ମୁମ୍ବାଇ ୦୮।୦୯; ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଆଗରେ ହାର ମାନେ ଭାଗ୍ୟ। କଥାରେ ଅଛି, ଯିଏ ମୁଳରୁ ଯାତ୍ରା ଆରମ୍ଭ କରେ, ସିଏ ଦିନେ ଶିଖରରେ ପହଞ୍ଚେ। ଆଜି ଆମେ କହିବାକୁ ଯାଉଛୁ ଏମିତି ଜଣେ ଅଭିନେତାଙ୍କ ସଂଘର୍ଷର କାହାଣୀ, ଯିଏ ଦିନେ ବଲିଉଡର ବଡ ବଡ ଷ୍ଟାରଙ୍କ ବିବାହରେ ବାସନ ମାଜୁଥିଲେ, ଆଉ ଆଜି ସେ ନିଜେ କ୍ୟାରିଅରର ଶୀର୍ଷରେ ପହଞ୍ଚିଛନ୍ତି । ଯାହାକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ଅଛନ୍ତି ।

'ବିଗ୍ ବସ୍ ୨୦'ରେ ଏଣ୍ଟ୍ରି:

ସଲମାନ ଖାନଙ୍କ ବହୁପ୍ରତୀକ୍ଷିତ ରିଆଲିଟି ଶୋ 'ବିଗ୍ ବସ୍ ୨୦' । ଏବେ କଲର୍ସ ଟିଭି ଏବଂ ଜିଓ ହଟଷ୍ଟାରରେ ସେପ୍ଟେମ୍ବର ୬ରୁ ଆରମ୍ଭ ହୋଇସାରିଛି। ୧୬ ଜଣ ଚର୍ଚ୍ଚିତ ପ୍ରତିଯୋଗୀଙ୍କ ମଧ୍ୟରେ ସାମିଲ ଅଛନ୍ତି ଅଭିନେତା ଆସିଫ୍ ଖାନ। ପ୍ରାଇମ୍ ଭିଡିଓର ସୁପରହିଟ୍ ସିରିଜ୍ 'ପଞ୍ଚାୟତ'ରେ ଫୁଲେରା ଗ୍ରାମର ଜ୍ୱାଇଁ 'ଗଣେଶ' ଭୂମିକାରେ ଅଭିନୟ କରି ସେ ଦର୍ଶକଙ୍କ ନିକଟରେ ଅପାର ଲୋକପ୍ରିୟତା ସାଉଁଟିଥିଲେ। ଆସିଫଙ୍କ ଏହି ସ୍ଥାନ ପର୍ଯ୍ୟନ୍ତ ଯାତ୍ରା ବହୁତ ସହଜ ନଥିଲା। ଏକ ସାକ୍ଷାତକାରରେ ସେ ପ୍ରକାଶ କରିଥିଲେ ଯେ ଯେତେବେଳେ ମୁମ୍ବାଇ ଆସିବା ପରେ ପରିବାର ଚଳାଇବା ପାଇଁ ଆସିଫ୍ ବିଭିନ୍ନ ହୋଟେଲରେ ୱେଟର ଭାବେ କାମ କରୁଥିଲେ। ୨୦୧୨ ମସିହାରେ ସୈଫ୍ ଅଲ୍ଲୀ ଖାନ ଓ କରୀନା କପୁରଙ୍କ ବିବାହ ଭୋଜି ସମୟରେ ସେ 'ତାଜ ହୋଟେଲ'ରେ ବାସନ ଧୋଉଥିଲେ। ନବଦମ୍ପତିଙ୍କୁ ଟିକିଏ ଦେଖିବା ପାଇଁ ସେ ମ୍ୟାନେଜରଙ୍କୁ ଅନୁରୋଧ କରିଥିଲେ ବି ଅନୁମତି ମିଳିନଥିଲା। କିନ୍ତୁ ସେ ଭାଙ୍ଗି ପଡ଼ିନଥିଲେ, ବୋଧହୁଏ ସେହି ଦିନ ହିଁ ନିଜ ଭାଗ୍ୟ ବଦଳାଇବାର ଦୃଢ଼ ସଂକଳ୍ପ ନେଇଥିଲେ।

ଜୀବନର ସମସ୍ତ ପ୍ରତିବନ୍ଧକକୁ ଏଡ଼ାଇ ଆଜି ସୁପରଷ୍ଟାର ସଲମାନ ଖାନଙ୍କ ସହ ଗୋଟିଏ ମଞ୍ଚରେ ଛିଡ଼ା ହୋଇଛନ୍ତି ଆସିଫ୍ ଖାନ। ତାଙ୍କର ଏହି ସଫଳତା ପ୍ରମାଣ କରୁଛି ଯେ ଚେଷ୍ଟା କଲେ ସପ୍ନ ନିଶ୍ଚୟ ପୂରଣ ହୁଏ। 'ବିଗ୍ ବସ୍' ହାଉସ୍ରେ ଆସିଫ୍ଙ୍କ ଏହି ନୂଆ ଯାତ୍ରା କେତେ ରୋଚକ ହେଉଛି, ତାହା ଦେଖିବା ବାକି ରହିଲା।