ନବରଙ୍ଗପୁର: ମାସକ ପରେ ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ଗେଟ । ସମ୍ଭାବ୍ୟ ବାତ୍ୟା ଓ ଏହାର ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା ମଧ୍ୟରେ ନବରଙ୍ଗପୁର ଜିଲ୍ଲାରେ ପୁଣି ଥରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଦୁଇଟି ଗେଟ ଖୋଲାଯାଇଛି । ପ୍ରାୟ ମାସକ ପରେ ଜଳଭଣ୍ଡାରର ୩ ନମ୍ବର ଓ ୬ ନମ୍ବର ଗେଟକୁ ୦.୫ ମିଟର ଲେଖାଏଁ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ଦୁଇଟି ଗେଟ ଦେଇ ପ୍ରତି ସେକେଣ୍ଡରେ ପ୍ରାୟ ୧୩୩ କ୍ୟୁମେକ୍ସ ଜଳ ନିଷ୍କାସିତ ହେଉଛି । ଗେଟ ଖୋଲାଯିବା ସମୟରେ ଜଳଭଣ୍ଡାରର ଜଳସ୍ତର ୬୪୦ ମିଟର ରହିଥିଲା ।

ଇନ୍ଦ୍ରାବତୀ- କୋଲାବ ବେସିନ କାର୍ଯ୍ୟାଳୟ, ବାରିଣୀପୁଟର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଭାଗିରଥୀ ପାତ୍ରଙ୍କ ଉପସ୍ଥିତିରେ ବିଭାଗୀୟ ଅଧିକାରୀ ଡ୍ୟାମର ସ୍ଥିତି ଅନୁଧ୍ୟାନ ପରେ ଗେଟ ଖୋଲିବା ନିଷ୍ପତ୍ତି ନେଇଥିଲେ । ତେବେ ସତର୍କତାମୂଳକ ପଦକ୍ଷେପ ଭାବେ ଗେଟ ଖୋଲାଯାଇଥିବା ବେଳେ, ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Also Read: ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ରକୂଳିଆ ଅଞ୍ଚଳବାସୀ ଭୟଭୀତ, ଜୀବିକା ଚିନ୍ତାରେ ମତ୍ସ୍ୟଜୀବୀ, ସେପଟେ ପ୍ରଶାସନର ପ୍ରସ୍ତୁତି ଜୋରଦାର

ଜଳସ୍ତର ୬୩୯ ମିଟରକୁ ହ୍ରାସ ପାଇଲେ ଗେଟ ବନ୍ଦ କରାଯିବ । ଆଗାମୀ ଦିନରେ ବର୍ଷା ଓ ଜଳ ପ୍ରବାହକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଆବଶ୍ୟକ ପଡ଼ିଲେ ଅଧିକ ଗେଟ ଖୋଲାଯାଇପାରେ । ଜଳ ନିଷ୍କାସନ ଯୋଗୁଁ ତଳିଆ ଅଞ୍ଚଳରେ ଜଳସ୍ତର ବଢ଼ିପାରେ ଥିବାରୁ ଲୋକଙ୍କୁ ନଦୀ ଓ ଜଳାଶୟ ନିକଟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।