କଟକ: ଓଡ଼ିଶାର କ୍ରୀଡ଼ା ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । କଟକର ଐତିହାସିକ ବାରବାଟୀ ଷ୍ଟାଡିଅମଠାରେ ‘ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬’ର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଟ୍ରଫିରେ ଫୁଟବଲ, ଖୋ-ଖୋ, କବାଡ଼ି ଓ ଭଲିବଲ ପରେ ଏବେ କ୍ରିକେଟ୍ ପଞ୍ଚମ କ୍ରୀଡ଼ା ଭାବେ ସାମିଲ ହୋଇଛି, ଯାହା ଆମ ୩୦ଟି ଜିଲ୍ଲାରେ ଥିବା ଗ୍ରାମୀଣ କ୍ରିକେଟ୍ ପ୍ରତିଭାଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ନିଜ ଦକ୍ଷତା ପ୍ରଦର୍ଶନର ଏକ ନୂଆ ଓ ବଡ଼ ମଞ୍ଚ ପ୍ରଦାନ କରିବ" ଲିଗ୍ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ଖେଳ ଏବେ କେବଳ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟରେ ସୀମିତ ନରହି ଏକ ସଫଳ କ୍ୟାରିୟରର ମାଧ୍ୟମ ପାଲଟିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ଗୋଟିଏ ଦଶନ୍ଧି ମଧ୍ୟରେ ଭାରତର କ୍ରୀଡ଼ା ଦୃଶ୍ୟପଟ୍ଟ ସମ୍ପୂର୍ଣ୍ଣ ବଦଳିଯାଇଛି । ଆଜିର ଟି-୨୦ ଏବଂ ଲିଗ୍ କ୍ରିକେଟ୍ ଯୁଗରେ ଯୁବ ଖେଳାଳିଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇଛି । ଏହି ଲିଗ୍ରେ ପ୍ରସିଦ୍ଧ ଭାରତୀୟ କ୍ରିକେଟର ସୁରେଶ ରାଇନା ଏବଂ ଓଡ଼ିଶାର ‘ସ୍ୱିଙ୍ଗ ମାଷ୍ଟର’ ଦେବାଶିଷ ମହାନ୍ତି ଆମ୍ବାସାଡର ଭାବେ ଯୋଡ଼ି ହୋଇଥିବାରୁ ଏହା ଯୁବ ଖେଳାଳିଙ୍କୁ ପ୍ରେରଣା ଦେବ । ରାଜ୍ୟରେ ପ୍ରତିଭା ଓ ଭିତ୍ତିଭୂମିର ଅଭାବ ନାହିଁ, ତେଣୁ ଚୟନକର୍ତ୍ତାମାନେ ସଠିକ୍ ପ୍ରତିଭାକୁ ଚିହ୍ନଟ କରି ଆଗାମୀ ଦିନରେ ଓଡ଼ିଶାରୁ ଆହୁରି ଅନେକ ଜାତୀୟ ଓ ଆଇପିଏଲ୍ ଖେଳାଳି ସୃଷ୍ଟି କରିବେ ବୋଲି ସେ ବିଶ୍ୱାସ ପ୍ରକାଶ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ସମସ୍ତ ୩୧୪ଟି ବ୍ଲକରେ ୪,୧୨୪ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ କରୁଛନ୍ତି । ଏହା ସହିତ ଭୁବନେଶ୍ୱରର ଗୋଠପାଟଣାଠାରେ ଏକ ହାଇ-ଟେକ୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପ୍ରତିଷ୍ଠା କରାଯିବ । ବାରବାଟୀ ଷ୍ଟାଡିୟମର ସମ୍ପୂର୍ଣ୍ଣ ନବୀକରଣ କରାଯାଇ ଏହାକୁ ଦେଶର ଶ୍ରେଷ୍ଠ କ୍ରୀଡ଼ା ଭେନ୍ୟୁରେ ପରିଣତ କରିବା ପାଇଁ ସରକାର ସଙ୍କଳ୍ପବଦ୍ଧ । ଓଡ଼ିଶା କ୍ରିକେଟ୍ ଆସୋସିଏସନର under -14 କ୍ରିକେଟ୍ ଏକାଡେମୀ ପ୍ରତିଷ୍ଠା ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଲିଗରେ ଭାଗ ନେଇଥିବା ସମସ୍ତ ୬ଟି ଦଳ, ଅଧିନାୟକ, ପ୍ରଶିକ୍ଷକ ଓ କ୍ରୀଡ଼ାପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଅବସରରେ ପୂର୍ବତନ ଭାରତୀୟ ଅନ୍ତର୍ଜାତୀୟ କ୍ରିକେଟର ଶ୍ରୀ ସୁରେଶ ରାଇନା କହିଛନ୍ତି ଯେ, ସେ ଶେଷ ଥର ପାଇଁ କଟକର ବାରବାଟୀ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିବା ଅବସରରେ ଓଡ଼ିଶା ଆସିଥିଲେ । ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପ ପ୍ରକୃତରେ ପ୍ରଶଂସନୀୟ । ଏହା ନିଶ୍ଚିତ ଭାବରେ ଖେଳାଳିମାନଙ୍କୁ କ୍ରିକେଟ ଖେଳ ପ୍ରତି ସେମାନଙ୍କର ଭଲପାଇବା ପ୍ରକାଶ କରିବା ଏବଂ କ୍ରୀଡ଼ାକୁ ଆପଣାଇବା ପାଇଁ ଉତ୍ସାହିତ କରିବ ।