ଭୁବନେଶ୍ୱର ୦୨।୦୩ : ରାଜ୍ୟସଭା ନିର୍ବାଚନ । ରାଜ୍ୟ ରାଜନୀତି ଏବେ ଚର୍ଚ୍ଚା ରାଜ୍ୟସଭା ଗଣିତ । କିଏ କେତେବେଳେ ପ୍ରାର୍ଥୀଙ୍କ ଚୟନ ନେଇ ବୟାନ ଦେଉଛି ତ ଆଉ କିଏ ସମର୍ଥନ ନେଇ ମତ ରଖୁଛି। ନିକଟରେ ବିଜେଡି ରାଜ୍ୟସଭା ନିର୍ବାଚନ ପାଇଁ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ କଂଗ୍ରେସ ଏବଂ ବିଜେପି କୌଣସି ନାମ ଘୋଷଣା କରିନାହାନ୍ତି । ଏହିକ୍ରମରେ ସୋମବାର ଦିନ ବିଜେପି ପକ୍ଷରୁ ନୋମିନେସନ ଫର୍ମ ନିଆଯାଇଛି । ରାଜ୍ୟସଭା ନିର୍ବାଚନ ପାଇଁ ୧୬ ସେଟ୍‌ର ନୋମିନେସନ ଫର୍ମ ନେଇଛି ଭାରତୀୟ ଜନତା ପାର୍ଟି । 

ଖବର ଅନୁଯାୟୀ, ରାଜ୍ୟସଭା ରାଜନୀତି ନେଇ ରାଜ୍ୟ ଉଠୁଛି ପଡୁଛି । ବିଜେଡି-ବିଜେପି-କଂଗ୍ରେସ ଟଣାଓଟରା । ବୟାନ ବି ଜବରଦସ୍ତ । ଚାଲିଛି ଆରୋପ ପ୍ରତ୍ୟାରୋପର ଲଢେଇ । ଏସବୁ ଭିତରେ ରାଜ୍ୟସଭାର ୪ଟି ଆସନ ହାତେଇବା ପାଇଁ ସବୁ ଦଳର ଭିନ୍ନ ଭିନ୍ନ ରଣନୀତି । କିଛି ଦିନ ତଳେ ବିଜେଡି ରାଜ୍ୟସଭା ନିର୍ବାଚନ ପାଇଁ ଫର୍ମ ସେଟ୍‌ ନେଇଥିବା ବେଳେ ସୋମବାର ଦିନ ବିଜେପି ୧୬ ସେଟ୍‌ର ଫର୍ମ ନେଇଛି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ନିଜେ ଯାଇ ନିର୍ବାଚନ କମିଶନଙ୍କ ଅଫିସରୁ ଫର୍ମ ଆଣିଛନ୍ତି । ସରକାରୀ ଦଳ ମୁଖ୍ୟ ସଚେତକଙ୍କ ସମେତ ଦଳର ବରିଷ୍ଠ ନେତା ସାମିଲ ଥିଲେ । 

ଅନ୍ୟପଟେ ରାଜ୍ୟସଭା ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ଡାକିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଦଳର ବରିଷ୍ଠ ନେତା, ମନ୍ତ୍ରୀ ଏବଂ ବିଧାୟକ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଯାଏଁ ବୈଠକ ସଂପର୍କରେ କୌଣସି ସବିଶେଷ ତଥ୍ୟ ଜଣାପଡିନାହିଁ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଚାଲିଛି । ବୈଠକ ଶେଷ ପରେ ଦଳୀୟ ନେତା ପୁର ତଥ୍ୟ ଦେବେ ବୋଲି ଆଶା କରାଯାଉଛି ।