ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଘର ଭଡ଼ା ନେବା ଏବେ କେବଳ ଭଲ ଲୋକେସନ୍ ଖୋଜିବାରେ ସୀମିତ ନାହିଁ। ବଢ଼ୁଥିବା ମାସିକ ଭଡ଼ା ଏବଂ ଅଧିକ ସିକ୍ୟୁରିଟି ଡିପୋଜିଟ୍କୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜାରି ରହିଛି। ଏହି ସମୟରେ ଜଣେ Reddit ୟୁଜରଙ୍କ ଘର ଖୋଜିବାର ଅନୁଭବ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ହୋଇଛି।

Reddit ୟୁଜରଙ୍କ ଦାବି ଅନୁସାରେ, ବେଙ୍ଗାଲୁରୁରେ ଏକ 2BHK ଫ୍ଲାଟ୍ ପାଇଁ ମାସିକ ପ୍ରାୟ 70 ହଜାର ଟଙ୍କା ଭଡ଼ା ଏବଂ 3ରୁ 4 ଲକ୍ଷ ଟଙ୍କା ସିକ୍ୟୁରିଟି ଡିପୋଜିଟ୍ ମଗାଯାଇଥିଲା। ଫ୍ଲାଟ୍ଟି ତାଙ୍କ ଅଫିସ୍ର ନିକଟରେ ଥିବା ସହ ବାଲକୋନିରୁ ଭଲ ଭ୍ୟୁ ମିଳୁଥିଲା। ତଥାପି ଘରର ସୁବିଧା ଓ ରୁମ୍ର ଆକାର ନେଇ ସେ ଅସନ୍ତୁଷ୍ଟ ଥିଲେ।ୟୁଜର ଜଣକ କହିଛନ୍ତି ଯେ ଫ୍ଲାଟ୍ଟି ତାଙ୍କ ଅଫିସ୍ଠାରୁ ଚାଲିକି ଯିବା ଦୂରତାରେ ଥିଲା। ଲିଭିଂ ରୁମ୍ର ସାଜସଜ୍ଜା ଏବଂ ବାଲକୋନିର ଭ୍ୟୁ ତାଙ୍କୁ ପସନ୍ଦ ଆସିଥିଲା। ଏଥିପାଇଁ ସେ ସାଧାରଣ ଠାରୁ ଅଧିକ ଭଡ଼ା ଦେବାକୁ ମଧ୍ୟ ଭାବିଥିଲେ।

କିନ୍ତୁ ଫ୍ଲାଟ୍ ଦେଖିବା ପରେ ଅନେକ ସମସ୍ୟା ସାମ୍ନାକୁ ଆସିଥିଲା। ତାଙ୍କ ଅନୁସାରେ, ଦୁଇଟି ବେଡ୍ରୁମ୍ ଏତେ ବଡ଼ ନଥିଲା ଯେ ସେଠାରେ ଆରାମରେ କ୍ୱିନ୍-ସାଇଜ୍ ବେଡ୍ ଏବଂ ୱର୍କ ଡେସ୍କ ରଖାଯାଇପାରିବ।

ଫ୍ଲାଟ୍କୁ ଫୁଲି ଫର୍ନିଶ୍ଡ ବୋଲି କୁହାଯାଇଥିଲେ ମଧ୍ୟ ୟୁଜରଙ୍କ ଦାବି ଅନୁସାରେ ଭିତରେ କେବଳ ଗୋଟିଏ ବେଡ୍, ଦୁଇଟି ସୋଫା ଏବଂ ଏକ ଛୋଟ ଟିଭି ଥିଲା। ଫ୍ରିଜ୍, ୱାଶିଂ ମେସିନ୍, ଡାଇନିଂ ଟେବୁଲ୍ ଏବଂ ଦ୍ୱିତୀୟ ବେଡ୍ ଭଳି ଆବଶ୍ୟକ ସାମଗ୍ରୀ ନଥିବା ସେ କହିଛନ୍ତି।

ପୋଷ୍ଟ ଅନୁସାରେ, ଘର ମାଲିକ ମାସିକ 70 ହଜାର ଟଙ୍କା ଭଡ଼ା ମାଗିଥିଲେ। ଏଥିରେ ମେଣ୍ଟେନାନ୍ସ ସାମିଲ ଥିବା କୁହାଯାଇଥିଲା। ଏହା ସହ 3ରୁ 4 ଲକ୍ଷ ଟଙ୍କା ଡିପୋଜିଟ୍ ଏବଂ ପ୍ରତିବର୍ଷ 7ରୁ 8 ପ୍ରତିଶତ ଭଡ଼ା ବୃଦ୍ଧିର ସର୍ତ୍ତ ଥିବା ଦାବି କରାଯାଇଛି।

ୟୁଜର ମାସିକ ଭଡ଼ା 65 ହଜାର ଟଙ୍କା ଏବଂ ତିନି ମାସର ଡିପୋଜିଟ୍ ଦେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହି ପ୍ରସ୍ତାବ ଗ୍ରହଣ କରାଯାଇନଥିଲା। ଶେଷରେ ସେ ଫ୍ଲାଟ୍ଟି ନେବା ନିଷ୍ପତ୍ତିରୁ ଓହରି ଯାଇଥିଲେ। ୟୁଜର ଜଣକ କେବଳ ଏହି ଫ୍ଲାଟ୍ର ଭଡ଼ା ଉପରେ ପ୍ରଶ୍ନ ଉଠାଇନଥିଲେ। ବରଂ ବେଙ୍ଗାଲୁରୁର ରେଣ୍ଟାଲ୍ ମାର୍କେଟ୍କୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ।

ତାଙ୍କ କହିବା ଅନୁସାରେ, ଚାକିରି ଓ ଆୟ ସବୁବେଳେ ସମାନ ରହେ ନାହିଁ। କିନ୍ତୁ ଭଡ଼ା ଏବଂ ଅନ୍ୟ ଖର୍ଚ୍ଚ ବଢ଼ି ଚାଲି ଥାଏ । ତେଣୁ ଘର ଭଡ଼ା ନେବା ସମୟରେ କେବଳ ମାସିକ ଭଡ଼ା ନୁହେଁ, ଡିପୋଜିଟ୍, ମେଣ୍ଟେନାନ୍ସ, ଫର୍ନିଚର୍, ରୁମ୍ର ଆକାର ଏବଂ ଭବିଷ୍ୟତର ଭଡ଼ା ବୃଦ୍ଧି ମଧ୍ୟ ଯାଞ୍ଚ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

read also - ଡୋନାଲ୍ଡ ଟ୍ରମ୍ପ କଲେ ବଡ ଘୋଷଣା ,ୟୁରୋପ ଷ୍ଟକ୍‌ରୁ ବଡ଼ ପରିମାଣର ଡିଜେଲ ଛାଡ଼ିବ

Reddit ପୋଷ୍ଟରେ ଅନେକ ୟୁଜର ନିଜ ନିଜ ମତ ଦେଇଛନ୍ତି। କେତେକ ୟୁଜରଙ୍କ କହିବା ଥିଲା ଯେ ଯଦି ଲୋକେ ଅଧିକ ଭଡ଼ା ଦେବାକୁ ପ୍ରସ୍ତୁତ ଅଛନ୍ତି, ତେବେ ଘର ମାଲିକମାନେ ମଧ୍ୟ ଅଧିକ ଦାମ ମାଗିବେ। ଆଉ ଜଣେ ୟୁଜର ବେଙ୍ଗାଲୁରୁର ଏହି ଭଡ଼ାକୁ ଫ୍ରାନ୍ସରେ ଥିବା ତାଙ୍କ ଆପାର୍ଟମେଣ୍ଟ ଖର୍ଚ୍ଚ ସହ ତୁଳନା କରିଥିଲେ। ତାଙ୍କ ଦାବି ଥିଲା ଯେ ଫ୍ରାନ୍ସରେ ତାଙ୍କ ଆପାର୍ଟମେଣ୍ଟ ଏହାଠାରୁ କମ୍ ଖର୍ଚ୍ଚରେ ମିଳିଯାଉଛି । ଏହି Reddit ପୋଷ୍ଟ ପରେ ବେଙ୍ଗାଲୁରୁର ଘର ଭଡ଼ା, ଡିପୋଜିଟ୍ ଏବଂ ଭଡ଼ା ବୃଦ୍ଧିକୁ ନେଇ ଅନଲାଇନ୍ରେ ଚର୍ଚ୍ଚା ଆହୁରି ବଢ଼ିଛି।