ବେଜିଂ: ଚୀନ୍ ସେନାର ଦୁଇ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇଛି। ଚୀନ୍ରେ ଶାସକ କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ରୀୟ ସୈନ୍ୟ ଆୟୋଗ ଉପାଧ୍ୟକ୍ଷ ଝାଙ୍ଗ ୟୁକ୍ସିୟା ଓ ଜଏଣ୍ଟ ଷ୍ଟାଫ୍ ବିଭାଗର ମୁଖ୍ୟ ଥିବା ଲ୍ୟୁ ଝେନଲୀଙ୍କୁ ପାର୍ଟି ଓ ସୈନ୍ୟ ବାହିନୀରୁ ବିଦା କରିଦିଆଯାଇଛି। ସରକାରୀ ସମ୍ବାଦ ସରବରାହ ସଂସ୍ଥା ସିହ୍ନୁଆ ଅନୁସାରେ ଉଭୟ ଅଧିକାରୀଙ୍କ ଉପରେ ଆର୍ଥିକ ଅନିୟମିତତା, ଦୁର୍ନୀତି ଓ ଅନୁଶାସନ ତଥା ଆଇନ ଉଲ୍ଲଂଘନର ଅଭିଯୋଗ ରହିଛି। ଉଲ୍ଲେଖଯୋଗ୍ୟ ଯେ ଝାଙ୍ଗ ୟୁକ୍ସିୟା ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପରେ ଦେଶର ସୈନ୍ୟ ବ୍ୟବସ୍ଥାରେ ସବୁଠୁ ଅଧିକ ପ୍ରଭାବଶାଳୀ ଅଧିକାରୀ ଥିଲେ।

ସେ କେନ୍ଦ୍ରୀୟ ସୈନ୍ୟ ଆୟୋଗର ଉପାଧ୍ୟକ୍ଷ ଥିଲେ ଓ ଦୀର୍ଘ ସମୟରୁ ରାଷ୍ଟ୍ରପତି ସି ଜିନପିଙ୍ଗ ଙ୍କ ନିକଟତମ ସୈନ୍ୟ ସହଯୋଗୀ ଥିଲେ। ସେହିପରି ଲ୍ୟୁ ଝେନଲୀ ମଧ୍ୟ କେନ୍ଦ୍ରୀୟ ସୈନ୍ୟ ଆୟୋଗର ସଦସ୍ୟ ଥିଲେ ଓ ଜଏଣ୍ଟ ଷ୍ଟାଫ ବିଭାଗ ଦାୟିତ୍ୱ ସମ୍ଭାଳି ଥିଲେ। ଏବେକା ସୂଚନା ଅନୁସାରେ ଅଧିକାରୀଙ୍କ ବିରୋଧରେ ଗତ ଜାନୁୟାରୀ ମାସରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ପରେ ଅଗଷ୍ଟ ଶେଷ ବେଳକୁ ସେମାନଙ୍କୁ କେନ୍ଦ୍ରୀୟ ସୈନ୍ୟ ଆୟୋଗରୁ ହଟାଇ ଦିଆଯାଇଥିଲା। ଏବେ କମ୍ୟୁନିଷ୍ଟ ପାର୍ଟି ସେମାନଙ୍କୁ ପାର୍ଟି ଓ ସେନାରୁ ନିଷ୍କାସିତ କରିଛି। ପାର୍ଟି କାଗଜପତ୍ରରେ ସେମାନଙ୍କ ବିରୋଧରେ ପାର୍ଟି ପ୍ରତି ବିଶ୍ୱସ୍ଥ ନ ରହିବା, ଦୁର୍ନୀତିରେ ଲିପ୍ତ ରହିବା ଓ ଦାୟିତ୍ୱ ନିର୍ବାହ ନ କରିବା ସହ ପଦବୀର ତ୍ରୁଟିପୁର୍ଣ୍ଣ ଉପଯୋଗ କରିବା ଭଳି ଗୁରୁତର ଅଭିଯୋଗ ଅଣାଯାଇଥିଲା।

ଝାଙ୍ଗ ୟୁକ୍ସିୟାଙ୍କ ରାଜନୈତିକ ପଦବୀ ବେଶ୍ ଉଚ୍ଚ ଥିଲା। ସେ କମ୍ୟୁନିଷ୍ଟ ପାର୍ଟିର ଶୀର୍ଷ ପଲିଟିବ୍ୟୁରୋର ସଦସ୍ୟ ମଧ୍ୟ ଥିଲେ। ଏହାଛଡା ସେ ଚୀନର ହାତଗଣତି ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ଜଣେ ଥିଲେ ଯାହାଙ୍କର ଯୁଦ୍ଧ ଅଭିଜ୍ଞତା ମଧ୍ୟ ରହିଛି। ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରପତି ସି ଜିନପିଙ୍ଗ ୨୦୧୩ରେ ପଦବୀ ଅଳଙ୍କୃତ କରିବା ପରଠାରୁ ଦେଶରେ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ଆସୁଛନ୍ତି। ଏହି ଅଭିଯାନରେ ଚୀନ୍ ସେନା ଲଗାତାର ଟାର୍ଗେଟରେ ରହିଛି। ଗତ ଅଗଷ୍ଟରେ ଜେନେରାଲ ଝାଓ ଜୋଙ୍ଗଛିଙ୍କୁ ଚୀନ୍ ର ଶୀର୍ଷ କୂଟନୈତିକ ପରାମର୍ଶଦାତା ସଂସ୍ଥାରୁ ହଟାଇ ଦିଆଯାଇଥିଲା।