ଭଦ୍ରକ ୧୮।୬: ଫଳକରେ ନାମ ରଖିଲେ କିନ୍ତୁ ଉଦଘାଟନ ବିଷୟରେ ଆଲୋଚନା କଲେ ନାହିଁ କି ଉଦଘାଟନକୁ ବି ଡାକିଲେ ନାହିଁ । ଫଳରେ ବିଧାୟକ, ମନ୍ତ୍ରୀ ଓ ରାଜ୍ୟସଭା ସାଂସଦ ପହଞ୍ଚି ଉଦଘାଟନ କରିବା ପୂର୍ବରୁ ପ୍ରକଳ୍ପର ଉଦଘାଟନ କରିଦେଲେ ପୌରାଧ୍ୟକ୍ଷା । ତିନୋଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷା । ଭଦ୍ରକ ପୌରପାଳିକାରେ ଏଭଳି ରୋମାଞ୍ଚକର ସ୍ଥିତି ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ପୌରପାଳିକା ପକ୍ଷରୁ ଭଦ୍ରକ ମଠସାହିରେ ୭୯ଲକ୍ଷ ଟଙ୍କାରେ ନିର୍ମିତ ମଶାଣୀ, ନୂଆ ବସଷ୍ଟାଣ୍ଡରେ ୨୫ ଲକ୍ଷ ଟଙ୍କାରେ ନିର୍ମିତ ଶୌଚାଳୟ ଓ ୨୫ ଲକ୍ଷ ଟଙ୍କାରେ ନିର୍ମିତ ବସ୍ ଚାର୍ଜିଂ ଷ୍ଟେସନ ଉଦଘାଟନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏ ନେଇ ପୌରାଧ୍ୟକ୍ଷା କିମ୍ବା ପୌରପାଳିକାର କାଉନସିଲରଙ୍କ ସହିତ କୌଣସି ଆଲୋଚନା କରାଯାଇନଥିବା ପୌରାଧ୍ୟକ୍ଷା ଅଭିଯୋଗ କରିଛନ୍ତି । ଏପରିକି ଏସବୁର ଗୁରୁବାର ଉଦଘାଟନ ହେବାକୁ ଥିବାବେଳେ ପୌରାଧ୍ୟକ୍ଷାଙ୍କୁ ମଧ୍ୟ ପ୍ରଶାସନ ପକ୍ଷରୁ ଆମନ୍ତ୍ରିତ କରାଯାଇନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସକାଳୁ ପୌରାଧ୍ୟକ୍ଷଙ୍କ ସହ ଅନେକ କାଉନସିଲର ଏକତ୍ରିତ ହୋଇ ଏହି ତିନୋଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ପୌରପାଳିକାର ପ୍ରକଳ୍ପ ଉଦଘାଟନରେ ଅବଗତ ନ କରାଯିବା ଘଟଣାକୁ ନିନ୍ଦା କରିବା ସହିତ ପ୍ରଶାସନ ମନମୁଖୀ କାର୍ଯ୍ୟ ଚଳାଇଥିବା ପୌରାଧ୍ୟକ୍ଷା ଓ କାଉନସିଲର ମାନେ ଅଭିଯୋଗ ଆଣିଛନ୍ତି ।