ଭୋପାଲ: ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲା ବ୍ୟାଭରାରୁ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରୁ ଆରମ୍ଭ କରି ପ୍ରଶାସନିକ ଅର୍ଗଳି ପର୍ଯ୍ୟନ୍ତ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଘଟଣା ହେଉଛି ବ୍ୟାଭରାର ଜଣେ ୨୧ ବର୍ଷ ବୟଷ୍କ ବିଏସସି ଛାତ୍ର ସୁରେନ୍ଦ୍ର ସିଂହ ଚୌଧୁରୀ, ଯିଏ ସୋସିଆଲ ମିଡିଆରେ ‘ବିଟ୍ଟୁ ତବାହୀ’ ନାମରେ ଜଣାଶୁଣା ଏକାକୀ ତାଙ୍କ ଗାଁ ଦେଇ ବହୁଥିବା ଅଜନାର ନଦୀକୁ ଆବର୍ଜନା ମୁକ୍ତ କରିଛନ୍ତି। ଗତ ଜାନୁୟାରୀ ୨୬ରୁ ଏଥି ପାଇଁ ଏକାକୀ ଅଭିଯାନ ଆରମ୍ଭ କରିଥିବା ବିଟ୍ଟୁ ମାତ୍ର ୯ ମାସରେ ନଦୀକୁ ପ୍ରଦୂଷଣ ମୁକ୍ତ କରିବାକୁ ସକ୍ଷମ ହୋଇଛନ୍ତି।

ସେ ପ୍ରଥମେ ନଦୀରୁ ପ୍ଲାଷ୍ଟିକ୍ ହଟାଇବା କାମ ଏକାକୀ ଆରମ୍ଭ କରିଥିଲେ। ଏଥିପାଇଁ ତାଙ୍କୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗିବାକୁ ପଡିଥିଲା, ହେଲେ ସେ ପଛକୁ ହଟିନଥିଲେ। ନଦୀ ସଫେଇ ସମୟରେ ସାପ ସହ ମଧ୍ୟ ତାଙ୍କର ଭେଟ ହୋଇଥିଲା, ଏପରିକି ମନ୍ଦିର ପାଖ ଘାଟ ସଫା କରିବା ବେଳେ ତାଙ୍କ ଅଙ୍ଗ ସଂକ୍ରମଣ ହୋଇଯାଇଥିଲା। ହେଲେ ତାଙ୍କ ନଦୀ ସଫେଇ ଝୁଙ୍କ କମିନଥିଲା। ନଦୀ ପ୍ରଦୂଷଣ ମୁକ୍ତ ହୋଇଥିବା ଖବର ସୋସିଆଲ ମିଡିଆରେ ପ୍ରସରିବା ପରେ ସମସ୍ତଙ୍କ ନଜର ସୁରେନ୍ଦ୍ର ସିଂହ ଚୌଧୁରୀ ଓରଫ ବିଟ୍ଟୁ ତବାହୀଙ୍କ ଉପରେ ପଡିଥିଲା। ଏଥିରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ବିଟ୍ଟୁଙ୍କୁ ଭେଟିବା ସହ ତାଙ୍କ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯଦି ଜଣେ ଏକାକୀ ଯୁବକ ନିଜ ବଳରେ ନଦୀ ବଞ୍ଚାଇବାକୁ ସଂକଳ୍ପ ନେଇପାରେ ତେବେ ଆମେ ସମସ୍ତ ମିଶି ଆମର ଜଳ ସ୍ରୋତ କୁ ସ୍ୱଚ୍ଛ ଜୀବନଦାୟୀ କାହିଁକି କରିପାରିବାନି? ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମଧ୍ୟପ୍ରଦେଶ ସରକାରଙ୍କ ‘ଜଲ ଗଙ୍ଗା ସମ୍ବର୍ଦ୍ଧନ ଅଭିଯାନ’ର ଅସଲ ଉଦ୍ଦେଶ୍ୟ ମଧ୍ୟ ଏହା। ଜଳ ସ୍ରୋତର ଲଂରକ୍ଷଣ କରିବା, ତାକୁ ପୁନର୍ଜୀବନ ଦେବା ଓ ଏଥିରେ ସାଧାରଣ ଜନତାଙ୍କ ସହଯୋଗ ମଧ୍ୟ ରହିବ।

ଏହି ପୁରା ପ୍ରକରଣ ସେବେ ସାମ୍ନାକୁ ଆସିଥିଲା ଯେବେ ବିଟ୍ଟୁ ସୋସିଆଲ ମିଡିଆରେ ଏହି ଅଭିଯାନର ଛବି ସେୟାର କରିବା ଆରମ୍ଭ କଲେ। ଏଥିରେ ସଫେଇ ପୂର୍ବର ନଦୀ ଓ ଏବେକା ନଦୀର ଚିତ୍ର ଦେଖାଇଛନ୍ତି। ବିଟ୍ଟୁ ତବାହୀ ନାମରେ ଭାଇରାଲ ହୋଇଥିବା ଏହି ଛବି ଲୋକଙ୍କ ମନ କିଣିଛି ଓ ତାଙ୍କ ପରିଶ୍ରମ ସଫଳ ହୋଇଛି। ବିଟ୍ଟୁଙ୍କ ଏହି ଆଗ୍ରହକୁ ଦେଖି ବ୍ୟାଭରା ନଗର ପାଳିକା ମଧ୍ୟ ତାଙ୍କ ସହାୟତା ଲାଗି ଆଗକୁ ଆସିଥିଲା। ଅଧିକାରୀ କହିଛନ୍ତି ଯେ ବିଟ୍ଟୁଙ୍କ ଏହି ପଦକ୍ଷେପରେ ପ୍ରେରିତ ହୋଇ ସ୍ଥାନୀୟ ନାଗରିକ ମଧ୍ୟ ଏହି ସଫେଇ ଅଭିଯାନରେ ଯୋଡି ହୋଇଥିଲେ। ଏଥିରେ ମୌସୁମୀର ବନ୍ୟା ଲୋକଙ୍କ ପରିଶ୍ରମରେ ସହଯୋଗ କରିଛି। ଅଧିକାରୀ ପୁଷ୍ଟି କରିଛନ୍ତି ଯେ ବିଟ୍ଟୁ ସୋସିଆଲ ମିଡିଆରେ ସେୟାର କରିଥିବା ପୂର୍ବର ଓ ଏବେର ଛବି ପୁରା ଅସଲି।

ତେବେ ଧ୍ୟାନଦେବାର କଥା ହେଉଛି ଏହି ସଫେଇ ପରେ ବି ନଦୀ ଲାଗି ଏକ ବଡ଼ ସଂକଟ ରହିଛି। ତାହା ହେଉଛି ପ୍ରଦୂଷଣର ମୂଳ କାରଣ ଏଥିରେ ମିଶୁଥିବା ନର୍ଦ୍ଦମା ପାଣି। ୫ଟି ବଡ଼ ନାଳର ନର୍ଦ୍ଦମା ପାଣି ଏହି ନଦୀରେ ସିଧାସଳଖ ମିଶୁଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ବାହାର କରିବା ପାଇଁ ଏବେ ବ୍ୟାଭରା ନଗର ପାଳିକା ଅଣ୍ଟାଭିଡିଛି। ଇଞ୍ଜିନିୟର ରୂପେଶ କୁମାର ନେତାମ ନର୍ଦ୍ଦାମା ପାଣିକୁ ରୋକିବା ପାଇଁ ୧୪.୭୭ କୋଟି ଟଙ୍କା ବ୍ୟୟରେ ଏକ ଏସଟିପି ନିର୍ମାଣ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି। ଏହି ପ୍ଲାଣ୍ଟ ତିଆରି ହେଲେ ନଦୀକୁ ନର୍ଦ୍ଦମା ପାଣି ପଶିବା ବନ୍ଦ ହୋଇଯିବ ଓ ପ୍ରଦୂଷଣ ସମସ୍ୟାର ସବୁଦିନିଆ ସମାଧାନ ହୋଇଯିବ।