ନୂଆଦିଲ୍ଲୀଅଯୋଧ୍ୟା ରାମମନ୍ଦିର ଦାନ ପାଣ୍ଠି ଚୋରି ମାମଲାରେ ଆମ ଆଦମି ପାର୍ଟି ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏହି ମାମଲାରେ ବଡ଼ ବଡ଼ ଲୋକେ ସମ୍ପୃକ୍ତ ଅଛନ୍ତି। ନାଁ ସାମ୍ନାକୁ ଆସିଲେ ହୁଏତ ଉତ୍ତର ପ୍ରଦେଶ ସରକାର ଭାଙ୍ଗିଯାଇ ପାରେ ବୋଲି କେଜରିୱାଲ୍ ଅଭିଯୋଗ କରିଛନ୍ତି।

ଏକ୍ସରେ ପୋଷ୍ଟ କରି କେଜରିୱାଲ୍ ଲେଖିଛନ୍ତି “ରାମ ମନ୍ଦିର କୋଟି କୋଟି ହିନ୍ଦୁଙ୍କ ଆସ୍ଥା ବହନ କରେ। ସେହି ରାମ ମନ୍ଦିରରୁ କୋଟି କୋଟି ଟଙ୍କାର ଦାନ ଚୋରି ହୋଇଛି, ତଥାପି ଗୋଟିଏ ବି ଏଫଆଇଆର ରୁଜୁ ହୋଇ ନାହିଁ। ସରକାର କାହାକୁ ସୁରକ୍ଷା ଦେଉଛି? ଏହି ପାପରେ ଜଡିତ ଲୋକ ଯେତେ ବଡ଼ ହୁଅନ୍ତୁ ନା କାହିଁକି, ସେମାନଙ୍କୁ ସିଧା ଜେଲ ଭିତରକୁ ଫୋପାଡ଼ି ଦିଅନ୍ତୁ। କୋଟି କୋଟି ଲୋକଙ୍କ ଆସ୍ଥାକୁ ରକ୍ଷା କରିବା ଅତ୍ୟନ୍ତ ଜରୁରୀ।"

ଭିଡିଓ ବାର୍ତ୍ତା ପୋଷ୍ଟ କରି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ରାମ ମନ୍ଦିରକୁ ଦାନ କରାଯାଇଥିବା ନଗଦ ଏବଂ ମୂଲ୍ୟବାନ ଜିନିଷ ଚୋରି ହୋଇଛି। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।"

ଭିଡିଓ ବାର୍ତ୍ତାରେ କେଜରିୱାଲ୍ କହିଛନ୍ତି "ଅଯୋଧ୍ୟାର ରାମ ମନ୍ଦିରରୁ ଶହ ଶହ କୋଟି ଟଙ୍କାର ଦାନ ଚୋରି ହୋଇଛି। କୁହାଯାଉଛି ଯେ ପ୍ରାୟ ୨୦୦ କୋଟି ଟଙ୍କାର ନଗଦ ଅର୍ଥ ଚୋରି ହୋଇଛି। ଏହାଛଡ଼ା ଅନେକ ବାକ୍ସ ହୀରା ଏବଂ ଗହଣା ମଧ୍ୟ ଚୋରି ହୋଇଛି। କିନ୍ତୁ ଗୋଟିଏ ବି ଏଫ୍ଆଇଆର୍ (FIR) ରୁଜୁ ହୋଇନାହିଁ। ନା ଉତ୍ତରପ୍ରଦେଶ ପୋଲିସ ଏଫ୍ଆଇଆର୍ କରିଛି, ନା ଇଡି (ED) କିମ୍ବା ସିବିଆଇ (CBI) କୌଣସି ମାମଲା ରୁଜୁ କରିଛନ୍ତି," ବୋଲି କେଜ୍ରିୱାଲ ଲେଖିଛନ୍ତି।

Also Read- ରାଜ୍ୟସଭା ନୋମିନେସନ ରଦ୍ଦରେ କଂଗ୍ରେସର ହାତ ନେଇ ବିଜେପି ଦାବିର ଜବାବ ରଖିଲେ ମିନାକ୍ଷୀ ନଟରାଜନ, ଜାଣନ୍ତୁ କହିଲେ କ’ଣ?

ସେ ଆହୁରି ମଧ୍ୟ କହିଛନ୍ତି, "କେନ୍ଦ୍ର ଏବଂ ଉତ୍ତରପ୍ରଦେଶ ଉଭୟ ସ୍ଥାନରେ ସେମାନଙ୍କର (ବିଜେପି) ସରକାର ଅଛି। କୌଣସି ଚଢ଼ାଉ ନାହିଁ, କୌଣସି ଗିରଫଦାରୀ ନାହିଁ। ସେମାନେ କହୁଛନ୍ତି ଯେ ଏଥିରେ ବଡ଼ ବଡ଼ ନାମ ଜଡ଼ିତ ଅଛି। ଯଦି କାର୍ଯ୍ୟାନୁଷ୍ଠାନ ନିଆଯାଏ, ତେବେ ସରକାର ମଧ୍ୟ ଗଡ଼ି ଯାଇପାରେ। ଆପଣଙ୍କ ମତରେ, କାହାକୁ ବଞ୍ଚାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ? ସରକାର କିମ୍ବା କୋଟି କୋଟି ଲୋକଙ୍କ ଆସ୍ଥା?"

ରାମ ମନ୍ଦିର ଦାନ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ତଦନ୍ତ ଚାଲିଥିବା ସମୟରେ କେଜ୍ରିୱାଲଙ୍କ ଏହି ମନ୍ତବ୍ୟ ଆସିଛି। ଶନିବାର ଦିନ ହନୁମାନ ଗଡ଼ିର ମୁଖ୍ୟ ପୂଜକ ମହନ୍ତ ସଞ୍ଜୟ ଦାସ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ଉପରେ ବିଶ୍ୱାସ ପ୍ରକଟ କରି କହିଛନ୍ତି ଯେ ତଦନ୍ତ ମାଧ୍ୟମରେ ସତ୍ୟ ସାମ୍ନାକୁ ଆସିବ ଏବଂ ଦୋଷୀ ସାବ୍ୟସ୍ତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଦାସ ଧୈର୍ଯ୍ୟ ଧରିବାକୁ ଏବଂ SIT ତଦନ୍ତର ଫଳାଫଳକୁ ଅପେକ୍ଷା କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଉତ୍ତରପ୍ରଦେଶରେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆମ୍ ଆଦମୀ ପାର୍ଟି (AAP) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।