ବେଙ୍ଗାଲୁରୁ: ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ଖୁବ୍ ଶୀଘ୍ର ଭାରତରେ ଫୁଡ ଡେଲିଭରୀ ସେବା ଆରମ୍ଭ କରିବ। ଏଥି ପାଇଁ ନିକଟରେ ଫ୍ଲିପକାର୍ଟ ଡେଲିଭରୀ ସର୍ଭିସର ଟେଷ୍ଟିଂ ଆରମ୍ଭ କରିଛି। ‘ଟେକ୍ କ୍ରଞ୍ଚ’ ରିପୋର୍ଟ ଅନୁସାରେ କମ୍ପାନୀ ଅକ୍ଟୋବର ମାସ ଶେଷ ସୁଦ୍ଧା ଦେଶରେ ଏହି ସେବା ଆରମ୍ଭ କରିବାକୁ ପ୍ରସ୍ତୁତି କରୁଛି। ଫ୍ଲିପକାର୍ଟ ତାର ଏହି ଫୁଡ ଡେଲିଭରୀ ସର୍ଭିସ ମାଧ୍ୟମରେ ସ୍ୱିଗୀ ଓ ଜମାଟୋ ଭଳି ସଂସ୍ଥାଙ୍କୁ ଟକ୍କର ଦେବ। ଏବେ ଏହି ସର୍ଭିସର ଟେଷ୍ଟିଂ ବେଙ୍ଗାଲୁରୁରେ ଚାଲିଛି। ଏହି ସେବାର ନାମ ରଖା ଯାଇଛି ‘ଇଟ-ଇନ୍ ବାୟ ମିନିଟସ୍’ ରଖା ଯାଇଛି। ତେବେ କମ୍ପାନୀ ସର୍ଭିସ ଲଞ୍ଚ ତାରିଖ ଘୋଷଣା କରିନି।

ଫ୍ଲିପକାର୍ଟ ନୂଆ ସେବାର ଟେଷ୍ଟିଂ ଏବେ ନିଜ କର୍ମଚାରୀଙ୍କ ମଧ୍ୟରେ କରୁଛି। ଏହି ଟେଷ୍ଟିଂ ଲାଗି ଆରମ୍ଭରେ କିଛି ଶହ କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଇଥିଲା, ହେଲେ ଏବେ ୮୦୦୦ କର୍ମଚାରୀ ଏହି ସେବା ଉପଯୋଗ କରୁଛନ୍ତି। ପ୍ଲିପକାର୍ଟ ଆପରେ ଏଥି ଲାଗି ଏକ ପୃଥକ ବିକଳ୍ପ ମଧ୍ୟ ଦିଆଯାଇଛି। କମ୍ପାନୀ ତାର ଏହି ସେବା ମାଧ୍ୟମରେ ରେଷ୍ଟୁରାଣ୍ଟର ଖାଦ୍ୟ ଗ୍ରାହକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଚାହୁଁଛି। ଫ୍ଲିପକାର୍ଟ ସମୂହ ମୁଖ୍ୟ କଲ୍ୟାଣ କୃଷ୍ଣମୂର୍ତ୍ତୀ ଗତ ଜୁଲାଇ ମାସରେ ଏହି ଖାଦ୍ୟ ଡେଲିଭରୀ ସେବା ଆରମ୍ଭ କରିବାକୁ ଯୋଜନା କରିଥିଲେ।

ରିପୋର୍ଟ ଅନୁସାରେ ଫ୍ଲିପକାର୍ଟ ନୂଆ ସେବାରେ ତାର ଓପନ ନେଟୱାର୍କ ଫର ଡିଜିଟାଲ କମର୍ସ (ଓଏନଡିସି) ସମ୍ପର୍କିତ ରେଷ୍ଟୁରାଷ୍ଟର ଖାଦ୍ୟ ମଧ୍ୟ ଉପଲବ୍ଧ କରାଇ ପାରେ। ଏହା ସହିତ କମ୍ପାନୀ ସିଧା ରେଷ୍ଟୁରାଣ୍ଟ ସହ ଯୋଡି ହୋଇ ଗ୍ରାହକଙ୍କୁ ବିକଳ୍ପ ଦେଇପାରେ। ଖାଦ୍ୟ ପହଞ୍ଚାଇବା ଲାଗି ଫ୍ଲିପକାର୍ଟର ଲଜିଷ୍ଟିକ୍ କମ୍ପାନୀ ଇ-କାର୍ଟ ମାଧ୍ୟମରେ ଅଲଗା ଡେଲିଭରୀ ଟିମ୍ କୁ ପ୍ରସ୍ତୁତ କରିଛି। ଏହି ଟିମ୍ କମ୍ପାନୀର ଅନ୍ୟ ଡେଲିଭରୀ ସେବାରୁ ପୃଥକ କାମ କରିବ। ବେଙ୍ଗାଲୁରୁରେ କେତେକ ଡେଲିଭରୀ କର୍ମଚାରୀଙ୍କୁ ଏହି ସେବା ନାମ ଥିବା ଟି-ସାର୍ଟରେ ମଧ୍ୟ ଦେଖାଯାଇଛି।

ଭାରତରେ ଖାଦ୍ୟର ଅନଲାଇନ ଡେଲିଭରୀ ବ୍ୟବସାୟରେ ଏ ପର୍ଯ୍ୟନ୍ତ ସ୍ୱୀଗି ଓ ଜମାଟୋର ଦବଦବା ରହିଛି। କେନ ରିସର୍ଚ୍ଚ ଅନୁସାରେ ୨୦୨୪ରେ ଜମାଟୋର ବଜାରରେ ୫୮% ଓ ସ୍ୱୀଗିର ୩୪% ଭାଗିଦାରୀ ଥିଲା। ଏବେ ଫ୍ଲିପକାର୍ଟ ମଧ୍ୟ ଏହି ସେବାରେ ନିଜର ପାଦ ଜମେଇବାକୁ ଉଦ୍ୟମ କରୁଛି। ଫ୍ଲିପକାର୍ଟ ନେଉଥିବା ପଦକ୍ଷେପ ଦୁଇ କମ୍ପାନୀଙ୍କ ଲାଗି ଆହ୍ୱାନ ହୋଇପାରେ। ଏକ ରିପୋର୍ଟ ଅନୁସାରେ ଭାରତରେ ଅନଲାଇନ ଖାଦ୍ୟ ମଗାଇବା ବଜାର ବାର୍ଷିକ ୧୮ରୁ ୨୦ ପ୍ରତିଶତ ହାରରେ ବଢୁଛି।