ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ (CSK) ଏକ ବଡ଼ ନିଷ୍ପତ୍ତି ନେଇଛି। ଟିମ୍ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନଙ୍କୁ ଦଳର ନୂତନ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଦୀର୍ଘ ୧୮ ବର୍ଷ ଧରି କୋଚ୍ ଦାୟିତ୍ୱ ତୁଲାଉଥିବା ଷ୍ଟିଫେନ୍ ଫ୍ଲେମିଂଙ୍କ ପରେ ସିଏସକେ କୌଣସି ଭାରତୀୟ ବରିଷ୍ଠଙ୍କୁ ଏହି ଦାୟିତ୍ୱ ଦେବାକୁ ଯୋଜନା କରୁଥିବା ନେଇ ଚର୍ଚ୍ଚା ହେଉଥିଲା। ଏବେ ଫ୍ରାଞ୍ଚାଇଜି ଆନୁଷ୍ଠାନିକ ଭାବେ ଜାହିରଙ୍କ ନାମ ଘୋଷଣା କରିସାରିଛି।

୨୦୧୭ରେ ଆଇପିଏଲ୍ରୁ ଅବସର ନେବା ପରେ ଜାହିର ଖାନ୍ ବିଭିନ୍ନ ଟିମ୍ ସହ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ କାର୍ଯ୍ୟ କରିଛନ୍ତି। ୨୦୧୯ରେ ସେ ମୁମ୍ବାଇ ଇଣ୍ଡିଆନ୍ସର 'ଡାଇରେକ୍ଟର ଅଫ୍ କ୍ରିକେଟ୍ ଅପରେସନ୍ସ' ଏବଂ ପରବର୍ତ୍ତୀ ସମୟରେ 'ହେଡ୍ ଅଫ୍ ଗ୍ଲୋବାଲ୍ ଡେଭଲପମେଣ୍ଟ' ଭାବେ କାର୍ଯ୍ୟ କରିଥିଲେ। ଏହାପରେ ଆଇପିଏଲ୍ ୨୦୨୫ରେ ସେ ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ର ମେଣ୍ଟର ଦାୟିତ୍ୱ ତୁଲାଇଥିଲେ, ମାତ୍ର ଆସନ୍ତା ସିଜିନ୍ ପୂର୍ବରୁ ସେ ସେହି ଦଳରୁ ଓହରି ଯାଇଥିଲେ।

Also Read: Asian Games 2026: ଭାରତ-ଜାପାନ ଐତିହାସିକ T20I ମ୍ୟାଚ୍ ଉପରେ ବଡ଼ ବିପଦ, ଜାଣନ୍ତୁ କାହିଁକି ଖେଳାଯାଉଛି ଏହି ସ୍ମରଣୀୟ ମୁକାବିଲା

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଡେଲି କ୍ୟାପିଟାଲ୍ସ ପାଇଁ ଖେଳିଥିବା ଜାହିର ଖାନଙ୍କ ଆଇପିଏଲ୍ ରେକର୍ଡ ବେଶ ଦମଦାର୍ ରହିଛି। ଜଣେ ଖେଳାଳି ଭାବେ ସେ ନିଜ ଆଇପିଏଲ୍ କ୍ୟାରିୟରରେ ମୋଟ ୧୦୦ଟି ମ୍ୟାଚର ୯୯ଟି ପାଳିରେ ବୋଲିଂ କରି ୨୭.୨୭ ହାରାହାରି ଏବଂ ୭.୫୮ ଇକୋନୋମିରେ ୧୦୨ଟି ୱିକେଟ୍ ହାସଲ କରିଛନ୍ତି। ଏଥିରେ ୧୭ ରନ୍ ଦେଇ ୪ଟି ୱିକେଟ୍ ନେବା ତାଙ୍କର ଶ୍ରେଷ୍ଠ ବୋଲିଂ ସଫଳତା ଥିଲା।

ସିଏସକେର ମୁଖ୍ୟ କୋଚ୍ ନିଯୁକ୍ତ ହେବା ପରେ ଜାହିର ଖାନ୍ କହିଛନ୍ତି ଯେ, ଆଇପିଏଲ୍ ଇତିହାସର ସବୁଠାରୁ ସଫଳ ଦଳର ଅଂଶବିଶେଷ ହେବା ତାଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ। ଜଣେ ଖେଳାଳି ଭାବେ ସେ ସର୍ବଦା ମଇଦାନରେ ସିଏସକେ ବିରୋଧରେ ଖେଳିବାର ମଜା ନେଇଛନ୍ତି ଏବଂ ଚେପକ୍ ଷ୍ଟାଡିୟମ୍ରେ ସୁପରଫ୍ୟାନ୍ସମାନେ ଯେଉଁ ମାହୋଲ ସୃଷ୍ଟି କରନ୍ତି, ତାହା ସବୁବେଳେ ସ୍ୱତନ୍ତ୍ର। ଏହି ମହାନ ଫ୍ରାଞ୍ଚାଇଜି ସହ ଯୋଡ଼ିହୋଇ ନୂଆ ସଫଳତା ହାସଲ କରିବାକୁ ସେ ଆଗ୍ରହର ସହ ଅପେକ୍ଷା କରିଛନ୍ତି।