ଭୋପାଲ: ମଧ୍ୟପ୍ରଦେଶ ଦତିୟା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶୁତୋଷ ତିୱାରୀ ନିର୍ବାଚନ ହାରି ଯାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଘନଶ୍ୟାମ ସିଂହ ତାଙ୍କୁ ପରାସ୍ତ କରିଛନ୍ତି। ତୃତୀୟ ରାଉଣ୍ଡ ଭୋଟ ଗଣନା ପରେ କଂଗ୍ରେସ ପ୍ରାର୍ଥୀ ଲଗାତାର ଆଗରେ ଚାଲିଥିଲେ। ୧୫ ରାଉଣ୍ଡ ପର୍ଯ୍ୟନ୍ତ ଘନଶ୍ୟାମ ଆଗରେ ଚାଲିବା ପରେ ବିଜେପି ପ୍ରାର୍ଥୀଙ୍କୁ ୬୦୧୬ଟି ଭୋଟରେ ହରାଇଛନ୍ତି। ଏହା ସହ ଘନଶ୍ୟାମ ସିଂହ ଦତିୟାରୁ ତୃତୀୟବାର ବିଧାୟକ ନିର୍ବାଚିତ ହୋଇଛନ୍ତି। ଦତିୟାରେ ଚନ୍ଦ୍ରଶେଖରଙ୍କ ଆଜାଦ ସମାଜ ପାର୍ଟି ପ୍ରାର୍ଥୀ ଦାମୋଦର ଯାଦବ ମଣ୍ଡଳଙ୍କୁ ୨୨ ହଜାର ୫୨୭ଟି ଭୋଟ ମିଳିଛି।

ନିର୍ବାଚନରେ କଂଗ୍ରେସକୁ ୪୨.୩୯ ପ୍ରତିଶତ ଭୋଟ ମିଳିଥିବା ବେଳେ ବିଜେପିକୁ ୩୮.୫୭ ଓ ତୃତୀୟ ପ୍ରାର୍ଥୀ ଦାମୋଦର ଯାଦବ ମଣ୍ଡଳଙ୍କୁ ୧୪.୩ ପ୍ରତିଶତ ଭୋଟ ମିଳିଛି। କଂଗ୍ରେସ ପ୍ରାର୍ଥୀ ମୋଟ ୬୬,୭୫୭ଟି ଭୋଟ ପାଇଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ଆଶୁତୋଷ ତିୱାରୀଙ୍କୁ ୬୦୭୪୧ଟି ଭୋଟ ମିଳିଛି। ଏହା ପୂର୍ବରୁ ଦତିୟା ଆସନରୁ ବିଜେପିର ନରୋତ୍ତମ ମିଶ୍ର ଜିତି ଆସୁଥିଲେ। ହେଲେ ଏଥର ତାଙ୍କ ଟିକେଟ୍ କାଟି ବିଜେପି ଆଶୁତୋଷ ତିୱାରୀଙ୍କୁ ପ୍ରାର୍ଥୀ କରିଥିଲା। ଏଣୁ ଦତିୟା ଆସନରେ ନରୋତ୍ତମ ମିଶ୍ରଙ୍କୁ ଅଣଦେଖା କରିବା ଏବେ ବିଜେପିକୁ ମହଙ୍ଗା ପଡିଥିବା ବିଜେପି କାର୍ଯ୍ୟକର୍ତ୍ତା ଓ କର୍ମୀ କହିଛନ୍ତି।

ଏହି ଉପନିର୍ବାଚନରେ ମୋଟ ୨୧ ଜଣ ପ୍ରାର୍ଥୀ ହୋଇଥିଲେ। ବିଜେପି ନରୋତ୍ତମ ମିଶ୍ରଙ୍କ ବଦଳେ ଆଶୁତୋଷ ତିୱାରୀଙ୍କୁ ଟିକେଟ୍ ଦେଇଥିଲା। କଂଗ୍ରେସ ପକ୍ଷରୁ ଘନଶ୍ୟାମ ସିଂହ ନିର୍ବାଚନ ଲଢିଥିବା ବେଳେ ଅନ୍ୟ ୧୯ ଜଣ ପ୍ରାର୍ଥୀ ନିର୍ବାଚନରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିଥିଲେ। ଭୋଟିଂ କାଳରେ ଦତିୟାରେ ୭୧.୪୪% ମତଦାନ ହୋଇଥିଲା। ଦତିୟା ଉପନିର୍ବାଚନ ବିଜୟ ପରେ କଂଗ୍ରେସ ପ୍ରାର୍ଥୀ ଘନଶ୍ୟାମ ସିଂହଙ୍କୁ ବିଜୟ ପ୍ରମାଣପତ୍ର ମିଳିଛି। ସେ ଦତିୟା ଭୋଟରଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି ଓ ସମର୍ଥନକୁ ସ୍ୱୀକାର କରିଛନ୍ତି।