବ। 

ଏହି ଖବର ପାଇବା ପରେ ବିଜୟ ପ୍ରଯୋଜକଙ୍କୁ କହିଛନ୍ତି ଯେ, ଯଦି ହଲିଉଡ୍ ସଂସ୍କରଣରେ ତାଙ୍କୁ କୌଣସି ଭୂମିକା ମିଳେ, ତେବେ ସେ ବିନା ଫିସ୍‌ରେ (ମାଗଣାରେ) ଅଭିନୟ କରିବାକୁ ପ୍ରସ୍ତୁତ। ଏପରିକି ସେ ଛୋଟ ମୋଟ ଚରିତ୍ରରେ ଅଭିନୟ କରିବାକୁ ରାଜି ଅଛନ୍ତି । ଏଥିପାଇଁ ସେ ଉତ୍ସାହିତ ଅଛନ୍ତି ବୋଲି ସେତୁପତି କହିଛନ୍ତି । କିନ୍ତୁ ହଲିଉଡ୍‌ ସଂସ୍କରଣରେ କେଉଁ ଅଭିନେତା-ଅଭିନେତ୍ରୀ କାମ କରିବେ ସେନେଇ ସ୍ପଷ୍ଟ ସୂଚନା ନାହିଁ । 

ସୂଚନାଯୋଗ୍ୟ, ପ୍ରାୟ ୨୦ କୋଟି  ବଜେଟ୍‌ରେ ନିର୍ମିତ ଏହି ଥ୍ରୀଲର୍ ଫିଲ୍ମଟି ବିଶ୍ୱବ୍ୟାପୀ ୧୯୦ କୋଟିର ବ୍ୟବସାୟ କରି ୨୦୨୪ର ଅନ୍ୟତମ ସଫଳ ତାମିଲ ଫିଲ୍ମ ପାଲଟିଥିଲା। ହଲିଉଡ୍ ରିମେକରେ ମୁଖ୍ୟ ଭୂମିକା ପାଇଁ ଓସ୍କାର ବିଜେତା ଅଭିନେତା ମାଥ୍ୟୁ ମ୍ୟାକକୋନାଘେଙ୍କ ନାମ ଚର୍ଚ୍ଚାରେ ରହିଛି ବୋଲି କୁହାଯାଉଛି ।