ନୂଆଦିଲ୍ଲୀ: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ୨୦୨୭ ଦିନିକିଆ ବିଶ୍ଵକପ୍ ଖେଳିବା ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ବିଶେଷ କରି ତାରକା ଓପନର ରୋହିତଙ୍କ ଦିନିକିଆ ଭବିଷ୍ୟତକୁ ନେଇ ମଧ୍ୟ ଅନେକ ଖବର ସାମ୍ନାକୁ ଆସି ସାରିଥିଲା। ଏପରିକି ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ଵାଧୀନ କମିଟି ରୋହିତଙ୍କ ସ୍ଥାନରେ ଯଶସ୍ଵୀ ଜୟସ୍ଵାଲଙ୍କୁ ସୁଯୋଗ ଦେବା ପାଇଁ ପୂରା ଯୋଜନା କରି ସାରିଥିଲେ। ମାତ୍ର ଇଂଲଣ୍ଡରେ ଦମଦାର ପ୍ରଦର୍ଶନ କରି ହିଟମ୍ୟାନନ ନିଜର ସ୍ଥାନ ବଜାୟ ରଖିବାରେ ସଫଳ ହେଲେ। ଏହା ମଧ୍ୟରେ ଦୁଇ ଷ୍ଟାର ଖେଳାଳିଙ୍କୁ ନେଇ ବିସିସିଆଇ ଅଧ୍ୟକ୍ଷ ମିଥୁନ ମନହାସଙ୍କ ବୟାନ ସାମ୍ନାକୁ ଆସିଛି।

ସେ କହିଛନ୍ତି, ରୋହିତ ଓ କୋହଲିଙ୍କ ପରି ଖେଳାଳିଙ୍କ ବିଶ୍ଵକପ୍ ୨୦୨୭ ପାଇଁ ଚୟନ ଫିଟନେସ୍ ଏବଂ ପ୍ରଦର୍ଶନ ଆଧାରରେ ହେବ। ଏଥିରେ ବୟସକୁ ନେଇ କୌଣସି ବାଧା ନାହିଁ। ବିଶ୍ଵକପ୍ ପାଇଁ ଚୟନ ବରିଷ୍ଠ ବ୍ୟାରରଙ୍କ ଲଗାତାର ପ୍ରଦର୍ଶନ ଉପରେ ନିର୍ଭର କରିବ। ନ୍ୟୁଜିଲାଣ୍ଡ ବିପକ୍ଷ ଭାରତୀୟ ଦଳର ଗସ୍ତ ଆରମ୍ଭ ପୂର୍ବରୁ ସ୍ପୋର୍ଟ୍ସଷ୍ଟାର ସହ ଆଲୋଚନା ବେଳେ ମିଥୁନ କହିଛନ୍ତି, ମୋ ଦୃଷ୍ଟିକୋଣରୁ ଚୟନ ପାଇଁ ଫିଟନେସ୍ ଏବଂ ପ୍ରଦର୍ଶନ ହିଁ ମାପଦଣ୍ଡ ହେବା ଉଚିତ୍। ଏଥିରେ ବୟସକୁ ନେଇ ପ୍ରଶ୍ନ ଉଠିବା ଉଚିତ୍ ନୁହେଁ। ଯଦି କୌଣସି ଖେଳାଳି ଫିଟ୍ ଅଛନ୍ତି, ଭଲ ପ୍ରଦର୍ଶନ କରି ଦଳକୁ ଜିତାଉଛନ୍ତି, ତେବେ ଏହା ହିଁ ସବୁଠୁ ଅଧିକ ଜରୁରୀ।

Also Read: ଆହୁରି ଅନେକ ମାସ ଯାଏ କ୍ରିକେଟରୁ ଦୂରରେ ରହିବେ ହାର୍ଦ୍ଦିକ ପାଣ୍ଡ୍ୟା, ଏହି ଟୁର୍ଣ୍ଣାମେଣ୍ଟରେ ହୋଇପାରେ ପ୍ରତ୍ୟାବର୍ତ୍ତନ

​ମନହାସ କହିଛନ୍ତି, ଗିଲଙ୍କୁ ରୋହିତ ଓ କୋହଲିଙ୍କ ପରି ବରିଷ୍ଠ ଖେଳାଳିଙ୍କଠୁ ବହୁତ କିଛି ଫାଇଦା ମିଳିବ। ବିଶେଷ କରି ବିଶ୍ଵକପ୍ ପରି ମଞ୍ଚରେ ଦୁଇ ଖେଳାଳିଙ୍କ ଅଭିଜ୍ଞତା ଗିଲଙ୍କ ପାଇଁ କାମରେ ଆସିବ। ଏପରିକି ହାର୍ଦ୍ଦିକ ପାଣ୍ଡ୍ୟା ଓ ବୁମରାଙ୍କ ପରି ଖେଳାଳି ଗିଲଙ୍କ ଦାୟିତ୍ଵକୁ ଟିକେ ହାଲୁକା କରି ଦେବେ। ଗିଲ୍ ମଧ୍ୟ ଗୁଜରାଟ ଟାଇଟନ୍ସର ଅଧିନାୟକତ୍ଵ କରି ଅଭିଜ୍ଞତା ପାଇ ସାରିଲେଣି। ତେଣୁ ମୋଟାମୋଟି ଭାବେ ଫିଟନେସ୍ ଏବଂ ପ୍ରଦର୍ଶନ ହିଁ ଦଳ ଚୟନର ମାପକାଠି ହେବ ବୋଲି ବିସିସିଆଇ ସଭାପତି କହିଛନ୍ତି।