ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶୁକ୍ରବାର ଦିନ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ୍ ଜୁନିୟର ରୁଷୀୟ ବ୍ୟବସାୟୀ ଉମର କ୍ରେମଲେଭଙ୍କୁ (Umar Kremlev) ବିବାହ ଉତ୍ସବରେ ସେ ଖର୍ଚ୍ଚ କରିଥିବା ଅର୍ଥ ଫେରସ୍ତ କରିବେ। ଚଳିତ ବର୍ଷ ବାହାମାସରେ ଆୟୋଜିତ ହୋଇଥିବା ବିବାହ ପରବର୍ତ୍ତୀ ପାର୍ଟିର ଖର୍ଚ୍ଚ ଏହି ରୁଷୀୟ ବ୍ୟବସାୟୀ ବହନ କରିଥିବା ନେଇ ଆମେରିକୀୟ କଂଗ୍ରେସର ଡେମୋକ୍ରାଟ୍ ନେତାମାନେ ଗମ୍ଭୀର ପ୍ରଶ୍ନ ଉଠାଇବା ପରେ ଟ୍ରମ୍ପ୍‌ଙ୍କ ପକ୍ଷରୁ ଏହି ମନ୍ତବ୍ୟ ଆସିଛି।

ଅନ୍ତର୍ଜାତୀୟ ବକ୍ସିଂ ସଂଘର ମୁଖ୍ୟ ଉମର କ୍ରେମଲେଭ ଗତ ମେ ମାସରେ ଅନୁଷ୍ଠିତ ଟ୍ରମ୍ପ୍ ଜୁନିୟରଙ୍କ ବିବାହ ଉତ୍ସବରେ ହୋଇଥିବା ଲକ୍ଷାଧିକ ଡଲାରର ଖର୍ଚ୍ଚ ବହନ କରିଥିବା ନେଇ ତଦନ୍ତକାରୀ ସଂସ୍ଥା 'ProPublica' ପ୍ରଥମେ ପ୍ରକାଶ କରିଥିଲା। ଉମର କ୍ରେମଲେଭ ରୁଷ ସରକାର ଏବଂ କ୍ରେମଲିନ୍ ସହ ଜଡ଼ିତ ଥିବା ନେଇ ବିପକ୍ଷ ଡେମୋକ୍ରାଟିକ୍ ଦଳ ଅଭିଯୋଗ ଆଣି ସୁରକ୍ଷା ସମ୍ବନ୍ଧୀୟ ପ୍ରଶ୍ନ ଉଠାଇଥିଲେ।

ଶୁକ୍ରବାର ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଟ୍ରମ୍ପ୍ କହିଛନ୍ତି ଯେ, ସେ ନିଜ ପୁଅ ସହ ଏହି ବିଷୟରେ ଆଲୋଚନା କରିଥିଲେ। ଟ୍ରମ୍ପ୍ ଜୁନିୟର କ୍ରେମଲେଭଙ୍କୁ ସମସ୍ତ ଅର୍ଥ ଫେରସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଟଙ୍କା ଫେରସ୍ତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ଟ୍ରମ୍ପ୍ ଏହି ବିବାଦକୁ ଅଧିକ ଗୁରୁତ୍ୱ ନଦେଇ କହିଛନ୍ତି ଯେ, ସେ କ୍ରେମଲେଭଙ୍କୁ ବ୍ୟକ୍ତିଗତ ଭାବରେ ଚିହ୍ନନ୍ତି ନାହିଁ ଏବଂ ଏହା କୌଣସି ବଡ଼ ସମସ୍ୟା ନୁହେଁ।

ଟ୍ରମ୍ପ୍ ନିଜେ ଏହି ବିବାହ ଉତ୍ସବରେ ଯୋଗ ଦେଇନଥିଲେ, କିନ୍ତୁ ନିଜର ମାର୍-ଏ-ଲାଗୋ କ୍ଲବ୍ ସମେତ ଅନେକ ସ୍ଥାନରେ ସେ ପୂର୍ବରୁ ଅନେକ ଲୋକଙ୍କ ପାଇଁ ରିସେପ୍ସନ୍ ପାର୍ଟି ଆୟୋଜନ କରିଥିବା କଥା ପ୍ରକାଶ କରିଛନ୍ତି। ଟ୍ରମ୍ପ୍ ଜୁନିୟରଙ୍କ ପତ୍ନୀ ବେଟିନା ଟ୍ରମ୍ପ୍ ଇନଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ୍ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ, ଉମର କ୍ରେମଲେଭ ସେମାନଙ୍କର ଜଣେ ବନ୍ଧୁ। ସେ ପୂରା ବିବାହର ଖର୍ଚ୍ଚ ଉଠାଇ ନାହାନ୍ତି, ବରଂ ବିବାହ ପରବର୍ତ୍ତୀ ଦୁଇଟି 'ଆଫ୍ଟର-ପାର୍ଟି' ପାଇଁ ଖର୍ଚ୍ଚ ବହନ କରି ବିବାହ ଉପହାର ଦେଇଥିଲେ।