ଚଣ୍ଡିଖୋଲ: ଶିଆଳ ଆକ୍ରମଣରେ ଆହତ ହେଲେ ବାଇକ ଆରୋହୀ। ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ଗ୍ରାମବାସୀ।ଘଟଣା ଘଟିଛି ଯାଜପୁର କ୍ଷେତ୍ରପାଳ ପଞ୍ଚାୟତ ଗୋପାଳପୁର ରାସ୍ତାରେ।

ସୂଚନା ଅନୁସାରେ, କଣ୍ଟିଗଡ଼ିଆ ଗ୍ରାମର ପ୍ରମୋଦ ନାୟକ ମୋଟର ସାଇକେଲ ଯୋଗେ କୌଣସି କାର୍ଯ୍ୟରେ ଚଣ୍ଡିଖୋଲ ଯାଉଥିବା ସମୟରେ କ୍ଷେତ୍ରପାଳ ପଞ୍ଚାୟତ ଗୋପାଳପୁର ରାସ୍ତା ନିକଟରେ ୪ରୁ ୫ଟି ଶିଆଳ ଆସି ଉକ୍ତ ମୋଟର ସାଇକେଲରେ ମାଡ଼ ହୋଇଥିଲେ। ଫଳରେ ପ୍ରମୋଦ ନାୟକ ତଳେ ପଡ଼ିଯାଇଥିଲେ।

ଏହା ପରେ ଶିଆଳମାନେ ମିଶି ପ୍ରମୋଦ ନାୟକଙ୍କୁ ଆକ୍ରମଣ ଉଦମ କରୁଥିଲା ବେଳେ ସ୍ଥାନୀୟ ଲୋକମାନେ ପହଞ୍ଚି ଶିଆଳଙ୍କ ଉପରକୁ ପଥର ମାଡ଼ କରିଥିଲେ। ଏହା ପରେ ଗ୍ରାମବାସୀ ପ୍ରମୋଦଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।

ସୂଚନାଥାଉକି, ଅଳ୍ପ କିଛିଦିନ ପୂର୍ବରୁ ମଧ୍ୟ ଏହି ରାସ୍ତାକୁ ସଂଯୋଗ କରୁଥିବା ନେଉଳପୁର ରାସ୍ତା ନିକଟସ୍ଥ ବିଲରେ କାର୍ଯ୍ୟ କରିବାକୁ ଆସି ଜଣେ ମହିଳା ହେଟା ବାଘର ଶିକାର ହୋଇଥିଲେ। ତାଙ୍କୁ କଟକ ବଡ଼ ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା।

ସେପଟେ ଏଭଳି ଘଟଣା ବାରମ୍ବାର ଘଟୁଥିବାର ଏହି ରାସ୍ତା ଦେଇ ଯା’ଆସ କରିବା ପାଇଁ ସାଧାରଣ ଲୋକେ ଏବେ ଆତଙ୍କିତ । ସାଧାରଣରେ ଦାବି, ଏହି ରାସ୍ତାଦେଇ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା କରାଯାଉ। ଯାହାଦ୍ବାରା କିଛି ମାତ୍ରାରେ ଏହି ପଶୁମାନଙ୍କ ଆତଙ୍କରୁ ସାଧାରଣ ଲୋକେ ବର୍ତ୍ତିପାରିବେ।