ନୂଆଦିଲ୍ଲୀ, ୧୦/୦୯ : ଚଳିତ ବର୍ଷ ଏପ୍ରିଲରେ ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ପ୍ରାୟ ୧,୪୭୩ କୋଟି ଟଙ୍କା ଚାନ୍ଦା ମିଳିଛି । ଏହା କଂଗ୍ରେସର କେନ୍ଦ୍ରୀୟ ଏବଂ ରାଜ୍ୟ ଶାଖାଗୁଡ଼ିକୁ ମିଳିଥିବା ଚାନ୍ଦାଠାରୁ ୭ ଗୁଣାରୁ ଅଧିକ। କଂଗ୍ରେସକୁ ଏହି ୫ ରାଜ୍ୟର ନିର୍ବାଚନବେଳେ ୨୦୭.୧୭ କୋଟି ଟଙ୍କା ମିଳିଥିବା ଭାରତର ନିର୍ବାଚନ କମିଶନ (ଇସିଆଇ) ବୁଧବାର ସୂଚନା ଦେଇଛନ୍ତି।

ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ପୁଡୁଚେରୀରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହୋଇଥିଲା। ଗତ ମେ' ୪ରେ ଆସିଥିବା ଫଳାଫଳରେ ଆସାମ, ପଶ୍ଚିମବଙ୍ଗ ଏବଂ ପୁଡୁଚେରୀରେ ଏନଡିଏର ବିଜୟ ହୋଇଥିଲା। ସେହିପରି କେରଳରେ ଇଣ୍ଡି ମେଣ୍ଟ ଏବଂ ତାମିଲନାଡୁରେ ଟିଭିକେ ଏବଂ କଂଗ୍ରେସ ମିଶି ସରକାର ଗଠନ କରିଥିଲେ। ତେବେ କେରଳ ଏବଂ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ଖର୍ଚ୍ଚ ବିବରଣୀ ସାର୍ବଜନିନ କରାଯାଇନାହିଁ। ତେଣୁ ବିଜେପିର ଆୟ ଆହୁରି ଅଧିକ ହେବାର ସମ୍ଭାବନା ରହିଛି।

Also Read :- ବିକ୍ରି ହୋଇଯିବ ନେପାଳ ! ମୁଣ୍ଡରେ ୫୦ ହଜାର କୋଟିର ବୋଝ, ପୁଣି ହେବ ହିମସ୍ଖଳନ ଏବଂ ବନ୍ୟା

ନିର୍ବାଚନ ଅବଧି ବେଳେ ବିଜେପିର କେନ୍ଦ୍ରୀୟ ମୁଖ୍ୟାଳୟର ବାଲାନ୍ସ ବି ବେଶ୍ ବଢ଼ିଛି। ତେଣୁ ମାର୍ଚ୍ଚ ୧୫ରେ ତାହା ୬,୭୨୨.୬ କୋଟି ଟଙ୍କା ଥୁଲା, ଯାହା କି ମେ’ ୬ରେ ବଢ଼ି ୭,୬୨୭.୨ କୋଟି ହୋଇଥିଲା। ଅର୍ଥାତ ନିର୍ବାଚନ ସମୟରେ ୯୦୪.୬ କୋଟି ଟଙ୍କା ବୃଦ୍ଧି ପାଇଥିଲା। ଅନ୍ୟପକ୍ଷରେ ନିର୍ବାଚନ ସମୟରେ କଂଗ୍ରେସର ଆର୍ଥକ ସ୍ଥିତି ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଏହାର କେନ୍ଦ୍ରୀୟ ମୁଖ୍ୟାଳୟ ଏବଂ ୫ଟି ରାଜ୍ୟ ଶାଖାଗୁଡ଼ିକ ପାଖରେ ନିର୍ବାଚନ ଅବଧି ଆରମ୍ଭ ବେଳେ ପ୍ରାୟ ୧୬୯.୦୬ କୋଟି ଟଙ୍କା ଥିଲା। ସେଥିମଧ୍ୟରେ ୨୨.୯ କୋଟି ଟଙ୍କା ନଗଦ ଏବଂ ୧୪୬.୧ କୋଟି ଟଙ୍କା ବ୍ୟାଙ୍କରେ ଥିଲା । ମେ’ ୬ ସୁଦ୍ଧା କଂଗ୍ରେସ ପାଖରେ ପ୍ରାୟ ୧୦୩.୨ କୋଟି ଟଙ୍କା ବଞ୍ଚିଥିଲା। ଅର୍ଥାତ କଂଗ୍ରେସ ପାଖରେ ୬୫.୮୬ କୋଟି ଟଙ୍କା ହ୍ରାସ ପାଇଥିଲା ।

ଅଦ୍ୟାବଧୂ ଉପଲବ୍ଧ ଖର୍ଚ୍ଚ ବିବରଣୀରୁ ଜଣାପଡ଼ିଛି, ବିଜେପି ଆସାମ, ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରାୟ ୧୫୯.୭ କୋଟି ଟଙ୍କା ଖର୍ଚ୍ଚ କରିଛି। ସେଥୁରୁ ପ୍ରାୟ ୧୩୦.୪କୋଟି ଟଙ୍କା ସାଧାରଣ ଦଳୀୟ ପ୍ରଚାର ଏବଂ ଅବଶିଷ୍ଟ ଟଙ୍କା ପ୍ରାର୍ଥୀ ଏବଂ ସମ୍ପୃକ୍ତ ଖର୍ଚ୍ଚ ପାଇଁ ବ୍ୟବହୃତ ହୋଇଛି। ଆସାମରେ ସର୍ବାଧିକ ୯୬.୨୭ କୋଟି ଟଙ୍କା ଖର୍ଚ ହୋଇଛି। ସେଥିରୁ ୭୬.୭୩ କୋଟି ଦଳୀୟ ପ୍ରଚାର ଏବଂ ୧୯.୫୪ କୋଟି ପ୍ରାର୍ଥୀଙ୍କ ଉପରେ ଖର୍ଚ୍ଚ ହୋଇଛି। ତାମିଲନାଡୁରେ ବିଜେପିର ମୋଟ ଖର୍ଚ୍ଚ ୫୧.୫୬ କୋଟି ଟଙ୍କା ଥିଲା । ସେଥୁରୁ ୪୪.୫୧ କୋଟି ପ୍ରଚାର ଏବଂ ୭.୦୫ କୋଟି ପ୍ରାର୍ଥୀଙ୍କ ଉପରେ ଖର୍ଚ୍ଚ କରାଯାଇଥିଲା। ପୁଡୁଚେରୀରେ ବିଜେପି ମୋଟ ୧୧.୯୦ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ସେଥୁରୁ ୯.୧୯ କୋଟି ପ୍ରଚାର କାମ ଏବଂ ୨.୭୧ କୋଟି ଟଙ୍କା ପ୍ରାର୍ଥୀଙ୍କ ଉପରେ ସାରିଥିଲା।

କଂଗ୍ରେସ ୫ ରାଜ୍ୟରେ ସାଧାରଣ ଦଳୀୟ ପ୍ରଚାର ପାଇଁ ୧୪୩ କୋଟି ଟଙ୍କା ଏବଂ ପ୍ରାର୍ଥୀଙ୍କ ଉପରେ ୧୦୫.୫୫ କୋଟି ଟଙ୍କା ଖର୍ଚ୍ଚ କରିଛି। ଫଳରେ କଂଗ୍ରେସର ମୋଟ ନିର୍ବାଚନୀ ଖର୍ଚ୍ଚ ୨୪୮.୫୫ କୋଟି ରହିଥିଲା। କଂଗ୍ରେସର କେନ୍ଦ୍ରୀୟ ମୁଖ୍ୟାଳୟ ୫ ରାଜ୍ୟରେ ପ୍ରଚାର ପାଇଁ ୪୦.୫୨ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ରାଜ୍ୟ ଏବଂ ସ୍ଥାନୀୟ ଶାଖାଗୁଡ଼ିକ ଏଥିପାଇଁ ୧୦୨.୪୯ କୋଟି ଖର୍ଚ୍ଚ କରିଥିଲେ। କେରଳରେ ପ୍ରଚାର ପାଇଁ କଂଗ୍ରେସ ସର୍ବାଧିକ ୫୯.୨୮ କୋଟି ବ୍ୟୟ କରିଛି। କେରଳରେ କଂଗ୍ରେସ ବାମପନ୍ଥୀ ସରକାରକୁ ହଟାଇବାରେ ସଫଳ ହୋଇଥିଲା। ଏଥିସହ ଆସାମରେ କଂଗ୍ରେସ ପ୍ରଚାର ପାଇଁ ୨୨.୬୨ କୋଟି ଟଙ୍କା ଖର୍ଚ୍ଚ କରିଥିଲା।