ନୂଆଦିଲ୍ଲୀ, ୧୦/୦୯ :ନେପାଳରେ ପ୍ରାକୃତିକ ବିପର୍ଯ୍ୟୟ ଭୟ ଥମିନାହିଁ । ଆଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବରଫପାତ ହେବା ଆଶଙ୍କା ରହିଛି । ପାଣିପାଗ ବିଭାଗ ମଧେଶ, କୋଶୀ, ବାଗମତୀ, ଗଣ୍ଡକୀ ଏବଂ ଲୁମିନିର ପାହାଡ଼ିଆ ଏବଂ ତରାଈ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି। ସେହିଭଳି ହିମାଳୟ ଅଞ୍ଚଳରେ ବରଫପାତ ଏବଂ ବଜ୍ରପାତ ନେଇ ଆଲର୍ଟ ଜାରି ହୋଇଛି। ଏଭଳି ସ୍ଥିତିରେ ନେପାଳରେ ବନ୍ୟା ମୃତ୍ୟୁ ୧,୩୭୭ରେ ପହଞ୍ଚିଛି । ଏବେ ବି ୫,୩୫୬ ଜଣ ନିଖୋଜ ଅଛନ୍ତି । ବନ୍ୟା ଯୋଗୁ ୬,୮୨୭ ଲୋକ ଆହତ ହୋଇଛନ୍ତି । ୭,୫୭୦ ଘର ଭାଙ୍ଗିଛି କିମ୍ବା କ୍ଷତିଗ୍ରସ୍ତ ହୋଇଛି।

Also Read :- ଘୂର୍ଣ୍ଣିବଳୟ ସକ୍ରିୟ : ଗୁରୁବାର-ଶୁକ୍ରବାର ଏହି ଜିଲ୍ଲାରେ ଅତି ପ୍ରବଳ ବର୍ଷା

ଅଗଷ୍ଟ ୨୬ରେ ଆସିଥିବା ଅଚାନକ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ନେପାଳକୁ ଛାରଖର କରିଦେଇଥିଲା। ଏହି ବିପର୍ଯ୍ୟୟ ନେପାଳକୁ ସାଙ୍ଘାତିକ ଅର୍ଥିକ କ୍ଷତି ପହଞ୍ଚାଇଛି। ଏହା ଉପରେ ପାଖାପାଖି ୫ ବିଲିୟନ ଡଲାର ବା ୫୦ ହଜାର କୋଟି ଟଙ୍କାର ବୋଝ ପଡ଼ିବା ନେଇ ଆକଳନ କରାଯାଇଛି। ନେପାଳର ଜାତୀୟ ବିପର୍ଯ୍ୟୟ ପ୍ରଶମନ ଏବଂ ପରିଚାଳନା ପ୍ରାଧିକରଣର ଆକଳନ ଅନୁସାରେ, ବନ୍ୟା ଯୋଗୁ ଦେଶର ୩୮୭.୫୪ ବିଲିୟନ ଏନପିଆର (ନେପାଳୀ ଟଙ୍କା) ବା ୨.୫୬ ବିଲିୟନ ଡଲାରର କ୍ଷୟକ୍ଷତି ହୋଇଛି। ଏଥିରେ ବିଭିନ୍ନ ସମ୍ପତ୍ତି, ଘର ଏବଂ ଭିତ୍ତିଭୂମି କ୍ଷତି ଅନ୍ତର୍ଭୁକ୍ତ । ସରକାରଙ୍କ ଅନୁସାରେ, ତ୍ୱରିତ ୪ ମାସିଆ ମରାମତି ଖର୍ଚ୍ଚ ଲାଗି ୭.୯୫ ଏନପିଆର୍ ବା ପାଖାପାଖି ୫୩ ନିୟୁତ ଡଲାର ଆବଶ୍ୟକ। ଏହାକୁ ସଡ଼କ, ଅସ୍ଥାୟୀ ଆଶ୍ରୟ ସ୍ଥଳୀ, ପନୀୟ ଜଳ ଏବଂ ବିଦ୍ୟୁତ ମରାମତି କାର୍ଯ୍ୟରେ ବିନିଯୋଗ କରାଯିବ ।

ନେପାଳର ଅର୍ଥମନ୍ତ୍ରୀ ସ୍ୱର୍ଣ୍ଣିମ ସ୍ୱାଗଲେଙ୍କ ଅନୁସାରେ, ଦେଶର ପୁନଃନିର୍ମାଣ ଖର୍ଚ୍ଚ ପାଇଁ ୫ ବିଲିୟନ ଡଲାର (ପାଖାପାଖି ୫୦ ହଜାରକୋଟି ଭାରତୀୟ ଟଙ୍କା) ଆବଶ୍ୟକ। କିନ୍ତୁ ନେପାଳ ଏହି ଟଙ୍କା କେଉଁଠୁ ଆଣିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇମଏଫ୍)ର ଆକଳନ ଅନୁସାରେ, ନେପାଳର ସରକାରୀ ରଣ ୨୦୨୫-୨୬ ଅର୍ଥିକବର୍ଷରେ ଜିଡିପିର ୪୯.୬% କୁ ବୃଦ୍ଧି ପାଇଛି। ପୂର୍ବ ବର୍ଷ ଏହା ୪୮.୧% ରହିଥିଲା। ଏଭଳି ସ୍ଥିତିରେ ବନ୍ୟା ପରବର୍ତ୍ତୀ ମରାମତି ଓ ପୁନଃନିର୍ମାଣ କାର୍ଯ୍ୟ ଲାଗି ଅଧିକ ବ୍ୟୟବରାଦ ଆବଶ୍ୟକ ହେବ । ଏହାଦୂରା ଦେଶ ବିତ୍ତୀୟ ନିଅଣ୍ଡର ସମ୍ମୁଖୀନ ହେବା ଆଶଙ୍କା ରହିଛି। ସ୍କୁଲ, ହସ୍ପିଟାଲ, ନିଯୁକ୍ତି ଏବଂ ଅନ୍ୟ ଭିଭିଭୂମିରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ।

ଏହି ଅର୍ଥ ପାଇଁ ନେପାଳକୁ ବିଶେଷକରି ଋଣ ଉପରେ ନିର୍ଭର କରିବାକୁ ପଡ଼ିବ । କିନ୍ତୁ ଭବିଷ୍ୟତରେ ଏହା ଦେଶର ଋଣ ଖର୍ଚ ଅତ୍ୟଧିକ ବଢ଼ାଇଦେବ। ଫଳରେ ବିକାଶ ବ୍ୟୟ ପାଇଁ କମ୍ ସୁଯୋଗ ରହିଯିବ। ଦେଶ ପାଇଁ ବର୍ତ୍ତମାନ ଦୀର୍ଘମିଆଦୀ ଋଣର ଆବଶ୍ୟକତା ରହିଥିବା ମତପ୍ରକାଶ ପାଇଛି। କେଉଁ କ୍ଷେତ୍ରରେ ପ୍ରଥମେ ଖର୍ଚ ଆଚଶ୍ୟକ, ତାହାକୁ ନେଇ ଦେଶକୁ ଯୋଜନା ପ୍ରସ୍ତୁତ କରିବାକୁ ହେବ। ନେପାଳକୁ ଯଦିଓ ଅନ୍ତର୍ଜାତୀୟ ସହାୟତା ମିଳୁଛି, ତାହା ଯଥେଷ୍ଟ ନୁହେଁ । ଏହି ସହାୟତା ବିଶେଷକରି ରିଲିଫ୍ କାର୍ଯ୍ୟ ମଧ୍ୟରେ ସୀମିତ ରହିଛି ।