କଟକ ୨୬।୩: ଗୋଟିଏ ପଟେ ଗ୍ୟାସ୍ ପାଇଁ ହାହାକାର । କିଏ ବୁକ୍ କଲେ ହେଉନାହିଁ ତ ଆଉ କିଏ ଏଜେନ୍ସୀକୁ ଯାଇ ଲମ୍ବା ଲାଇନରେ ରହି ଗ୍ୟାସ ଆଣୁଛି । ଗ୍ୟାସ୍ ସଙ୍କଟ ସମୟରେ ଗୋଟିଏ ପଟେ କଳାବଜାରୀ ବଢ଼ିଥିବା ବେଳେ ଭିନ୍ନ ଭିନ୍ନ ଉପାୟରେ ଏବେ ଲୋକଙ୍କୁ ଠକିବାର ଭିନ୍ନ ଭିନ୍ନ ବାଟ ବାହାର କରୁଛନ୍ତି । ଏହାରି ଭିତରେ ଗ୍ୟାସ୍ ସଟେଜ୍‌ର ସୁଯୋଗ ନେଇ କଟକ କଳିଙ୍ଗ ଗ୍ୟାସ୍‌ର ଜଣେ ଏଜେଣ୍ଟ ସିଲିଣ୍ଡରରେ ପାଣି ପୂରାଇ ବିକ୍ରି କରୁଥିବା ଅଭିଯୋଗ । ଏଭଳି ଅଭିଯୋଗରେ ଗିରଫ କରିଛି ବିଡାନାସୀ ଥାନା ପୋଲିସ । ଅଭିଯୁକ୍ତ ଜଣକ ହେଲେ କଟକ ଅଲିଶାବଜାରର ଧ୍ରୁବ ଚରଣ ବେହେରାକୁ ପୋଲିସ ଗିରଫ କରିଛି । ଧ୍ରୁବ ଠାରୁ ପୋଲିସ ୧୦ଟି ଘରୋଇ ସିଲିଣ୍ଡର ସହ ନଗଦ ୨୩୦୦୦ ଟଙ୍କା ଜବତ କରିଛି ।

ଧ୍ରୁବ ଖାଲି ସିଲିଣ୍ଡରରେ ବିଡାନାସୀ ଥାନା ରଧାକିଶୋରପୁର ମଙ୍ଗଳା ବସ୍ତିରେ ଏକ ଜାଗାରେ ଖାଲି ଗ୍ୟାସ୍‌ରେ ପାଣି ପୁରାଉଥିବା ଲୋକ ଜାଣିବା ପରେ ପୋଲିସ ଟିମ୍ ରେଡ୍ କରି ଧ୍ରୁବକୁ ଗିରଫ କରିଛି । ଧ୍ରୁବ ଗ୍ୟାସ୍‌ରେ ପାଣି ପୂରାଇବା ପାଇଁ ବ୍ୟବହୃତ ପାଇପ, ସିଲଭର ଜାଗା, ମଗ୍‌ ଭଳି ସାମଗ୍ରୀ ବ୍ୟବହାର କରୁଥିଲା ସେ ସବୁକୁ ଜବତ କରିବା ସହ ପୋଲିସ ଧ୍ରୁବକୁ କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣାରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଜାରି ରହିଛି । ଏହି ଘଟଣାରେ ଯେଉଁମାନେ ବି ସାମିଲ ଥିବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିପି କହିଛନ୍ତି ।

 

କଟକ ମହମ୍ମଦିଆ ବଜାର ମେହେନ୍ଦିପୁର ଅଞ୍ଚଳରେ ଥିବା କଳିଙ୍ଗ ଗ୍ୟାସ ଏଜେନ୍ସୀରେ ଧ୍ରୁବ କାମ କରୁଥିଲା । ଗତ ଚାରି ବର୍ଷ ହେବ ଧ୍ରୁବ ସେଠାର ଏଜେନ୍ସୀର ଡେଲିଭରୀ ବଏ ରୂପେ କାମ କରୁଥିଲା । ତେବେ ଗତ ୨୪ ତାରିଖ ରାତିରେ ଧ୍ରୁବ ଏଜେନ୍ସୀକୁ ଟଙ୍କା ଓ ରସିଦ ଦେବାକୁ ଆସି ନଥିଲା ପରେ ଗୁରୁବାର ମଧ୍ୟ ନ ଆସିବାରୁ ଏଜେନ୍ସୀ ମାଲିକ ଧ୍ରୁବ ଘରକୁ ଲୋକ ପଠାଇଥିଲେ ହେଲେ ତାକୁ ପୋଲିସ ଗିରଫ କରିଥିବା ଜାଣିବାକୁ ପାଇଥିଲେ । ତେବେ ଏ ଘଟଣା ନେଇ ଏଜେନ୍ସୀର କୌଣସି ସମ୍ପୃକ୍ତି ନଥିବା କହିଛନ୍ତି ମାଲିକ । ପୋଲିସ ଏପର୍ଯ୍ୟନ୍ତ ଏଜେନ୍ସୀ ସହ ଯୋଗାଯୋଗ କରିନାହିଁ । ତଦନ୍ତ ପାଇଁ ଡାକିଲେ ଏଜେନ୍ସୀ ତରଫରୁ ସବୁ ସହଯୋଗ ମିଳିବ ବୋଲି ଏଜେନ୍ସୀ ମାଲିକ କହିଛନ୍ତି ।