ୱାଶିଂଟନ୍: ଡିଜେଲ ଦର ବଢ଼ୁଥିବା ମଧ୍ୟରେ ୟୁରୋପୀୟ ଦେଶଗୁଡ଼ିକ ନିଜ ଷ୍ଟକ୍ରେ ଥିବା ବଡ଼ ପରିମାଣର ଡିଜେଲ ବଜାରକୁ ଛାଡ଼ିବାକୁ ରାଜି ହୋଇଥିବା ଦାବି କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ଶୁକ୍ରବାର ଟ୍ରମ୍ପ truth Social ପୋଷ୍ଟରେ କହିଛନ୍ତି ଯେ ୟୁରୋପ ନିଜ ପାଖରେ ମହଜୁଦ ଥିବା “ବହୁତ ବଡ଼ ପରିମାଣର ଡିଜେଲ” ଛାଡ଼ିବାକୁ ସହମତ ହୋଇଛି। ଏହି ପ୍ରକ୍ରିୟା ତୁରନ୍ତ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ଡିଜେଲ ଯୋଗାଣ ବଢ଼ାଇବାକୁ ଆମେରିକା ଗତ କିଛି ଦିନ ଧରି ନିଜ ୟୁରୋପୀୟ ସହଯୋଗୀ ଦେଶଗୁଡ଼ିକୁ ଅନୁରୋଧ କରୁଥିଲା। ଆମେରିକାର ଟ୍ରେଜେରୀ ସଚିବ ସ୍କଟ୍ ବେସେଣ୍ଟ ଗୁରୁବାର କହିଥିଲେ ଯେ ୟୁରୋପୀୟ ଦେଶଗୁଡ଼ିକ ନିଜର ପୂର୍ବ ପ୍ରତିଶ୍ରୁତି ଅନୁସାରେ ଡିଜେଲ ଯୋଗାଣକୁ ଶୀଘ୍ର କରିବା ସହ ଅତିରିକ୍ତ ଯୋଗାଣ ମଧ୍ୟ ତୁରନ୍ତ ଉପଲବ୍ଧ କରାଇବା ଆବଶ୍ୟକ।

ଶୁକ୍ରବାର ୟୁରୋପୀୟ ସଂଘର ସଦସ୍ୟ ଦେଶଗୁଡ଼ିକ ଇନ୍ଧନ ଦର ବୃଦ୍ଧି ନେଇ ଏକ ସମନ୍ୱିତ ପଦକ୍ଷେପ ବିଷୟରେ ଆଲୋଚନା କରିବାର ଥିଲା। ଫ୍ରାନ୍ସ ଓ ଜର୍ମାନୀ ନିଜ ଡିଜେଲ ଷ୍ଟକ୍ରୁ ଯୋଗାଣ କରୁ ବୋଲି ଆମେରିକା ଚାହୁଁଥିବା ରିପୋର୍ଟ ଆସିଥିଲା।

ଇରାନକୁ ନେଇ ଆମେରିକାର ଯୁଦ୍ଧ ପରେ ଯୋଗାଣ ବ୍ୟବସ୍ଥାରେ ବାଧା ସୃଷ୍ଟି ହେବାରୁ ଡିଜେଲ ଦରରେ ବଡ଼ ବୃଦ୍ଧି ଘଟିଛି। AFP ପକ୍ଷରୁ ଉଦ୍ଧୃତ ତଥ୍ୟ ଅନୁସାରେ, ଯୁଦ୍ଧ ଆରମ୍ଭ ପରଠାରୁ ଆମେରିକାରେ ଡିଜେଲର ହାରାହାରି ଦର ୭୦ ପ୍ରତିଶତରୁ ଅଧିକ ବଢ଼ି ଗ୍ୟାଲନ୍ ପିଛା ୬.୩୯ ଡଲାରରେ ପହଞ୍ଚିଛି।

ଡିଜେଲ ଟ୍ରକ୍, କୃଷି ଯନ୍ତ୍ର, ନିର୍ମାଣ ଉପକରଣ ଏବଂ ବିଭିନ୍ନ ଶିଳ୍ପରେ ବହୁଳ ଭାବେ ବ୍ୟବହାର ହୁଏ। ତେଣୁ ଡିଜେଲ ଦର ଦୀର୍ଘ ସମୟ ଧରି ଅଧିକ ରହିଲେ ପରିବହନ ଖର୍ଚ୍ଚ ବଢ଼ିବା ସହ ଅନ୍ୟ ସାମଗ୍ରୀର ଦର ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ। ଏହା ମଧ୍ୟରେ ଆମେରିକା ଡିଜେଲ ରପ୍ତାନି ଉପରେ କଟକଣା ଲଗାଇବା ନେଇ ବିଚାର କରୁଛି। ଟ୍ରମ୍ପ ବୁଧବାର କହିଥିଲେ ଯେ ଡିଜେଲ ରପ୍ତାନି ଉପରେ ସମ୍ଭାବ୍ୟ ନିଷେଧ ନେଇ ସେ ବିଚାର କରୁଛନ୍ତି।

ତେବେ ଏପରି ପଦକ୍ଷେପ ନିଆଗଲେ ଭବିଷ୍ୟତରେ ପେଟ୍ରୋଲ ଦର ମଧ୍ୟ ବଢ଼ିପାରେ ବୋଲି ଟ୍ରମ୍ପ ସ୍ୱୀକାର କରିଛନ୍ତି।ଆମେରିକାର ଶକ୍ତି ସଚିବ କ୍ରିସ୍ ରାଇଟ୍ ମଧ୍ୟ ୟୁରୋପୀୟ ସହଯୋଗୀ ଦେଶଗୁଡ଼ିକ ଡିଜେଲ ଦର କମାଇବା ପାଇଁ ପଦକ୍ଷେପ ଘୋଷଣା କରିବେ ବୋଲି ପୂର୍ବରୁ କହିଥିଲେ।

ଆମେରିକା ଡିଜେଲ ରପ୍ତାନି ବନ୍ଦ କରିପାରେ ବୋଲି ଆସୁଥିବା ଖବରକୁ ନେଇ ୟୁରୋପୀୟ ଅଧିକାରୀମାନେ ଚିନ୍ତା ପ୍ରକାଶ କରିଛନ୍ତି। EU ବାଣିଜ୍ୟ ମୁଖ୍ୟ ମାରୋସ୍ ସେଫକୋଭିଚ୍ କହିଛନ୍ତି ଯେ ଏପରି ପଦକ୍ଷେପ ୟୁରୋପ ପାଇଁ ଅପ୍ରତ୍ୟାଶିତ ହେବ ଏବଂ ଏହାର ଅର୍ଥନୀତି ଉପରେ ବଡ଼ ପ୍ରଭାବ ପଡ଼ିପାରେ।

also read- 

ଫ୍ରାନ୍ସର ବାଣିଜ୍ୟ ମନ୍ତ୍ରୀ ନିକୋଲାସ୍ ଫୋରିସିଏ ମଧ୍ୟ ଆମେରିକା ଡିଜେଲ ରପ୍ତାନି ବନ୍ଦ କରିବ ବୋଲି କଳ୍ପନା କରିବା କଷ୍ଟକର ବୋଲି କହିଛନ୍ତି। ଉଭୟ ପକ୍ଷ ପାଇଁ ଡିଜେଲ ଯୋଗାଣର ଗୁରୁତ୍ୱ ଥିବା ସେ କହିଛନ୍ତି। ବଢ଼ୁଥିବା ଇନ୍ଧନ ଦର ଉପରେ ଆଲୋଚନା ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ G7 ଦେଶଗୁଡ଼ିକର ଏକ ଭିଡିଓ ବୈଠକ ଡାକିପାରନ୍ତି। ଏଥିରେ ଇନ୍ଧନ ମହଜୁଦ ଛାଡ଼ିବା ଏବଂ ଦର ନିୟନ୍ତ୍ରଣ ପାଇଁ ସମନ୍ୱିତ ପଦକ୍ଷେପ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ନଭେମ୍ବରରେ ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପୂର୍ବରୁ ଇନ୍ଧନ ଓ ଜୀବନଯାପନ ଖର୍ଚ୍ଚ ବୃଦ୍ଧି ଟ୍ରମ୍ପ ପ୍ରଶାସନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି।