ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ବଡ଼ ଭାଇ କହିବା ସହ ତାଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି କହିଛନ୍ତି ଭୁଟାନ ପ୍ରଧାନମନ୍ତ୍ରୀ ଶେରିଂ ତୋବଗେ । ସରକାରଙ୍କ ମୁଖ୍ୟ ଭାବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୫ ବର୍ଷର କାର୍ଯ୍ୟକାଳକୁ ସେ ଭୂୟଶୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ପିଏମ୍ ମୋଦୀଙ୍କ ନେତୃତ୍ୱରେ ଭାରତର ପଡ଼ୋଶୀ ଦେଶଗୁଡ଼ିକ ସହ ସମ୍ପର୍କ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା ରହିଛି । ଗ୍ଲୋବାଲ ସାଉଥ୍ର ସ୍ୱରକୁ ସୁଦୃଢ଼ କରିବାରେ ତାଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟ ସେୟାର କରି ଭୁଟାନର ପ୍ରଧାନମନ୍ତ୍ରୀ ଲେଖିଛନ୍ତି, "ଭାରତ ଯେତେ ଶକ୍ତିଶାଳୀ ହେବ, ସେତେ ଅଧିକ କାର୍ଯ୍ୟ କରିପାରିବ । ବିକଶିତ ଭାରତ ଏକ ବଡ଼ ବଜାରର ସୁଯୋଗ ଦେବ । ଏହା ପାଖରେ ଅଂଶୀଦାର କରିବା ପାଇଁ ଅଧିକ ପୁଞ୍ଜି ଏବଂ ପ୍ରଯୁକ୍ତିବିଦ୍ୟା ରହିବ ।"

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ପ୍ରଭାବକୁ ମଧ୍ୟ ଭୂଟାନ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ତୋବଗେ କହିଛନ୍ତି ଯେ ସେ ଦୀର୍ଘ ଦିନରୁ ତାଙ୍କୁ ବଡ଼ ଭାଇ ବୋଲି ମାନିଆସୁଛନ୍ତି । ଭୁଟାନର ପ୍ରଧାନମନ୍ତ୍ରୀ କହିଛନ୍ତି, "ଆଜି ପିଏମ୍ ମୋଦୀ ସରକାରଙ୍କ ମୁଖ୍ୟ ଭାବରେ ୨୫ ବର୍ଷ ପୂରଣ କରୁଛନ୍ତି । ଏହି ସମୟରେ ୨୦୧୯ ଏବଂ ୨୦୨୪ରେ ଆମର ସାକ୍ଷାତ ମନେପଡ଼ୁଛି । ସେତେବେଳେ ମୁଁ ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇସାରିଥିଲି । ମୁଁ ଦିଲ୍ଲୀରେ ମୋର ବଡ଼ ଭାଇଙ୍କୁ ଭେଟିଥିଲି । ଠିକ୍ ପାଞ୍ଚ ବର୍ଷ ପୂର୍ବେ ମୁଁ ତାଙ୍କୁ କହିଥିଲି ଯେ ମୁଁ ଆପଣଙ୍କୁ ବିଷ୍ଣୁଙ୍କ ଅବତାର ରୂପେ ଦେଖେ ।"

 

ସେ ଲେଖିଛନ୍ତି, "ମୁଁ ତାଙ୍କୁ କହିଲି ଯେ ପାଞ୍ଚ ବର୍ଷ ପୂର୍ବେ ମୁଁ ଯାହା କହିଥିଲି, ସେ ବିଷୟରେ ମୁଁ ଖୁବ୍ ଗଭୀର ଭାବେ ଭାବିଥିଲି । ମୋ ମନରେ ପ୍ରଶ୍ନ ମଧ୍ୟ ଉଙ୍କି ମାରିଥିଲା ଯେ ମୁଁ ଭୁଲ୍ ନୁହେଁ ତ ? ଶେଷରେ ମୋତେ ଲାଗିଲା ମୁଁ ସଠିକ୍ ଥିଲି । ଏବେ ମୁଁ ଜାଣିସାରିଛି ସେ କେଉଁ ଅବତରା । ଅରାଜକତା ଦୂର କରିବା, ଧର୍ମର ପୁନଃସ୍ଥାପନା କରିବା ଏବଂ ନୂତନ ଆରମ୍ଭ ଆଣିବା ସହ ଜଡ଼ିତ ଭଗବାନ ବିଷ୍ଣୁଙ୍କ ଶେଷ ଅବତାର କଲକୀ ଅବତାର ।"

ବିକଶିତ ଭାରତର ଅର୍ଥ ବିକଶିତ ଭୁଟାନ

ସେ କହିଛନ୍ତି ଯେ ବିକଶିତ ଭାରତର ଅର୍ଥ ବିକଶିତ ଭୁଟାନ । ତୋବଗେ କହିଛନ୍ତି ଯେ ଜୁନ୍ ୨୦୧୪ରେ ପ୍ରଧାନମନ୍ତ୍ରୀ ହେବାର କିଛି ସପ୍ତାହ ମଧ୍ୟରେ ମୋଦୀ ତାଙ୍କର ପ୍ରଥମ ବିଦେଶ ଗସ୍ତ ପାଇଁ ଭୁଟାନକୁ ବାଛିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, "ପିଏମ୍ ମୋଦୀ ଭାରତ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇଦେବାର ପ୍ରତିଶ୍ରୁତି ଦେଇଛନ୍ତି । ରେଳ ଯୋଗାଯୋଗ, ସୀମାନ୍ତ ଭିତ୍ତିଭୂମି ଏବଂ ଉନ୍ନତ ବିମାନ ଚଳାଚଳ ସହିତ ଡିଜିଟାଲ୍ କନେକ୍ଟିଭିଟି ଆଜି ବାସ୍ତବ ହେଉଛି ।“