ନୂଆଦିଲ୍ଲୀ: ପୃଥିବୀରେ ଯୁଦ୍ଧର ଭୟ ଥମିବାର ନାଁ ଧରୁନି। ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ବିଶ୍ୱରେ ଉତ୍ତେଜନା ଜାରି ରହିଥିବା ବେଳେ ଏବେ ମହାକାଶକୁ ନେଇ ଆସିଛି ଆଉ ଏକ ବଡ଼ ଚିନ୍ତାଜନକ ଖବର। ରୁଷ ମହାକାଶକୁ ପରମାଣୁ ଅସ୍ତ୍ର ବହନ କରୁଥିବା ଉପଗ୍ରହ ପଠାଇବାକୁ ଯୋଜନା କରୁଥିବା ନେଇ ପାଶ୍ଚାତ୍ୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କ କରାଇଛନ୍ତି। ରିପୋର୍ଟ ଅନୁସାରେ, ଆସନ୍ତା ଡିସେମ୍ବର ମାସରେ ଏହି ଉପଗ୍ରହ ମହାକାଶକୁ ଯାଇପାରେ। ଯଦି ଏହା ସତ ହୁଏ, ତେବେ ଏହା କେବଳ ଗୋଟିଏ ଦେଶ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱର ଯୋଗାଯୋଗ ଓ ପ୍ରଯୁକ୍ତି ବ୍ୟବସ୍ଥା ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ।

ଜର୍ମାନୀର ଗଣମାଧ୍ୟମ ସଂସ୍ଥାର ଏକ ଅନୁସନ୍ଧାନମୂଳକ ରିପୋର୍ଟରେ ଏଭଳି ଦାବି କରାଯାଇଛି। ଏହି ରିପୋର୍ଟ ଅନୁସାରେ, ରୁଷ ପୂର୍ବରୁ ହିଁ ଏକ ସ୍ୱତନ୍ତ୍ର ଉପଗ୍ରହ ନିର୍ମାଣ କରିସାରିଛି। ଏହାର ନାଁ ରହିଛି 'ସ୍ପୁଟନିକ୍-ଏସ୍'। ଦୀର୍ଘ ବର୍ଷ ଧରି ଏହା ମସ୍କୋ ନିକଟରେ ରଖାଯାଇଥିବା କୁହାଯାଉଛି। ନଭେମ୍ବର ଆରମ୍ଭରେ ନାଟୋ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଏ ସମ୍ପର୍କିତ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ହୋଇଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି।

Also Read: ଏଆଇ ସହାୟତାରେ ପରୀକ୍ଷାରେ ନକଲ ରୋକିବାକୁ ତରବରିଆ ପଦକ୍ଷେପ: ଦକ୍ଷିଣ କୋରିଆର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା

ଡିସେମ୍ବରରେ ହୋଇପାରେ ଉତକ୍ଷେପଣ

ରିପୋର୍ଟ ଅନୁସାରେ, ଆଗାମୀ ୬୦ ଦିନ ମଧ୍ୟରେ ରୁଷ ଏହି ଉପଗ୍ରହକୁ ମହାକାଶକୁ ପଠାଇପାରେ। ଜର୍ମାନୀର ସାମରିକ ମହାକାଶ କମାଣ୍ଡ ଆକଳନ ଅନୁସାରେ, ୨୦୨୬ ଡିସେମ୍ବର ରେ ହିଁ ଏହାର ଉତକ୍ଷେପଣ ହୋଇପାରେ। ତେବେ ଏହି ଉତକ୍ଷେପଣ ସମ୍ପର୍କରେ ରୁଷ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ।

ଅଚଳ ହୋଇପାରେ ହଜାର ହଜାର ଉପଗ୍ରହ

ଏହି ଘଟଣାର ସବୁଠାରୁ ଚିନ୍ତାଜନକ ଦିଗ ହେଉଛି, ମହାକାଶରେ ପରମାଣୁ ବିସ୍ଫୋରଣ ହେଲେ ଏହାର ପ୍ରଭାବ କେବଳ ଗୋଟିଏ ଉପଗ୍ରହ କିମ୍ବା ଗୋଟିଏ ଦେଶ ମଧ୍ୟରେ ସୀମିତ ରହିବ ନାହିଁ। ବରଂ ପୃଥିବୀର କକ୍ଷପଥରେ ଘୁରୁଥିବା ଅନେକ ଉପଗ୍ରହ ଏହାଦ୍ୱାରା ପ୍ରଭାବିତ ହୋଇପାରନ୍ତି।

Also Read: ମାଲେସିଆ ଦେଇ ଚୀନକୁ ଯାଉଥିଲା AI ଚିପ୍, ଦୁଇ ବର୍ଷ ହେଲା ଗୁଇନ୍ଦା ମିଶନ ଚଲାଉଥିଲା ଡ୍ରାଗନ୍ !

ଆମେରିକାର ମହାକାଶ କମାଣ୍ଡ ମୁଖ୍ୟ ଜେନେରାଲ ଷ୍ଟିଫେନ୍ ହ୍ୱିଟିଂ ପୂର୍ବରୁ ଚେତାବନୀ ଦେଇଥିଲେ ଯେ, ମହାକାଶରେ ପରମାଣୁ ବିସ୍ଫୋରଣ ହେଲେ ନିମ୍ନ ପୃଥିବୀ କକ୍ଷପଥରେ ଥିବା ପ୍ରାୟ ଏକ ତୃତୀୟାଂଶ ଉପଗ୍ରହ କେବଳ କିଛି ଘଣ୍ଟା କିମ୍ବା ଦିନ ମଧ୍ୟରେ ଅଚଳ ହୋଇପାରେ। ପରବର୍ତ୍ତୀ କିଛି ମାସ ମଧ୍ୟରେ ଅନ୍ୟ ଉପଗ୍ରହଗୁଡ଼ିକ ମଧ୍ୟ କାମ କରିବା ବନ୍ଦ କରିପାରନ୍ତି।

ଏହାର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ଜୀବନ ଉପରେ ପଡ଼ିପାରେ। ମୋବାଇଲ୍ ନେଟୱର୍କ, ଇଣ୍ଟରନେଟ୍, ଜିପିଏସ୍ ବ୍ୟବସ୍ଥା, ବ୍ୟାଙ୍କିଙ୍ଗ୍ ସେବା, ପାଣିପାଗ ପୂର୍ବାନୁମାନ ଏବଂ ବିଦ୍ୟୁତ୍ ଯୋଗାଣ ଭଳି ଅତ୍ୟାବଶ୍ୟକ ସେବା ଉପଗ୍ରହ ଉପରେ ନିର୍ଭରଶୀଳ। ଏଭଳି ବିସ୍ଫୋରଣ ଯୋଗୁଁ ଏହି ସବୁ ବ୍ୟବସ୍ଥାରେ ବଡ଼ ଧରଣର ବାଧା ଉପୁଜିପାରେ।

ମହାକାଶ ଚୁକ୍ତିର ଉଲ୍ଲଂଘନ ହେବ !

ମହାକାଶରେ ପରମାଣୁ ଅସ୍ତ୍ର ମୁତୟନ କରିବା ଅନ୍ତର୍ଜାତୀୟ ଆଇନର ମଧ୍ୟ ଉଲ୍ଲଂଘନ। ୧୯୬୭ ମସିହାରେ ହୋଇଥିବା 'ଆଉଟର ସ୍ପେସ୍ ଟ୍ରିଟି' ଅନୁସାରେ, ପୃଥିବୀର କକ୍ଷପଥରେ ପରମାଣୁ ଅସ୍ତ୍ର କିମ୍ବା ଅନ୍ୟ କୌଣସି ବିନାଶକାରୀ ଅସ୍ତ୍ର ମୁତୟନ କରିବା ନିଷିଦ୍ଧ। ତେଣୁ ରୁଷ ଯଦି ଏଭଳି ପଦକ୍ଷେପ ନିଏ, ତେବେ ଅନ୍ତର୍ଜାତୀୟ ସ୍ତରରେ ଏହାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇପାରେ।

Also Read: ୮ ବର୍ଷ, ୧୦ ବିଲିୟନ୍ କି.ମି. ଯାତ୍ରା... ବୁଧ ଗ୍ରହର କକ୍ଷପଥରେ ପହଞ୍ଚିଲା ମହାକାଶଯାନ

ଅଭିଯୋଗକୁ ରୁଷର ଖଣ୍ଡନ

ଅନ୍ୟପଟେ ଏହି ଅଭିଯୋଗକୁ ନେଇ ରୁଷ ପୂର୍ବରୁ ମଧ୍ୟ ଆପତ୍ତି ଉଠାଇଛି। ୨୦୨୪ରେ ଆମେରିକା ପକ୍ଷରୁ ରୁଷ ମହାକାଶରେ ପରମାଣୁ ଅସ୍ତ୍ର ବିକଶିତ କରୁଥିବା ନେଇ ଅଭିଯୋଗ ଆସିବା ପରେ ମସ୍କୋ ଏହାକୁ ଖଣ୍ଡନ କରିଥିଲା। ଏବେ ମଧ୍ୟ ରୁଷ ଦୂତାବାସ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହ ନିଜର ମହାକାଶ କାର୍ଯ୍ୟକଳାପ ଅନ୍ତର୍ଜାତୀୟ ନିୟମ ଅନୁସାରେ ହେଉଥିବା ଦାବି କରିଛି। ଜର୍ମାନୀର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଏହି ନିର୍ଦ୍ଦିଷ୍ଟ ଗୁଇନ୍ଦା ତଥ୍ୟ ଉପରେ ମନ୍ତବ୍ୟ ଦେଇନାହିଁ।