ନୂଆଦିଲ୍ଲୀ: ବହୁ ମାନସ ମନ୍ଥନ ଏବଂ କଳ୍ପନା ଜଳ୍ପନା ପରେ ଟିମ୍ ଇଣ୍ଡିଆକୁ ମିଳିଲା ମୁଖ୍ୟ ଚୟନକର୍ତ୍ତା। ଏ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(BCCI) ନୂଆ ମୁଖ୍ୟ ଚୟନକର୍ତ୍ତାଙ୍କ ନାଁ ଘୋଷଣା କରିଛି। ପୂର୍ବତନ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ମିଳିଛି ଏହି ଗୁରୁ ଦାୟିତ୍ଵ। ଭାରତୀୟ ବରିଷ୍ଠ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ଓଝା ବର୍ତ୍ତମାନ ଅଜିତ ଅଗରକରଙ୍କ ସ୍ଥାନ ନେବେ। ଏହା ସହିତ ଓ୍ଵେଷ୍ଟ ଜୋନରୁ ଖାଲି ପଡ଼ିଥିବା ଚୟନକର୍ତ୍ତା ଟିମରେ ରମେଶ ପାଓ୍ଵାରଙ୍କୁ ସାମିଲ୍ କରାଯାଇଛି। ସବୁଠୁ ବଡ଼ କଥା ପ୍ରଥମ ଓଡ଼ିଆ ପୁଅ ଭାବେ ଓଝା ଭାରତୀୟ କ୍ରିକେଟ୍ ଦଳରେ ଏହି ବଡ଼ ଦାୟିତ୍ଵ ସମ୍ଭାଳିବେ।

ସୋମବାର ବିସିସିଆଇ ପକ୍ଷରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି ଯେ, କ୍ରିକେଟ୍ ପରାମର୍ଶଦାତା କମିଟି(CAC) ସବୁ ନିୟମ ଏବଂ ପ୍ରକ୍ରିୟାକୁ ପାଳନ କରି ଓଝାଙ୍କୁ ମୁଖ୍ୟ ଚୟନକର୍ତ୍ତା ଭାବେ ମୋହର ମାରିଛନ୍ତି। ଏହି କମିଟିରେ ଅଶୋକ ମାଲହୋତ୍ରା ଓ ଜତିନ ପରାପଞ୍ଝେ ସାମିଲ। ସିଏସି ଆବେଦନର ଯାଞ୍ଚ ଏବଂ ସାକ୍ଷାତକାର ପାଇଁ ବିସିସିଆଇ ମୁଖ୍ୟାଳୟରେ ମିଟିଂ କରିଥିଲା। ପ୍ରଜ୍ଞାନଙ୍କ ଚୟନ ସହ ରମେଶ ପାଓ୍ଵାରଙ୍କ ନିଯୁକ୍ତିକୁ ମଧ୍ୟ ସିଏସି ସୁପାରିଶ କରିଥିଲା। ସିଏସି ପୂର୍ବତନ ଓପନର ଓ୍ଵାସିମ ଜାଫରଙ୍କ ସହିତ ୫ ଆଶାୟୀଙ୍କ ସାକ୍ଷାତକାର ନେଇଥିଲା। ମୁଖ୍ୟ ଚୟନକର୍ତ୍ତା ଦୌଡ଼ରେ ଜାଫର ମଧ୍ୟ ପ୍ରବଳ ଦାବିଦାର ଥିଲେ। କାରଣ ସେ ୩୧ ଟେଷ୍ଟ ଖେଳିଥିଲେ।

Also Read: CSK ନୁହେଁ ଏହି ଟିମରେ ହେବ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏଣ୍ଟ୍ରି ! ସାମ୍ନାକୁ ଆସିଲା ବଡ଼ ଅପଡେଟ୍

ଏହା ସହିତ ପୁରୁଷ ଚୟନ କମିଟିରେ ସବୁ ପଦ ପୂରଣ ହୋଇଛି। ଓଝା ମୁଖ୍ୟ ଚୟନକର୍ତ୍ତା ହୋଇଥିବା ବେଳେ ସଦସ୍ୟ ଭାବେ ଓଡ଼ିଆ ପୁଅ ଶିବ ସୁନ୍ଦର ଦାସ, ଆରପି ସିଂ, ଅଜୟ ରାତ୍ରା ଓ ରମେଶ ପାଓ୍ଵାର ରହିଛନ୍ତି। ସୂଚନାଯୋଗ୍ୟ, ଓଝା ଭାରତୀୟ ଦଳ ପାଇଁ ୨୪ ଟେଷ୍ଟ, ୧୮ ଦିନିକିଆ ଏବଂ ଦୁଇଟି ଟି-୨୦ ମ୍ୟାଚ୍ ଖେଲିଛନ୍ତି। ସେ ୨୦୦୮ ନଭେମ୍ବରରୁ ୨୦୧୩ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ ଥିଲେ। ସେହିପରି ରମେଶ ପାଓ୍ଵାର ଦୁଇଟି ଟେଷ୍ଟ ଏବଂ ୩୧ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଓଝା ପୂର୍ବରୁ ଚୟନ କମିଟିର ସଦସ୍ୟ ରହିଥିବା ବେଳେ ରମେଶ ପାଓ୍ଵାର ଭାରତୀୟ ମହିଳା ଦଳ, ମୁମ୍ବାଇ ଓ ଗୁଜରାଟର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ କରି ସାରିଛନ୍ତି। ସେ ବିସିସିଆଇର ସେଣ୍ଟର ଅଫ ଏକ୍ସିଲେନ୍ସରେ ବୋଲିଂ କୋଚ୍ ମଧ୍ୟ ଥିଲେ।

ଅଗରକରଙ୍କୁ ପ୍ରଶଂସା

ବୋର୍ଡ ଚୟନ କମିଟିର ପୂର୍ବତନ ମୁଖ୍ୟ ଅଜିତ ଅଗରକରଙ୍କ ଖୁବ ପ୍ରଶଂସା କରିଛି। ବିସିସିଆଇ କହିଛି, ପୁରୁଷ ଚୟନ କମିଟିରେ ମୁଖ୍ୟ ଭାବେ ନିଜର କାର୍ଯ୍ୟକାଳରେ ଅଜିତ ଅଗରକରଙ୍କ ପ୍ରତିବଦ୍ଧତା, ଦୃଢ ବିଶ୍ଵାସ ଓ ଯୋଗଦାନ ପ୍ରଶଂସନୀୟ। ୨୦୨୩ ଜୁଲାଇରେ ନିଯୁକ୍ତି ପରଠୁ ଅଗରକର ଭାରତୀୟ କ୍ରିକେଟର ଏକ ଗୁରୁତ୍ଵପୂର୍ଣ୍ଣ ସମୟରେ କମିଟିର ନେତୃତ୍ଵ ନେଇଥିଲେ। ତାଙ୍କ କାର୍ଯ୍ୟକାଳରେ ଟିମ୍ ଇଣ୍ଡିଆ ତିନୋଟି ଆଇସିସି ଟ୍ରଫି, ଦୁଇଟି ଏସିଆ କପ୍ ଏବଂ ଲଗାତାର ଦୁଇ ଏସୀୟ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ଜିତିଛି।