ନୂଆଦିଲ୍ଲୀ: ସଂପ୍ରତି ଦିନିକିଆ କ୍ରିକେଟର ଚମକ ଧୀରେ ଧୀରେ ଫିକା ପଡ଼ିବାରେ ଲାଗିଛି । ଆଇସିସି ଏମିତି ରୋଡମ୍ୟାପ୍ ପ୍ରସ୍ତୁତ କରୁଛି ଯେ, ଫ୍ୟାନ୍ସଙ୍କ ମଧ୍ୟରେ ୫୦ ଓଭର ମ୍ୟାଚକୁ ନେଇ ଆଗଭଳି ଆଉ ଉତ୍ସାହ ଦେଖିବାକୁ ମିଳୁନାହିଁ । ଖୋଦ୍ ଆଇସିସି ହିଁ ଦିନିକିଆ କ୍ରିକେଟକୁ ଅଣ ନିଶ୍ଵାସୀ କରି ଚାଲିଛି । ଏହି ସମୟରେ ଆନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ (ICC)ର ଆଗାମୀ ‘ଫ୍ୟୁଚର ଟୁର୍ସ ପ୍ରୋଗ୍ରାମ୍’ (FTP) କ୍ୟାଲେଣ୍ଡରକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଆଗାମୀ ଦିନରେ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ସଂଖ୍ୟା ଯଥେଷ୍ଟ କମାଯାଇ ଟି-୨୦ କ୍ରିକେଟକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି ।

ସମୟ ଅଭାବରୁ ଅବହେଳିତ ଦିନିକିଆ କ୍ରିକେଟ୍

ବର୍ତ୍ତମାନ ବିଶ୍ୱବ୍ୟାପୀ ବିଭିନ୍ନ ଫ୍ରାଞ୍ଚାଇଜି ଟି-୨୦ ଲିଗର ଦ୍ରୁତ ବିସ୍ତାର ହୋଇଛି । ପ୍ରତି ଦୁଇ ବର୍ଷରେ ଟି-୨୦ ବିଶ୍ୱକପ୍ ଏବଂ ଅଲିମ୍ପିକ୍ସ ଓ ଏସିଆନ୍ ଗେମ୍ସ ପରି ମେଗା ଇଭେଣ୍ଟରେ ଟି-୨୦ ସାମିଲ ହେବା ଯୋଗୁଁ କ୍ରିକେଟ୍ ସୂଚୀ ଅତ୍ୟନ୍ତ ବ୍ୟସ୍ତବହୁଳ ହୋଇପଡ଼ିଛି । ଫଳରେ ସମୟ ଅଭାବରୁ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ଗୁଡ଼ିକୁ କାଟଛାଣ୍ଟ କରାଯାଉଛି । କେବଳ ସେତିକି ନୁହେଁ, ଆସୋସିଏଟ୍ ରାଷ୍ଟ୍ରଗୁଡ଼ିକୁ ଅଧିକ ସୁଯୋଗ ଦେବା ପାଇଁ ଟି-୨୦ ମ୍ୟାଚ୍ ସଂଖ୍ୟା ବୃଦ୍ଧି କରାଯାଉଥିବା ନେଇ ଆଇସିସି ବୋର୍ଡ ପକ୍ଷରୁ ସଙ୍କେତ ମିଳିଛି । ଫଳରେ ଦିନିକିଆ କ୍ରିକେଟର ମହତ୍ଵ ହ୍ରାସ ପାଇବାରେ ଲାଗିଛି

Also Read: ଟି୨୦ କ୍ରିକେଟରେ ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡ: ୨୦୦ଟି ମ୍ୟାଚ୍ ଜିତିବାରେ ଦୁନିଆର ପ୍ରଥମ ଦେଶ

ଫେରିବ ଟ୍ରାଇ ସିରିଜ୍ !

ତେବେ ଦିନିକିଆ କ୍ରିକେଟ୍ ସମ୍ପୂର୍ଣ୍ଣ ବନ୍ଦ ହେବ ନାହିଁ, ବରଂ ଏହାକୁ ଆହୁରି ରୋମାଞ୍ଚକର ଓ ଅର୍ଥପୂର୍ଣ୍ଣ କରିବାକୁ ଆଇସିସି ଯୋଜନା କରୁଛି । ଦିନିକିଆ ବିଶ୍ୱକପ୍, ଚାମ୍ପିଅନ୍ସ ଟ୍ରଫି ଏବଂ ଏସିଆ କପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବପରି ଜାରି ରହିବ । ଏହାସହ ଫିକା ପଡ଼ୁଥିବା ଦ୍ୱିପାକ୍ଷିକ ଦିନିକିଆ ବଦଳରେ ପୁଣିଥରେ ଟ୍ରାଇ-ସିରିଜ୍ କିମ୍ବା ଚାରୋଟି ଦଳକୁ ନେଇ ସିରିଜ୍ ଆୟୋଜନ କରିବାକୁ ବିଚାର ଚାଲିଛି ।

ସୂଚନାଯୋଗ୍ୟ ଯେ, ଭାରତ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି ଦଳଗୁଡ଼ିକ ମଧ୍ୟ କେବଳ ଦିନିକିଆ ବିଶ୍ୱକପ୍ ପାଖେଇ ଆସିଲେ ହିଁ ଅଧିକ ଦିନିକିଆ ମ୍ୟାଚ୍ ଖେଳୁଛନ୍ତି । ନିକଟ ଅତୀତରେ ଭାରତୀୟ ଦଳ ଟେଷ୍ଟ ଓ ଟି-୨୦ ସିରିଜ୍ ଅଧିକ ଖେଳିଥିବା ବେଳେ ଦିନିକିଆ ସିରିଜ୍ ସଂଖ୍ୟା ବହୁତ କମ୍ ରହିଛି । ଆଗାମୀ FTP ଚକ୍ରରେ ଦିନିକିଆ ମ୍ୟାଚ୍ ଆହୁରି ସୀମିତ ହେବାକୁ ଯାଉଥିବାରୁ ଏହି ଫର୍ମାଟର ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।