କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଦୁଇଟି ଆସନରେ ବିଜୟୀ ହୋଇଥିବା ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କେଉଁ ଆସନରୁ ବିଧାୟକ ରହିବେ ସେନେଇ ଥିବା ସସପେନ୍ସ ଶେଷ ହୋଇଛି ।  ଖବର ଅନୁସାରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଛାଡ଼ି ଭବାନୀପୁର ଆସନର ବିଧାୟକ ହୋଇ ରହିବେ । ସେ ଭାବନୀପୁରରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ । ଏହା ପୂର୍ବରୁ ସେ ୨୦୨୧ରେ ନନ୍ଦିଗ୍ରାମ ବିଧାନସଭା ଆସନରେ ମମତାଙ୍କୁ ପରାସ୍ତ କରିଥିଲେ ।

ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ ମେ ୯ରେ ଯେତେବେଳେ ବେଙ୍ଗଲରେ ବିଜେପି ସରକାର ଶପଥ ନେଇଥିଲା, ସେତେବେଳେ ଶୁଭେନ୍ଦୁ ମୁଖ୍ୟମନ୍ତ୍ରୀ ପଦର ଶପଥ ଭବାନୀପୁର ବିଧାୟକ ଭାବେ ନେଇଥିଲେ । ତେବେ ସେ ପୂର୍ବରୁ ସ୍ପଷ୍ଟ କରିସାରିଥିଲେ ଯେ ଉଭୟ ବିଧାନସଭା ଆସନରେ ସେ ଧ୍ୟାନ ରଖିବେ । ନିର୍ବାଚନ ପରିଣାମ ଆସିବା ପରେ ସେ କହିଥିଲେ ଯେ ୧୦ ଦିନ ଭିତରେ କୌଣସି ଗୋଟିଏ ଆସନରୁ ଇସ୍ତଫା ଦେବେ । ତେବେ କେଉଁ ଆସନ ଛାଡ଼ିବେ ତାହା ସ୍ପଷ୍ଟ କରିନଥିଲେ ।

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଭବାନୀପୁର ଆସନରେ ମମତା ବାନାର୍ଜୀଙ୍କୁ ୧୫,୧୦୫ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ଶୁଭେନ୍ଦୁଙ୍କୁ ୭୩,୯୧୭ ଭୋଟ ମିଳିଥିବା ବେଳେ ମମତାଙ୍କୁ ୫୮,୮୧୨ ଖଣ୍ଡ ଭୋଟ ମିଳିଥିଲା । ମେ ୬ରେ ଶୁଭେନ୍ଦୁ ଅଧିକାରୀ କହିଥିଲେ ଯେ ସେ ୧୦ ଦିନ ଭିତରେ ଗୋଟିଏ ଆସନରୁ ଇସ୍ତଫା ଦେବେ ଏବଂ ଏହାର ନିଷ୍ପତ୍ତି ପାର୍ଟି ନେବେ ।