କଣ୍ଟାବାଞ୍ଜି, ୨୦/୧୦:କଣ୍ଟାବାଞ୍ଜି ଅଞ୍ଚଳରେ ଭାଲୁ ଆତଙ୍କ । ଭାଲୁଙ୍କ ଉପସ୍ଥିତିକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗତ କିଛି ଦିନ ହେବ ଅଞ୍ଚଳର ଏକାଧିକ ସ୍ଥାନରେ ଏକି ବନ୍ୟଜନ୍ତୁ ଦେଖିବାକୁ ମିଳୁଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

ତେବେ ଦୁଇ ଦିନ ପୂର୍ବରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ଲୋକଙ୍କ ଭୟକୁ ଆହୁରି ବଢ଼ାଇ ଦେଇଛି। ରାତି ସମୟରେ କଣ୍ଟାବାଞ୍ଜିର ଏକ ସ୍କୁଲ ନିକଟସ୍ଥ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଭାଲୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମନରେ ଆକ୍ରମଣକୁ ନେଇ ଆଶଙ୍କା ବଢ଼ିଛି। ବିଶେଷକରି ରାତି ସମୟରେ ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି।

Also Read :- ଖୁବ୍ ଶୀଘ୍ର ମୁସଲିମ ସହର ପାଲଟିବ ପ୍ୟାରିସ ! ଏମିତି କାହିଁକି କହିଲେ ଡୋନାଲ୍ଡ ଟ୍ରମ୍ପ୍ ?

ପରିସ୍ଥିତିକୁ ଦୃଷ୍ଟିରେ ରଖି ବନ୍ୟଜନ୍ତୁର ସନ୍ଧାନ ଓ ତାକୁ ଠାବ କରିବା ପାଇଁ ବଲାଙ୍ଗିରରୁ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ କଣ୍ଟାବାଞ୍ଜିରେ ପହଞ୍ଚିଛି। ଟିମ୍ ପକ୍ଷରୁ ରାତି ତମାମ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରାଯାଉଛି। ଏଥିସହ ଡ୍ରୋନ୍ ସାହାଯ୍ୟରେ ଭାଲୁର ଗତିବିଧି ଠାବ କରିବାକୁ ଉଦ୍ୟମ ଜାରି ରହିଛି। ଅନ୍ୟପକ୍ଷରେ,ସୋସିଆଲ ମିଡିଆରେ ଭାଲୁକୁ ନେଇ ବିଭିନ୍ନ ଏଆଇ ଦ୍ୱାରା ପ୍ରସ୍ତୁତ ଫଟୋ ଘୂରି ବୁଲୁଥିବାରୁ ଲୋକଙ୍କ ମଧ୍ୟରେ ଆହୁରି ଭୟ ଓ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି।

ତେଣୁ ଅସତ୍ୟ କିମ୍ବା ଅଯାଞ୍ଚିତ ଫଟୋ ଓ ସୂଚନା ପ୍ରଚାର ନକରିବା ସହ ବନ ବିଭାଗର ନିର୍ଦ୍ଦେଶ ମାନିବାକୁ ସଚେତନ କରାଯାଉଛି । କଣ୍ଟାବାଞ୍ଜି ଅଞ୍ଚଳରେ ଭାଲୁର ଉପସ୍ଥିତି ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ବନ ବିଭାଗର ତଲାସୀ ଅଭିଯାନ ଉପରେ ସମସ୍ତଙ୍କ ନଜର ରହିଛି।