ନୂଆଦିଲ୍ଲୀ, ୨୧ ଅକ୍ଟୋବର:ହାଣ୍ଡି ଶାଳାରୁ ଆରମ୍ଭ କରି ମହାକାଶ ପର୍ଯ୍ୟନ୍ତ ଭାରତୀୟ ମହିଳା ନିଜର ଅସ୍ତିତ୍ବ ବଜାଇ ରଖିଛି l ଆଜିର ନାରୀ ଆଉ ଘର କୋଣରେ ଓଢଣା ଦେଇ ବସି ରହୁଥିବା ନାରୀ ନୁହନ୍ତି l ଆଜି ନାରୀ ଶିକ୍ଷା ,ପ୍ରଯୁକ୍ତି ଓ ବୈଷୟିକ କ୍ଷେତ୍ରରେ ନିଜକୁ ନିଜେ ସାମିଲ କରିଛି l ଏହାର ଏକ ବାସ୍ତବ ଉଦାହରଣ ହେଉଛି , ଭାରତରେ ମହିଳାଙ୍କ ଶ୍ରମଶକ୍ତିରେ ଅଂଶଗ୍ରହଣ ବଢ଼ୁଛି। ତେବେ ଏହି ବୃଦ୍ଧି ସହିତ ମହିଳାଙ୍କ ଦରମାଯୁକ୍ତ ନିଯୁକ୍ତି ଓ ଆର୍ଥିକ ସୁରକ୍ଷା ସେହି ଅନୁପାତରେ ବଢ଼ୁନାହିଁ। ଅକ୍ସଫାମ୍ର ଏକ ନୂଆ ଅଧ୍ୟୟନରେ ଏହି ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ଅଧ୍ୟୟନ ଅନୁଯାୟୀ, ଗ୍ରାମାଞ୍ଚଳର ଅନେକ ମହିଳା କୃଷିକାର୍ଯ୍ୟ, ପାରିବାରିକ ବ୍ୟବସାୟ ଓ ଆତ୍ମନିଯୁକ୍ତିରେ ନିୟୋଜିତ ହେଉଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ନିୟମିତ ଦରମା ମିଳୁନାହିଁ।

ଅକ୍ସଫାମ୍ର ‘ଇଣ୍ଡିଆଜ୍ ଇନଭିଜିବଲ୍ ହାଫ୍: ଅନପ୍ୟାକିଂ ଦି ପାରାଡକ୍ସ ଅଫ୍ ଇଣ୍ଡିଆନ୍ ଓମେନ୍ସ ଲେବର’ ଶୀର୍ଷକ ରିପୋର୍ଟରେ ମହିଳାଙ୍କ ଶ୍ରମ ଓ ନିଯୁକ୍ତିର ସ୍ଥିତି ବିଷୟରେ ବିଶ୍ଳେଷଣ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ବଢ଼ିବା ଏକ ସକାରାତ୍ମକ ସଙ୍କେତ ହୋଇଥିଲେ ମଧ୍ୟ ସେମାନେ କେଉଁ ପ୍ରକାରର କାମ କରୁଛନ୍ତି ଏବଂ ତାହା ବଦଳରେ କେତେ ଆୟ କରୁଛନ୍ତି, ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ।ରିପୋର୍ଟ ଅନୁଯାୟୀ, ୨୦୧୭-୧୮ରେ ଭାରତର ଗ୍ରାମାଞ୍ଚଳରେ ମହିଳାଙ୍କ ଶ୍ରମଶକ୍ତି ଅଂଶଗ୍ରହଣ ହାର ୨୪.୬ ପ୍ରତିଶତ ଥିବାବେଳେ ୨୦୨୩-୨୪ରେ ଏହା ୪୭.୬ ପ୍ରତିଶତକୁ ବୃଦ୍ଧି ପାଇଛି। ଅର୍ଥାତ୍, ଏହି ସମୟ ମଧ୍ୟରେ ଗ୍ରାମୀଣ ମହିଳାଙ୍କ ଶ୍ରମଶକ୍ତିରେ ଅଂଶଗ୍ରହଣ ପ୍ରାୟ ଦୁଇଗୁଣ ହୋଇଛି।

କିନ୍ତୁ ଏହି ବୃଦ୍ଧିର ଅର୍ଥ ଯେ ଅଧିକ ସଂଖ୍ୟକ ମହିଳା ନିୟମିତ ଦରମା ପାଉଥିବା ଚାକିରିରେ ନିଯୁକ୍ତ ହୋଇଛନ୍ତି, ତାହା ନୁହେଁ। ଅକ୍ସଫାମ୍ର ବିଶ୍ଳେଷଣ ଅନୁଯାୟୀ, ଅନେକ ମହିଳା ଆତ୍ମନିଯୁକ୍ତି, କୃଷିକାର୍ଯ୍ୟ ଏବଂ ପରିବାରର ବ୍ୟବସାୟରେ ବିନା ଦରମାରେ ସହାୟତା କରିବା ଭଳି କାମରେ ନିୟୋଜିତ ହେଉଛନ୍ତି। ଅଧ୍ୟୟନରେ ଦର୍ଶାଯାଇଛି ଯେ, ୨୦୧୭-୧୮ରେ ଗ୍ରାମୀଣ ମହିଳା ଶ୍ରମିକଙ୍କ ମଧ୍ୟରୁ ୫୭ ପ୍ରତିଶତ ଆତ୍ମନିଯୁକ୍ତ ଶ୍ରେଣୀରେ ଥିଲେ। ୨୦୨୩-୨୪ରେ ଏହି ଅନୁପାତ ବଢ଼ି ୭୨.୨ ପ୍ରତିଶତରେ ପହଞ୍ଚିଛି।

ଏହି ଆତ୍ମନିଯୁକ୍ତ ମହିଳାଙ୍କ ମଧ୍ୟରୁ ୫୯ ପ୍ରତିଶତ ପରିବାରର ବ୍ୟବସାୟ କିମ୍ବା ଉଦ୍ୟୋଗରେ ବିନା ଦରମାରେ ସହାୟକ ଭାବେ କାମ କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହାର ଅର୍ଥ ହେଉଛି, ମହିଳାମାନେ ଅର୍ଥନୈତିକ କାର୍ଯ୍ୟରେ ଅଧିକ ଜଡ଼ିତ ହେଉଥିଲେ ମଧ୍ୟ ସେମାନଙ୍କ ଶ୍ରମରୁ ବ୍ୟକ୍ତିଗତ ଆୟ ସୃଷ୍ଟି ହେଉଛି କି ନାହିଁ, ତାହା ଏକ ବଡ଼ ପ୍ରଶ୍ନ ହୋଇ ରହିଛି।

ଅକ୍ସଫାମ୍ର ତଥ୍ୟ ଅନୁଯାୟୀ, ଗ୍ରାମୀଣ ମହିଳା ଶ୍ରମିକଙ୍କ ମଧ୍ୟରେ ନିୟମିତ ଦରମାଯୁକ୍ତ ଚାକିରିର ଅନୁପାତ ୨୦୧୭-୧୮ରେ ୧୧ ପ୍ରତିଶତ ଥିବାବେଳେ ୨୦୨୩-୨୪ରେ ଏହା ୮ ପ୍ରତିଶତକୁ ଖସିଛି। ସେହିପରି ଅସ୍ଥାୟୀ ମଜୁରିଭିତ୍ତିକ କାମର ଅନୁପାତ ୩୨ ପ୍ରତିଶତରୁ ହ୍ରାସ ପାଇ ୨୦ ପ୍ରତିଶତ ହୋଇଛି।ଏହି ତଥ୍ୟରୁ ଜଣାପଡ଼ୁଛି ଯେ, ମହିଳାଙ୍କ ଶ୍ରମଶକ୍ତିରେ ଅଂଶଗ୍ରହଣ ବଢ଼ିଥିଲେ ମଧ୍ୟ ସେମାନଙ୍କ ପାଇଁ ନିୟମିତ ଆୟ, ଚାକିରିର ସ୍ଥିରତା ଓ ସାମାଜିକ ସୁରକ୍ଷା ଥିବା କାମର ସୁଯୋଗ ସେହି ଅନୁପାତରେ ବଢ଼ିନାହିଁ।

ରିପୋର୍ଟରେ ମହିଳାଙ୍କ ନିଯୁକ୍ତି ବୃଦ୍ଧିରେ କୃଷିକ୍ଷେତ୍ରର ଭୂମିକା ଉପରେ ମଧ୍ୟ ଆଲୋକପାତ କରାଯାଇଛି। ଗ୍ରାମାଞ୍ଚଳରେ ଅନେକ ମହିଳା କୃଷିକାର୍ଯ୍ୟ ଓ ପାରିବାରିକ ଚାଷରେ ଅଧିକ ସମୟ ଦେଉଛନ୍ତି। କିନ୍ତୁ ଏହି କାମରୁ ସେମାନଙ୍କୁ ସ୍ୱତନ୍ତ୍ର ଆୟ କିମ୍ବା ନିୟମିତ ମଜୁରି ମିଳୁନାହିଁ। ଉତ୍ତରପ୍ରଦେଶର ଉଦାହରଣ ଦେଇ ରିପୋର୍ଟରେ କୁହାଯାଇଛି ଯେ, ଦେଶର ଆତ୍ମନିଯୁକ୍ତ ମହିଳାଙ୍କ ମଧ୍ୟରୁ ପ୍ରାୟ ୧୭ ପ୍ରତିଶତ ଏହି ରାଜ୍ୟରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୯୧ ପ୍ରତିଶତ କୃଷିକାର୍ଯ୍ୟରେ ନିୟୋଜିତ। ଏହି ମହିଳାଙ୍କ ମଧ୍ୟରୁ ଅନେକଙ୍କ ନାଁରେ ଚାଷଜମିର ମାଲିକାନା ନଥିବାରୁ ଋଣ, ବଜାର ଓ ଅନ୍ୟ ଆର୍ଥିକ ସୁବିଧା ପାଇବାରେ ସେମାନେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ଅକ୍ସଫାମ୍ର ବିଶ୍ଳେଷଣ ଅନୁଯାୟୀ, ମହିଳାଙ୍କ ଶ୍ରମଶକ୍ତିରେ ଅଂଶଗ୍ରହଣ ବୃଦ୍ଧି ପଛରେ ଏକାଧିକ କାରଣ ରହିଛି। ଘରୋଇ ଆର୍ଥିକ ଚାପ ଯୋଗୁଁ ଅନେକ ମହିଳା ନିଜ ପରିବାରର ଆୟ ବଢ଼ାଇବା ପାଇଁ କୃଷି ଓ ଆତ୍ମନିଯୁକ୍ତି ଭଳି କାମ ଆପଣାଉଛନ୍ତି। ଏହା ସହିତ, ପୂର୍ବରୁ ଗଣନାରେ ଉପଯୁକ୍ତ ଭାବେ ସାମିଲ ହେଉନଥିବା କିଛି କାର୍ଯ୍ୟକୁ ଏବେ ଶ୍ରମ ଭାବେ ଗଣନା କରାଯାଉଥିବାରୁ ମଧ୍ୟ ଏହି ବୃଦ୍ଧିରେ ପ୍ରଭାବ ପଡ଼ିଥାଇପାରେ। ତେଣୁ ମହିଳାଙ୍କ ଶ୍ରମ ଅଂଶଗ୍ରହଣ ହାର ବଢ଼ିବାକୁ କେବଳ ଅଧିକ ନିଯୁକ୍ତି କିମ୍ବା ଆର୍ଥିକ ସଶକ୍ତୀକରଣର ପ୍ରମାଣ ଭାବେ ଦେଖିବା ଉଚିତ୍ ନୁହେଁ ବୋଲି ରିପୋର୍ଟରେ ଯୁକ୍ତି ଦର୍ଶାଯାଇଛି।

ମହିଳାଙ୍କ ପାଇଁ କେବଳ କାମର ସୁଯୋଗ ବଢ଼ାଇବା ନୁହେଁ, ବରଂ ନିୟମିତ ଦରମା, ସୁରକ୍ଷିତ କାର୍ଯ୍ୟପରିବେଶ, ସାମାଜିକ ସୁରକ୍ଷା ଓ ଉନ୍ନତିର ସୁଯୋଗ ଥିବା ନିଯୁକ୍ତି ସୃଷ୍ଟି କରିବା ମଧ୍ୟ ଜରୁରୀ। ଏହା ସହିତ ଘରୋଇ ଦାୟିତ୍ୱ ଓ ଅବୈତନିକ ଯତ୍ନ କାର୍ଯ୍ୟର ବୋଝକୁ ହ୍ରାସ କରିବା, ଦକ୍ଷତା ବିକାଶ ଏବଂ ମହିଳାଙ୍କ ଜମି ଓ ଆର୍ଥିକ ସମ୍ପତ୍ତି ଉପରେ ଅଧିକାରକୁ ସୁଦୃଢ଼ କରିବା ଆବଶ୍ୟକ।

also read- ବଜାରରେ ଜିଓ IPOର ଧମାକା ! ଖୋଲିବାର ୨ ଘଣ୍ଟା ମଧ୍ୟରେ ହେଲା ପୂରା ସବସ୍କ୍ରାଇବ୍, ଦମଦାର ଲିଷ୍ଟିଂ ଉପରେ ନଜର

ଭାରତରେ ମହିଳାଙ୍କ ଶ୍ରମଶକ୍ତିରେ ଅଂଶଗ୍ରହଣ ବଢ଼ିବା ନିଶ୍ଚିତ ଭାବେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ। କିନ୍ତୁ ଅକ୍ସଫାମ୍ର ରିପୋର୍ଟ ଦର୍ଶାଉଛି ଯେ, କାମ କରୁଥିବା ମହିଳାଙ୍କ ସଂଖ୍ୟା ସହିତ ସେମାନଙ୍କ ଆୟ, ନିଯୁକ୍ତିର ସ୍ଥିରତା ଓ ଆର୍ଥିକ ସ୍ୱାଧୀନତା ମଧ୍ୟ ବଢ଼ିବା ଆବଶ୍ୟକ। ନଚେତ୍, କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ବଢ଼ୁଥିବା ଅଂଶଗ୍ରହଣ ସେମାନଙ୍କ ପ୍ରକୃତ ଆର୍ଥିକ ସଶକ୍ତୀକରଣରେ ପରିଣତ ହୋଇପାରିବ ନାହିଁ।