ଭୁବନେଶ୍ବର ୨୬।୩: ଏବେ ସଂଗଠନ ଚିନ୍ତାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ଯୁବ ନେତା ନବୀନଙ୍କ ନେତୃତ୍ୱ ଉପରୁ ଆସ୍ଥା ହରାଉଥିବା ବେଳେ ଦଳର ତୃଣମୂଳସ୍ତରରେ ସଂଗଠନ ଏବେ ଦୁର୍ବଳ ହେବାରେ ଲାଗିଛି । ଦଳ କର୍ମୀ ଓ ନେତାଙ୍କ ମନରେ ବିଶ୍ୱାସ ଜନ୍ମାଇ ସେମାନଙ୍କୁ ଅଟକାଇ ରଖିବା ସହ ଦଳକୁ ପୁଣି ଟ୍ରାକକୁ ଆଣିବାକୁ ପ୍ଲାନ୍ ଆରମ୍ଭ କରିଛନ୍ତି ସୁପ୍ରିମୋ । ବୁଧବାର ବାଲେଶ୍ୱର ଟାଣୁଆ ନେତା ଜୀବନ ପ୍ରଦୀପ ଦାସଙ୍କ ସହ ବସ୍ତାର ଟାଣୁଆ ନେତା ରଘୁନାଥ ମହାନ୍ତି ପୁଣି ଥରେ ଦଳକୁ ଫେରିଛନ୍ତି । ଏହାରି ଭିତରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜେଡି ତାର ସଂଗଠନକୁ ମଜଭୂତ କରିବାରେ ଲାଗିଛି । 

ଏହି ପରିପ୍ରେକ୍ଷୀରେ ଗଜପତି ବିଧାନସଭା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ହୋଇଥିଲା ମିଶ୍ରଣ ପର୍ବ । ଗଜପତି ନିର୍ବାଚନମଣ୍ଡଳୀର ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଗୋଶାଣୀ ବ୍ଲକ୍ ରମ୍ପା ପଞ୍ଚାୟତର ସରପଞ୍ଚ ଝୁନି ସବର, ନିରଂଜନ ଶବରଙ୍କ ସମେତ ଶତାଧିକ ବିଜେପି କର୍ମୀ ଦଳ ଛାଡି ଶଙ୍ଖ ଭବନରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କରିଥିବା ଉନ୍ନତିମୂଳକ କାର୍ଯ୍ୟ ଓ ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛୁ । ଦଳ ଆମକୁ ଯେଉଁ ଦାୟିତ୍ୱ ଦେବ ତାହାକୁ ଆମେ ସୁଚାରରୂପେ ସମ୍ପାଦନ କରିବୁ । ଆଗାମୀ ଦିନରେ ଦଳକୁ ଗଜପତି ନିର୍ବାଚନମଣ୍ଡଳୀରେ ମଜଭୁତ କରିବାକୁ ପାଇଁ କାମ କରିବୁ ବୋଲି ବିଜେଡିରେ ଯୋଗଦାନ ପରେ ବିଜେପି କର୍ମୀମାନେ କହିଥିଲେ ।

Also Read:- ଗ୍ୟାସ୍ ସଙ୍କଟ ବେଳେ ମାତିଛନ୍ତି ଠକ, ସିଲିଣ୍ଡରରେ ପାଣି ପୂରାଇ ବିକୁଥିବା ଏଜେଣ୍ଟ ଗିରଫ

ବୁଧବାର ବାଲେଶ୍ୱର ଜିଲ୍ଲାର ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାର ବିଜେପି କର୍ମୀ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଥିବା ବେଳେ ଗଜପତି ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମୀ ବିଜେଡିରେ ଯୋଗଦାନ କରିଥିଲେ । ଏହା ସୂଚାଉଛି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ତଥା ବିଜୁ ଜନତା ଦଳ ପ୍ରତି ଗ୍ରହଣୀୟତା ତଥା ଆସ୍ଥା ଭାଜନ ଧିରେ ଧିରେ ବଢିବାରେ ଲାଗିଛି । ଅନ୍ୟପଟେ ବିଜେପି ସରକାର ପ୍ରତି ଲୋକଙ୍କ ବିମୁଖତା ଦେଖିବାକୁ ମିଳୁଛି ।

ଏହି ମିଶ୍ରଣ ପର୍ବରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଉପସଭାପତି ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ରଘୁନାଥ ସାହୁ, ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ୍ ମହାନ୍ତି, ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ସୁର ମହାପାତ୍ର, ଗୋଶାଣୀ ବ୍ଲକ ଅଧ୍ୟକ୍ଷ ଭୀର ରାଜୁ, ଜିଲ୍ଲା ପରିଷଦ ସଭ୍ୟ ବାଲ୍ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ ।