ଇସ୍ଲାମାବାଦ: ପାକିସ୍ତାନରେ ଇମ୍ରାନ ଖାନଙ୍କୁ ନେଇ ପୁଣି ଜୋର ଧରିଲା ରାଜନୀତି। ଜେଲ୍ ରେ ବନ୍ଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥନରେ ଦେଶରେ ଉଠୁଥିବା ସବୁ ସ୍ୱରକୁ ଦବାଇବାକୁ ଏବେ ସରକାର ଓ ସେନା ତତ୍ପର ହୋଇପଡିଛନ୍ତି। ଏବେ ଇମ୍ରାନଙ୍କ ପରିବାରକୁ ସରକାର ଟାର୍ଗେଟ୍ କରିଛନ୍ତି। ଇମ୍ରାନଙ୍କ ଆଉ ଦୁଇ ଭଉଣୀ ନୁରୀନ ନିୟାଜୀ ଓ ଅଜମା ଖାନଙ୍କୁ ପୋଲିସ ୩୦ ଦିନ ପାଇଁ ହାଜତକୁ ପଠାଇ ଦେଇଛି। ଏହା ପୂର୍ବରୁ ଇମ୍ରାନଙ୍କ ଭଉଣୀ ଅଲିମା ଖାନଙ୍କୁ ଗରିଫ କରାଯାଇଥିଲା।

ଆଇନଶୃଙ୍ଖଳା କାୟମ ରଖିବା ବାହାନାରେ ନୁରୀନ ଓ ଅଜମାଙ୍କୁ କୋଟ ଲଖପତ ଜେଲରେ ରଖା ଯାଇଛି। ଏହିପରି ଭାବେ ଇମ୍ରାନଙ୍କ ୩ ଭଉଣୀ ଏବେ ଜେଲରେ ଅଛନ୍ତି। ଜିୟୋ ନ୍ୟୁଜ୍ ରିପୋର୍ଟ ଅନୁସାରେ ଅଲିମା ଖାନଙ୍କ ଦୁଇ ପୁଅ ଶହରଜ ଖାନ ଓ ଶେର ଶାହଙ୍କୁ ଲାହୋରରୁ ହାଜତକୁ ନିଆଯାଇଥିଲା। ତେବେ କିଛି ଘଣ୍ଟା ପରେ ସେମାନଙ୍କୁ ଛାଡି ଦିଆଯାଇଥିବା ଜଣାପଡିଛି। ଏହି ସବୁ ଗିରଫଦାରୀ ପିଟିଆଇର ବଡ଼ ଧରଣର ପ୍ରଦର୍ଶନ ଠିକ୍ ପୂର୍ବରୁ ହୋଇଛି। ଇମ୍ରାନଙ୍କ ମୁକ୍ତି ଓ ଦେଶରେ ସମ୍ବିଧାନ ଲାଗୁ ଦାବିରେ ପିଟିଆଇ ସେପ୍ଟେମ୍ବର ୨୭ରେ ଇସ୍ଲାମାବାଦ ଲଙ୍ଗମାର୍ଚ୍ଚ ଆହ୍ୱାନ ଦେଇଛି। ଏହି ମାର୍ଚ୍ଚକୁ ରୋକିବା ପାଇଁ ସରକାର ଦମନମୂଳକ କାର୍ଯ୍ୟାନୁଷ୍ଠାନ ହାତକୁ ନେଇଛନ୍ତି।

ପିଟିଆଇ ଖୈବର ପକ୍ତୁନଖ୍ୱା ଅଧ୍ୟକ୍ଷ ଜୁନୈଦ ଅକବର ପେଶାବରରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ସରକାରଙ୍କୁ ଖୋଲା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ କାର୍ଯ୍ୟକର୍ତ୍ତା ବିଭିନ୍ନ ରାସ୍ତାରେ ଇସ୍ଲାମାବାଦ ପହଞ୍ଚିବେ ଓ ଆବଶ୍ୟକତା ପଡିଲେ ଚାଲିଚାଲି ଯିବେ। ସେ କହିଛନ୍ତି ଏଥର କାର୍ଯ୍ୟକର୍ତ୍ତା ଶବ ନେଇ ଫେରିବେନି, ଆମେ ଇସ୍ଲାମାବାଦକୁ ସୋମନାଥ କରିଦେବୁ। ଏହି ବୟାନର ସରକାର କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଗୃହରାଜ୍ୟ ମନ୍ତ୍ରୀ ତଲାଲ ଚୌଧୁରୀ କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନୀକୁ ଅନୁମତି ମିଳିବ। ତେବେ ଯେଉଁମାନେ ଆତଙ୍କ ସୃଷ୍ଟି କରିବେ ସେମାନଙ୍କୁ ଛଡାଯିବନି।

ସେ ଚେତାବନୀ ଦେଇ କହିଛନ୍ତି ଯେ ଯିଏ ଶାନ୍ତିପୂର୍ଣ୍ଣ ନାଗରିକ ସେ ୧୦୦ ଥର ଇସ୍ଲାମାବାଦ ଆସନ୍ତୁ ଆପତ୍ତି ନାହିଁ। ହେଲେ ଯିଏ ଆତଙ୍କବାଦୀ ହୋଇ ଆସିବେ ତାଙ୍କୁ ଫେରସ୍ତ ଯିବାକୁ ଦିଆଯିବନି। ସୂଚନା ମନ୍ତ୍ରୀ ଅତାଉଲ୍ଲା ତରାର ମଧ୍ୟ ପୋଲିସ ଓ ପ୍ରଶାସନ କୌଣସି ପରିସ୍ଥିତିରେ ମଧ୍ୟ ଅଶାନ୍ତି ବ୍ୟପ୍ତ କରିବାକୁ ଥିବା ସମୂହକୁ ରାଜଧାନୀକୁ ପଶିବାକୁ ଦେବେନି ବୋଲି କହିଛନ୍ତି। ସରକାର ଇସ୍ଲାମାବାଦ-ରାୱଲପିଣ୍ଡିରେ ସୁରକ୍ଷା କଡ଼ାକଡ଼ି କରିଛନ୍ତି। ପୁରା ଅଞ୍ଚଳ ଏବେ ପୋଲିସ ଛାଉଣୀରେ ପରିବର୍ତ୍ତିତ ହୋଇଛି।