ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ଆସିବା ପରେ ପଶ୍ଚିମବଙ୍ଗରେ ଏବେ ସରକାର ଗଠନକୁ ନେଇ ଉତ୍ସାହ ରହିଛି। ବିଜେପିରୁ କିଏ ମୁଖ୍ୟମନ୍ତ୍ରୀ ହେବେ ? ତା’କୁ ନେଇ ଉତ୍କଣ୍ଠା ରହିଥିବା ବେଳେ, ଏହାରି ମଧ୍ୟରେ ଆସିଛି ଏକ ଚାଞ୍ଚଲ୍ୟକର ଖବର। ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ଉପରକୁ ଚାରି ରାଉଣ୍ଡ ଗୁଳି ଚାଳନା କରାଯାଇଥିବା ଜଣାପଡ଼ିଛି। ଏଥିରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି।

ପୋଲିସ ସୂତ୍ର ଅନୁଯାୟୀ, ଶୁଭେନ୍ଦୁଙ୍କ ପିଏ ଚନ୍ଦ୍ରନାଥଙ୍କ ମୁଣ୍ଡରେ ତିନିଟି ଗୁଳି ବାଜିଛି। ବୁଧବାର ବିଳମ୍ବିତ ରାତିରେ ମଧ୍ୟମଗ୍ରାମରେ ଏହି ଘଟଣା ଘଟିଛି। ଚନ୍ଦ୍ରନାଥ ଶୁଭେନ୍ଦୁ ଅଧିକାରୀଙ୍କ ଖୁବ୍ ଘନିଷ୍ଠ ମଧ୍ୟ ଥିଲେ। ସେ ପ୍ରାୟ ପାଞ୍ଚ ବର୍ଷ ଧରି ତାଙ୍କ ସହ ରହିଥିଲେ।

ମିଳିଥିବା ସୂଚନା ଅନୁସାରେ, ଚନ୍ଦ୍ରନାଥ ରଥ ମଧ୍ୟମଗ୍ରାମରେ କିଛି ଲୋକଙ୍କ ସହିତ ଏକ ସାର୍ବଜନୀନ ସ୍ଥାନରେ ଥିବା ସମୟରେ ତାଙ୍କୁ ଟାର୍ଗେଟ କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଆକ୍ରମଣକାରୀମାନେ ଅତି ନିକଟରୁ ଗୁଳି ଚଳାଇଥିଲେ। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଘଟଣା ପରେ ଶୁଭେନ୍ଦୁ ଅଧିକାରୀ ଘଟଣାସ୍ଥଳକୁ ଯାଇଛନ୍ତି। ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚୁଛନ୍ତି। ଚନ୍ଦ୍ରନାଥ ଏକ କଳା ସ୍କୋର୍ପିଓରେ ଥିଲେ ଏବଂ ଆକ୍ରମଣକାରୀମାନେ ତାଙ୍କୁ ଏକ ମୋଟରସାଇକେଲରୁ ଟାର୍ଗେଟ କରିଥିଲେ।