ନୂଆଦିଲ୍ଲୀ : ଭାରତରେ ବଢୁଥିବା ଇନୋଭେସନ ଓ ଟେକ୍ନୋଲୋଜିର କ୍ଷମତାକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଭାରତ ଇନୋଭେଟ୍ସ’ର ରଣନୀତିକ ଦସ୍ତାବିଜଗୁଡ଼ିକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି । ଉନ୍ମୋଚନ ସମୟରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆସନ୍ତା ଜୁନ୍ ୧୪ ତାରିଖରେ ଫ୍ରାନ୍ସର ନିସ୍ ସହରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନଙ୍କ ଉପସ୍ଥିତିରେ ‘ଭାରତ ଇନୋଭେଟ୍ସ’ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ଭାରତର ନୂଆପିଢ଼ିର ଅଭିନବ ଚିନ୍ତାଧାରା, ବ୍ୟବସାୟିକ ପ୍ରସ୍ତାବ ଏବଂ ବିଶ୍ୱର ଆବଶ୍ୟକତାକୁ ପୂରଣ କଲାଭଳି ନୂତନ ଉଦ୍ଭାବନଗୁଡ଼ିକୁ ପ୍ରଦର୍ଶିତ କରାଯିବ ।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆସିଥିବା ହଜାର ହଜାର ପ୍ରସ୍ତାବ ମଧ୍ୟରୁ ଯାଞ୍ଚ କରାଯାଇ ୧୨୦ଟି ନୂତନ ଷ୍ଟାର୍ଟଅପକୁ ଚୟନ କରାଯାଇଛି । ଏହି ଷ୍ଟାର୍ଟଅପଗୁଡ଼ିକ ୧୩ଟି ପ୍ରାଥମିକତା କ୍ଷେତ୍ର ଉପରେ କାର୍ଯ୍ୟ କରୁଛନ୍ତି ଏବଂ ଦେଶର ୨୦ରୁ ଅଧିକ ପ୍ରମୁଖ ଶିକ୍ଷାନୁଷ୍ଠାନ ସହିତ ଭାଗିଦାର ହୋଇଛନ୍ତି । ଜୁନ୍ ୧୪ରୁ ୧୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବିଶ୍ୱର ଅନେକ ଆର୍ଥିକ ପ୍ରତିଷ୍ଠାନ, ଆନ୍ତର୍ଜାତିକ କମ୍ପାନି ଏବଂ ବୁଦ୍ଧିଜୀବୀମାନଙ୍କୁ ଆମନ୍ତ୍ରଣ କରାଯାଇଛି । ଏହି ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ଯୁବପିଢ଼ିଙ୍କ ଦ୍ୱାରା ପ୍ରସ୍ତୁତ ଏହି ଅଭିନବ ଉଦ୍ଭାବନଗୁଡ଼ିକୁ ସମଗ୍ର ବିଶ୍ୱ ସମ୍ମୁଖରେ ଉପସ୍ଥାପିତ କରିବେ ।

କେନ୍ଦ୍ରମନ୍ତ୍ରୀ ଦୃଢ଼ତାର ସହ ପ୍ରକାଶ କରିଛନ୍ତି ଯେ ଏହି କାର୍ଯ୍ୟକ୍ରମର ସଫଳତା ପଛରେ ପ୍ରଧାନମନ୍ତ୍ରୀଙ୍କ ଭିଜନ ରହିଛି ଏବଂ ଏହା ଭାରତର ସଫଳତା ସହିତ ଓତପ୍ରୋତଃ ଭାବେ ଜଡ଼ିତ । ସମଗ୍ର ବିଶ୍ୱର ଆଜି ଭାରତର ଯୁବପିଢ଼ି ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ଏବଂ ସେମାନେ ମାନବ ସମାଜର ବିଭିନ୍ନ ଆହ୍ୱାନର ସଫଳ ସମାଧାନ କରି ବିଶ୍ୱର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବେ ।