କୋଲକାତା: କାଲିଘାଟ ଥାନା ଇନଚାର୍ଜଙ୍କୁ କୋଲକାତା ପୋଲିସ ରବିବାର ପୁଣି ବଦଳି କରିଛି। ପୋଲିସ ଷ୍ଟେସନର ପ୍ରଭାରୀ ଅଧିକାରୀ (ଓସି) ଚାମେଲି ମୁଖାର୍ଜୀଙ୍କୁ ମାତ୍ର ୨୪ ଘଣ୍ଟା ମଧ୍ୟରେ ବଦଳାଇ ଦିଆଯାଇଛି। ଏହା ସହିତ ପଶ୍ଚିମବଙ୍ଗ ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳିର କାଲିଘାଟ ଥାନା ଅଧିକାରୀମାନଙ୍କୁ ୩୬ ଦିନରେ ୪ ଥର ବଦଳା ଗଲାଣି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନ ଦକ୍ଷିଣ କୋଲକାତାର କାଲିଘାଟ ପୋଲିସ ଥାନା ଅଞ୍ଚଳରେ ଆସୁଛି।

ଏହି ଥାନାରେ ଚାମେଲୀ ମୁଖାର୍ଜୀଙ୍କୁ ଶନିବାର ଗୌତମ ଦାସଙ୍କ ସ୍ଥାନରେ ନିଯୁକ୍ତ କରାଯାଇଥିଲା। ହେଲେ ଏହି ଆଦେଶ ୨୪ ଘଣ୍ଟାରେ ବାତିଲ କରିଦିଆଯାଇଛି। ନୂଆ ଆଦେଶରେ ବଲାଇ ବାଗ୍ ଙ୍କୁ କାଲିଘାଟ ପୋଲିସର କାର୍ଯ୍ୟକାରୀ ଓସି ନିଯୁକ୍ତ କରାଯାଇଛି। ବଲାଇ ବାଗ୍ କୋଲକାତା ପୋଲିସର ଭାଙ୍ଗର ଡିଭିଜନ ପୋଲାର ହାଟ ଥାନା କାର୍ଯ୍ୟକାରୀ ଓସି ଥିଲେ। କୋଲକାତା ପୋଲିସ କମିଶନର ଅଜୟ ନନ୍ଦ ଏହି ବଦଳି ଆଦେଶ ଦେଇଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଘୋଷଣା ପରଠାରୁ ନିର୍ବାଚନ ଆୟୋଗ କୋଲକାତା ଓ ରାଜ୍ୟ ପୋଲିସରେ ବ୍ୟାପକ ଅଦଳବଦଳ କରିଛନ୍ତି।

ଏହି ଅଦଳବଦଳ କ୍ରମରେ ପ୍ରଥମ ଥର ମାର୍ଚ୍ଚ ୨୯ ତାରିଖରେ କାଲିଘାଟ ଥାନା କାର୍ଯ୍ୟକାରୀ ଅଧିକାରୀଙ୍କ ବଦଳି ହୋଇଥିଲା। ସେତେବେଳେ ଏହି ପଦବୀରେ କୋଲକାତା ପୋଲିସ ଗୁଇନ୍ଦା ବିଭାଗର ଉତ୍ପଳ ଘୋଷଙ୍କୁ ଏହି ପଦବୀରେ ନିଯୁକ୍ତ କରାଯାଇଥିଲା। ଏହି ନିଯୁକ୍ତିର ମାସକ ପରେ ନିର୍ବାଚନ ଆୟୋଗ ଉତ୍ପଳ ଘୋଷଙ୍କୁ ପଦରୁ ହଟାଇ ଗୌତମ ଦାସଙ୍କୁ କାଲିଘାଟ ଥାନାର ନୂଆ ଓସି ନିଯୁକ୍ତ କରାଯାଇଥିଲା। ସେ ଏପ୍ରିଲ ୨୫ ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ ଏହା ପୂର୍ବରୁ ସେ କୋଲକାତା ପୋଲିସର ସ୍ପେଶାଲ ବ୍ରାଞ୍ଚରେ କାମ କରୁଥିଲେ। ହେଲେ ୨ ମେ ଶନିବାର ଗୌତମ ଦାସ ତାଙ୍କ ସୋସିଆଲ ମିଡିଆରେ କରିଥିବା ଏକ ବିବାଦୀୟ ପୋଷ୍ଟ ପାଇଁ ଚାକିରୀରୁ ନିଲମ୍ବିତ ହୋଇଥିବା ବେଳେ ତାଙ୍କ ସ୍ଥାନରେ ଚାମେଲୀ ମୁଖାର୍ଜୀ ନିଯୁକ୍ତ ହୋଇଥିଲେ।

ଏହା ପୂର୍ବରୁ ଚାମେଲୀ ମୁଖାର୍ଜା ଓଲ୍ଟ ଡଙ୍ଗା ମହିଳା ଥାନାରେ ପ୍ରଭାରୀ ଅଧିକାରୀ ଥିଲେ। ତେବେ ରବିବାର ଏହି ନିଷ୍ପତ୍ତି ବଦଳାଇ ଦିଆଯାଇଛି। ଏଥର ବଲାଇ ବାଗଙ୍କୁ ଭଙ୍ଗର ପୋଲାରହାଟ ପୋଲିସ ଷ୍ଟେସନରୁ କାଲିଘାଟକୁ ଅଣାଯାଇଛି। ପଶ୍ଚିମବଙ୍ଗ ବିଧାନସଭାର ୨୯୪ ଆସନ ନିମନ୍ତେ ୨୩ ଓ ୨୯ ଏପ୍ରିଲରେ ଦୁଇ ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ମେ ୪ ତାରିଖରେ ଭୋଟ ଗଣନା ହେବ। ତେବେ ତା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଥାନାର ଓସି ବଦଳି ଯାଇଛନ୍ତି।